Saturday, 23 June 2018

*ଭାରତୀୟ ସାହିତ୍ୟ...- ୩*

ଶରତ ଚନ୍ଦ୍ର ଚଟୋପାଧ୍ୟାୟ ବଙ୍ଗର ଜଣେ ପ୍ରସିଦ୍ଧ ଔପନ୍ୟାସିକ ଯିଏ ତତ୍କାଳୀନ ସମାଜର ନାରୀ ନିର୍ଯ୍ୟାତନାକୁ ତାଙ୍କ ଉପନ୍ୟାସରେ ଚିତ୍ରିତ କରିଛନ୍ତି। "ନାରୀର ମୂଲ୍ୟ" ପ୍ରବନ୍ଧରେ ସେ ବର୍ଣ୍ଣନାକରି କହିଛନ୍ତି ଯେ ମଣି-ମାଣିକ ହେଉଛି ମହା ମୂଲ୍ୟବାନ ବସ୍ତୁ; କାରଣ ସଂସାରରେ ଏହା ଦୁର୍ଲ୍ଲଭ। ସେଭଳି ମନୁଷ୍ୟର ଜୀବନ ଧାରଣ ପାଇଁ ଜଳ ଏକ ପ୍ରତିଦିନର ଆବଶ୍ୟକ ହେଉଥିବା ବସ୍ତୁଟିଏ। ତଥାପି ସୁଲଭତା କାରଣରୁ ତାହାର ମୂଲ୍ୟକୁ ଆମେ ଉପଲବ୍ଧି କରିପାରୁ ନାହୁଁ। ପରନ୍ତୁ, ଯଦି କୌଣସି ଦିନ ଜଳ ମିଳିବା ଦୁର୍ଲ୍ଲଭ ହୋଇଯାଏ, ତେବେ ସେହି ସମୟରେ ରାଜାଧିରାଜ ମଧ୍ୟ ଜଳର ଏକ ବୁନ୍ଦା ପାଇବା ପାଇଁ ନିଜ ମୁକୁଟ ଭଳି ମୂଲ୍ୟବାନ ବସ୍ତୁ ବିକ୍ରୀ କରି ଦେବାକୁ ପଛାନ୍ତି ନାହିଁ। ଏହିପରି ସ୍ଥିତି ବା ଈଶ୍ୱର ଏମିତି ନ କରନ୍ତୁ ଯେ ନାରୀ ସଂସାରରେ ବିରଳ ହୋଇଯିବେ ଏବଂ ସେହିଦିନ ତାର ଯଥାର୍ଥ ମୂଲ୍ୟ କେତେ ଏ ପ୍ରଶ୍ନର ଉତ୍ତର ସବୁଦିନ ପାଇଁ ନିର୍ଣ୍ଣୟ ହୋଇଯିବ। ଡ. ହଜାରୀ ପ୍ରସାଦ ଦ୍ବିବେଦୀ କହନ୍ତି ଯେ ନାରୀ ହେଉଛି ସମାଜର ମାନଦଣ୍ଡ। ଯଦି ଏହି ସଂସାରରେ ନାରୀଭଳି ଚରିତ୍ରଟିଏର ପରିସ୍ଫୁଟନ ହୋଇ ନଥାନ୍ତା ତାହେଲେ ସମାଜ, ସଭ୍ୟତା ଓ ସଂସ୍କୃତିର ଚିହ୍ନ ମଧ୍ୟ ଦେଖିବାକୁ ମିଳି ନଥାନ୍ତା। ନିଜର ଭିନ୍ନ ଭିନ୍ନ ରୂପରେ ନାରୀ ପୁରୁଷଙ୍କୁ ସେବା କରି ସେମାନଙ୍କୁ ସଂରକ୍ଷିତ, ପ୍ରୋତ୍ସାହିତ ଓ ଶକ୍ତି ପ୍ରଦାନକାରୀ ପ୍ରେରଣାର ଉତ୍ସ ଭାବରେ ପ୍ରକୃତିକୁ ବିକୃତିରହିତ ସଂସ୍କୃତିରେ ପରିବର୍ତ୍ତିତ କରିଦେଇଥାଏ।

ଏ ଦୃଷ୍ଟିରେ ସ୍ୱାମୀ ବିବେକାନନ୍ଦ ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଗଲେ ହିଁ ରାଷ୍ଟ୍ରର ଉନ୍ନତି ସମ୍ଭବ ହେବ ବୋଲି କହିଛନ୍ତି। ଯେଉଁ ଦେଶରେ ଓ ଯେଉଁ ଧର୍ମରେ ନାରୀର ଆଦର ହୁଏ ନାହିଁ ସେ ଦେଶ ଓ ସେ ଧର୍ମ କେବେ ବି ଉନ୍ନତି କରିପାରେ ନାହିଁ। ସ୍ୱାମୀଜୀ ନାରୀମାନଙ୍କୁ ଏ ବିଶ୍ୱର ମହାଶକ୍ତି ରୂପେ ବର୍ଣ୍ଣନା କରି କହିଛନ୍ତି ଯେ ନାରୀମାନଙ୍କ ଅବହେଳା ସମାଜ ବା ସଂସ୍କୃତି ପତନର ମୁଖ୍ୟ କାରଣ । ଯେଉଁ ଦେଶରେ ନାରୀ ଦୁଃଖୀ ନିର୍ଯ୍ୟାତିତ ସେ ଦେଶର ଉନ୍ନତି  ଅସମ୍ଭବ।

କ୍ରମଶଃ...

୨୩. ୬. ୧୮

No comments: