ତତ୍କାଳୀନ କୌଟୁମ୍ବିକ ଜୀବନରେ 'ପ୍ରେମ' କୁ ମହତ୍ତ୍ୱ ଦିଆଯାଉଥିଲା। ବ୍ରହ୍ମଦାରଣ୍ୟକରେ କୌଟୁମ୍ବିକ ଜୀବନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସଦସ୍ୟ ତଥା ପତି, ପତ୍ନୀ, ପୁତ୍ର ଆଦିଙ୍କ ଉପଯୋଗୀ ତତ୍ତ୍ୱ ଭାବରେ ଉଲ୍ଲେଖ କରାଯାଇଛି। କୁଟୁମ୍ବରେ ପିତା ହେଉଛନ୍ତି ମୁଖ୍ୟ ତାଙ୍କରି ପରେ ବଡ଼ ଭାଇ ସେ ସମ୍ମାନର ଅଧିକାରୀ ହୁଅନ୍ତି । ପରିବାରରେ ପୁଅଟିଏ ଜନ୍ମ ନେଲେ ପିତାଙ୍କୁ ପୁତ୍ରବାନ କୁହାଯାଇଥାଏ। ଉକ୍ତ ପିତା ନିଜ ପୁଅକୁ ଜନ୍ମ ଦେଇ ପିତୃଋଣରୁ ମୁକ୍ତି ପାଇଥାଏ। ଏହି ପରମ୍ପରା କୁଟୁମ୍ବର ନବଜାତକ ପୁତ୍ର ସନ୍ତାନକୁ ସ୍ୱାମୀତ୍ୱର ଅଧିକାର ପ୍ରଦାନ କରାଇଥାଏ।
ମହାଭାରତର ଆଦିପର୍ବରେ ଆଦର୍ଶ କୁଟୁମ୍ବର ଚିତ୍ରଣ କରାଯାଇଛି। କୁଟୁମ୍ବର ସମସ୍ତ ସଦସ୍ୟ ଜଣେ ଅନ୍ୟର ସୁରକ୍ଷା ପାଇଁ ତଥା ଜଣେ ଅନ୍ୟକୁ ସହାୟତା ଯୋଗାଇଦେବା ପାଇଁ ତତ୍ପର ରହୁଥିଲେ। ଏପରିକି ଅନ୍ୟ ଜଣକ ପାଇଁ ପ୍ରାଣ ଦେବାକୁ ପଛାଉ ନ ଥିଲେ। ଏହିପରି ତତ୍କାଳୀନ କୌଟୁମ୍ବିକ ଜୀବନ ସୌହାର୍ଦ୍ଦ୍ୟ, କରୁଣା, ସହଯୋଗର ସମନ୍ଵୟରେ ସଦା ଭରପୂର ଥିଲା।
ତତ୍କାଳୀନ କୌଟୁମ୍ବିକ ଜୀବନରେ ବାପା-ମାଆଙ୍କୁ ଉଚ୍ଚ ସ୍ଥାନ ପ୍ରାପ୍ତ କରାଯାଉଥିଲା। ତାଙ୍କୁ ଆଚାର୍ଯ୍ୟଙ୍କ ଭଳି ଆରାଧ୍ୟ ହିସାବରେ ଗଣାଯାଇ କୁହାଯାଇଛି -
ମାତୃଦେବୋ ଭଵ,
ପିତୃଦେବୋ ଭଵ,
ଆଚାର୍ଯ୍ୟଦେବୋ ଭଵ।
ଏଥିରୁ ମାତା ପିତା ଓ ଆଚାର୍ଯ୍ୟଙ୍କୁ ସମାଜରେ ଦିଆଯାଉଥିବା ସମ୍ମାନ ମର୍ଯ୍ୟାଦାକୁ ଅନୁଭବ କରିହୁଏ। ସେଭଳି ପ୍ରାଚୀନ କାଳରେ ମାତା ଓ ମାତୃଭୂମିକୁ ମଧ୍ୟ ସମ୍ମାନ ଦିଆଯାଉଥିଲା। ଯାହା ନିମ୍ନୋକ୍ତ ପଂକ୍ତିରୁ ଜାଣିହୁଏ -
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ।
ଅର୍ଥାତ୍ ମାତା ଓ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ବଡ଼।
ମନୁଙ୍କ ମତରେ ମାତା ହେଉଛନ୍ତି ଗୃହଲକ୍ଷ୍ମୀ।
ମହାକବି ଭାସ ମାତାକୁ ଦେବତାର ସଂଜ୍ଞାରେ ବିଭୂଷିତ କରି କହିଛନ୍ତି -
ମାତା ପରଂ ଦୈବତମ୍।
ଭାଗବତରେ ମଧ୍ୟ ମାତା-ପିତାଙ୍କୁ ସର୍ବାଦୌ ସେବା କରାଯିବା ଉଚିତ ବୋଲି ଦର୍ଶାଯାଇଛି।
ସ୍ୱାର୍ଥ ସମ୍ଭବୋ ଦେହୋ ଜନ୍ମିତଃ ପୋଷିତୋ ଯତଃ
ସ ପୁନର୍ୟାତି ନିର୍ବେଶଂ ପିତ୍ରୋର୍ମର୍ତ୍ୟେ ଶତାୟୁଷା।।
ଅର୍ଥାତ୍ ମାତା ପିତାଙ୍କ ଦ୍ଵାରା ସନ୍ତାନର ଶରୀରର ନିର୍ମାଣ ହୋଇଥିବା କାରଣରୁ, ଏବଂ ତାକୁ ପାଳନ କରାଯାଇ ଯୋଗ୍ୟ ମଣିଷଟିଏ କରାଇ ପାରିଥିବାରୁ ମାତା ପିତା ସର୍ବୋଚ୍ଚ ଆସନର ଅଧିକାରୀ। ଶତ ବର୍ଷ ସେବା କରି ମଧ୍ୟ ସନ୍ତାନ ପିତୃମାତୃ ଋଣ ପରିଶୋଧ କରିପାରେ ନାହିଁ। ମହାଭାରତରେ ପିତା-ମାତାଙ୍କ ପୂଜାର ମହିମା କଥା ପିତାମହ ଭୀଷ୍ମଙ୍କ ଦ୍ଵାରା ବର୍ଣ୍ଣିତ ହୋଇଛି -
ମାତା ପିତ୍ରୋର୍ଗୁରୁଣାଂ ଚ ପୂଜା ବହୁମତା ମମଂ
ଇହ ଯୁକ୍ତୋ ନରୋ ଲୋକାନ୍ୟଶଶ୍ଚ ମହଦଶନୁତେ
ସେହିଭଳି ମହାଭାରତର ଅନୁଶାସନ ପର୍ବରେ ମଧ୍ୟ ମାତା ପିତା ଧର୍ମଠୁଁ ବଡ଼ ବୋଲି ସ୍ୱୀକାର କରାଯାଇ କୁହାଯାଇଛି -
ୟେନ ପ୍ରିଣାତି ପିତରଂ ତେନ ପ୍ରିତଃ ପ୍ରଜାପତି
ପ୍ରିଣାତି ମାତାଂ ୟେନ ପୃଥ୍ବୀ ତେନ ପୂଜିତା
ଯାହାର ଅର୍ଥ ହେଲା ଯିଏ ପିତାକୁ ପ୍ରସନ୍ନ କରିପାରିଲା ସେ ବ୍ରହ୍ମାଙ୍କୁ ଏବଂ ଯିଏ ମାତାଙ୍କୁ ପ୍ରସନ୍ନ କରିଦେଲା ସିଏ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରସନ୍ନ କରିପାରିବ ଏହା ନିଃସନ୍ଦେହ।
କ୍ରମଶଃ...
୧୫. ୬. ୧୮

No comments:
Post a Comment