Friday, 8 June 2018

*ଅବଧି ଲୋକ ସାହିତ୍ୟରେ...- ୫*

ପରିବାର ଭିତରେ ସ୍ନେହ ପ୍ରେମ ଅଛି ତ ତୁଚ୍ଛା ଶୁଖିଲା ଖାଦ୍ୟ ମଧ୍ୟ ତୃପ୍ତି ଦେଇଥାଏ। ଭାରତୀୟ ଦାମ୍ପତ୍ୟ ଜୀବନର ଆଧାର ହେଉଛନ୍ତି ଶିବ-ପାର୍ବତୀ। ଶିବଙ୍କ ପରିବାର ପରସ୍ପରରେ ବିରୋଧୀ ଚରିତ୍ର ଥିଲେ ମଧ୍ୟ ଏହା ଏକ ସମରସତା ରକ୍ଷା କରୁଥିବା କୁଟୁମ୍ବ। ଶିବ-ପାର୍ବତୀଙ୍କ ବାହନ, ଆଭୂଷଣ, ତାଙ୍କ ପୁତ୍ରଙ୍କ ବାହନ, ଏ ସବୁ ପରସ୍ପର ବିରୋଧୀ ତଥା ଶତ୍ରୁ ହୋଇଥିଲେ ମଧ୍ୟ ସମସ୍ତେ ମିଳି ମିଶି ଆନନ୍ଦରେ ରହିଥାନ୍ତି।

ଶିବ ହେଉଛନ୍ତି ବିଶ୍ୱର ସମସ୍ତ ଐଶ୍ୱର୍ଯ୍ୟର ସ୍ୱାମୀ। କିନ୍ତୁ ଦେଖନ୍ତୁ, ସେ ଏକ ଭଙ୍ଗା କୁଡ଼ିଆରେ ରୁହନ୍ତି। ପୁଣି ଗୌରୀ ଏକ ମାଟି ହାଣ୍ଡିରେ ସୁଆଁ ଖୁଦ ରାନ୍ଧି ଅଖିଳ ବ୍ରହ୍ମାଣ୍ଡ ପତି ଶିବଙ୍କୁ ପରଷନ୍ତି। ସେଇ ସୁଆଁ ଖିରୀ ଖାଇ ଶିବ କୁହନ୍ତି - 'ଏହା ତ ଦୁର୍ଲଭ ଅମୃତ !" ସତରେ, ଅନୁଭବ କରନ୍ତୁ ଏଇ ଶିବ ପରିବାରର ବିପନ୍ନ ସ୍ଥିତିକୁ। ପୁଣି ତା ମଧ୍ୟରେ ତାଙ୍କରି ତ୍ୟାଗପୂର୍ଣ୍ଣ ଗୃହସ୍ଥ ଜୀବନର ଶାନ୍ତି, ପ୍ରୀତି, ସ୍ନେହ ଓ ସୁଖରେ ପରିବର୍ତ୍ତିତ ଶ୍ରେଷ୍ଠ ସଂତୃପ୍ତିର ଅନୁଭବକୁ।

ଏହାକୁ ନେଇ ଅବଧି ଲୋକ ଗୀତରେ କବି କହନ୍ତି -

"ମାଟି କ ହାଣ୍ଡିୟା ଗୌରା ଚୂଲହା ଚଢ଼ାୱେ
ପରଇ ଢକନା ଲଗାଇ ନା,
ପନିୟା କେ ଅଦହନ କୋଦଇ ଚଢ଼ାୱେ,
ପରସୌ ମାଡ଼ ପସାଇ ନା,
ଜେବନ ବୈଠେ ଇସୁରୀ ମହାଦେବ,
ଆଜ ଜେବନ ବଡ଼ ନୀମନ ନା।।"

ଏଇ ଅବଧି ଲୋକ ଗୀତ ଅଭାବ ଅନଟନରେ ରହି ମଧ୍ୟ  କୁଟୁମ୍ବର ସହଭାଗିତା, ପରସ୍ପର ପ୍ରେମ ଓ ତ୍ୟାଗର କାହାଣୀ ହିଁ କହୁଛି। ଏଠାରେ ପରିବେଷିତ ଛନ୍ଦହୀନ, ସରଳ କାବ୍ୟ ପଙ୍କ୍ତିରେ କୁଟୁମ୍ବ ମଧ୍ୟରେ  ସହମତି ଓ ସୌହାର୍ଦ୍ଦ୍ୟର ସ୍ନେହଭାବକୁ ସବୁ ଶ୍ରେଷ୍ଠ
ମୂଲ୍ୟବାନ ଧନଠାରୁ ଅଧିକ ମହତ୍ତ୍ୱ ଦିଆଯାଇଛି।

କ୍ରମଶଃ....

୮. ୬. ୧୮

No comments: