Saturday, 16 June 2018

*ସଂସ୍କୃତ ସାହିତ୍ୟରେ... - ୩*

ସଂସ୍କୃତ ଶାସ୍ତ୍ରରେ କୁଟୁମ୍ବର ମୁଖ୍ୟ ଧ୍ୟେୟ ଭାବରେ ପ୍ରତ୍ୟେକ ସଦସ୍ୟଙ୍କୁ ନିମ୍ନୋକ୍ତ ପାଞ୍ଚଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଯଥା -

"ପିତ୍ରୋରର୍ଚା ପତ୍ୟୁଶ୍ଚ ସାମ୍ୟଂ ସର୍ବଜନେଷୁ ଚ
ମିତ୍ରୋ-ଦ୍ରୋହୋ ବିଷ୍ଣୁ ଭକ୍ତିରେତେ ପଞ୍ଚମହାଭଖାଃ।"

ଯାହାର ଅର୍ଥ ହେଲା  ପିତା ମାତା ଓ ପୂଜନୀୟଙ୍କୁ  ପୂଜନ କରିବା, ପତିଙ୍କର ସେବା କରିବା, ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ସମଭାବ ପ୍ରଦର୍ଶନ କରିବା, ମିତ୍ରମାନଙ୍କ ପ୍ରତି ବିଶ୍ୱସନୀୟତାର ସହ ଆସ୍ଥାଭାଜନ ହେବା ସହ ମିତ୍ରଦ୍ରୋହୀ ନ ହେବା ଏବଂ  ଭଗବାନ ବିଷ୍ଣୁ୍ଙ୍କ ପ୍ରତି ଭକ୍ତି ରଖି ଆଧ୍ୟାତ୍ମିକ ବିକାଶରେ ମନନିବେଶ କରିବା।

କୁଟୁମ୍ବରେ କୁଟୁମ୍ବ ସ୍ୱାମୀଙ୍କ ପତ୍ନୀଙ୍କୁ  ସ୍ୱାମିନୀ ଭାବେ ଗ୍ରହଣ କରାଯାଉଥିଲା। ସେ କୁଟୁମ୍ବର ସମସ୍ତ ସଦସ୍ୟ ସଦସ୍ୟା ତଥା ଆଗନ୍ତୁକ ମାନଙ୍କର ଭରଣପୋଷଣର ପ୍ରବନ୍ଧ କରୁଥିଲେ। ବୈଦିକ କାଳରୁ ପତ୍ନୀ ହିଁ ଧାର୍ମିକ କ୍ରିୟା କଳାପରେ ପତିଙ୍କ ସହଚାରିଣୀ ହେଉଥିଲେ। ଆଦିକବି ବାଲ୍ମିକୀଙ୍କ ମହାକାବ୍ୟ ରାମାୟଣରେ  କୁଟୁମ୍ବର ତାତ୍ତ୍ଵିକ ବିଶ୍ଲେଷଣ ଦେଖିବାକୁ  ମିଳିଥାଏ। ରାମାୟଣରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ନିଜ କୁଟୁମ୍ବର  ଛୋଟ ବଡ଼ ସମସ୍ତ ସଦସ୍ୟଙ୍କ ପ୍ରତି କେବେ କ୍ରୋଧ ଭାବନା ବ୍ୟକ୍ତ କରିବା ଦେଖାଯାଇ ନାହିଁ। ବରଂ ସମସ୍ତଙ୍କ ପ୍ରତି ତାଙ୍କ ବ୍ୟବହାର ଅତି ମଧୁର ରହିଥିଲା। ଯାହାକୁ ମହର୍ଷି ବାଲ୍ମୀକି ବ୍ୟକ୍ତ କରି କହିଛନ୍ତି -

"ମାତୃଭ୍ୟ ମାତୃ କାର୍ଯ୍ୟାଣି କୃତ୍ବାଂ ପରମୟନ୍ତ୍ରୀତଃ
ଗୁରୁଣା ଗୁରୁକାର୍ଯ୍ୟାଣି କାଳେ କାଳେନ୍ୱବୈକ୍ଷତଃ।"

ଭାଇ ଭାଇର ସ୍ନେହ, ପତ୍ନୀର ପତି ପ୍ରତି ଅନନ୍ୟ ଭକ୍ତି,  ମାତା ପିତାଙ୍କୁ ସମ୍ମାନ କରିବା ଆଦି ଗୁଣ ଅତି ସହଜ ଭାବରେ ଏହି ରାମାୟଣରେ ବର୍ଣ୍ଣିତ।  ଭରତ ଓ ଲକ୍ଷ୍ମଣ ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭ୍ରାତୃଭାବର ଏକ ଏକ ନିଦର୍ଶନ। ଅତ୍ରି ମୁନିଙ୍କ ଆଶ୍ରମରେ ଦେବୀ ସୀତା  ଅନୁସୂୟାଙ୍କୁ ସାକ୍ଷାତ କରି ପତିବ୍ରତା ଧର୍ମ ଉପରେ ତାଙ୍କଠାରୁ ଉପଦେଶ ଗ୍ରହଣ କରିଥିଲେ। କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଲମ୍ ରେ କୁଟୁମ୍ବ ପରିଚାଳନାର ଭାର ପୁତ୍ର ହସ୍ତରେ ଅର୍ପଣ କରି ନିଜେ  ଶାନ୍ତିପୂର୍ବକ ଆଶ୍ରମ ଜୀବନ ନିବାହ  କରିବାର ଉପଲକ୍ଷ୍ୟ ନିମ୍ନ ଶ୍ଳୋକରୁ ଜାଣିବାକୁ ମିଳେ।

ଭୂତ୍ବା ଚିରାୟ ଚତୁରନ୍ତ ମହୀସ ପତ୍ନୀ
ଦୌଷୟନ୍ତିମପ୍ରତିରଥଂ ତନୟଂ ନିବେଶ୍ୟ
ଭର୍ତାତଦାର୍ପିତ କୁଟୁମ୍ବ ଭରେଣ ସାର୍ଧ
ଶାନ୍ତ କରିଷ୍ୟେ ପୁନରାଶ୍ରମେସ୍ମିନ

ଏହିପରି ଭାବରେ ଆମ ପ୍ରାଚୀନ ସାହିତ୍ୟ କୌଟୁମ୍ବିକ ଜୀବନ ପ୍ରବାହର ସୌହାର୍ଦ୍ଦ୍ୟ, ପ୍ରେମ, ଅବୈର ଭାବ ଆଦି ମହାନ ଗୁଣରେ ଭରପୂର।

୧୬. ୬. ୧୮

No comments: