Thursday, 21 June 2018

*ଭାରତୀୟ ସାହିତ୍ୟ...-୨*

ଭାରତୀୟ ସଂସ୍କୃତିରେ ନାରୀ ହିଁ ମାତୃତ୍ୱର ପ୍ରତୀକ। ସ୍ତ୍ରୀ ଶବ୍ଦର ଉଚ୍ଚାରଣ ପ୍ରତି ଭାରତୀୟଙ୍କ ମନରେ ମାତୃତ୍ୱ ବୋଧ ବା ମାଆଙ୍କୁ ସ୍ମରଣ କରାଏ। ଆମର ଏଠି ପାଳନ କର୍ତ୍ତା ଈଶ୍ୱରଙ୍କୁ ମଧ୍ୟ ମାଆ ରୂପରେ ସମ୍ବୋଧନ କରାଯାଇଥାଏ। ଯଥା - ତୁମୈବ ମାତା ଚ ପିତା ତୁମୈବ ...। ପାଶ୍ଚାତ୍ୟ ସଭ୍ୟତାରେ ନାରୀ ବିଶେଷରେ ପତ୍ନୀ ରୂପରେ ସୁସ୍ପଷ୍ଟ। କିନ୍ତୁ ଆମ ଭାରତୀୟ ସଂସ୍କୃତିରେ ନାରୀ ମାତୃ କେନ୍ଦ୍ରିତ। ମନକୁ ଆସେ ମାଆଙ୍କ ଠାରୁ ଆଉ ଅଧିକା କିଛି ପବିତ୍ରତମ ସ୍ଥାନ ବା ସମ୍ପର୍କ ନାହିଁ। ପରିବାରରେ ମାଆ ହିଁ ସମସ୍ତ କାର୍ଯ୍ୟର ଅଧିକାରିଣୀ ହୋଇଥିବା ସଙ୍ଗେ ସଙ୍ଗେ ପରିବାରକୁ ସଂସ୍କାର ପ୍ରଦାନକରି ଏକାଠି ରହିବାର ପ୍ରେରଣା ପ୍ରଦାନ କରିଥାନ୍ତି। ନିଜ ପିଲାମାନଙ୍କୁ ପରିବାରର ମହତ୍ତ୍ୱ ବୁଝାଇ ସୁସଙ୍ଗଠିତ କରାଇଥାନ୍ତି।

ବିଂଶ ଶତାବ୍ଦୀର ଆରମ୍ଭରେ ନାରୀ ବିଷୟକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ସାମନାକୁ ଆସିଛି। ଏହା ସତ୍ୟ ଯେ ବୈଦିକ କାଳରୁ ଆଜି ପର୍ଯ୍ୟନ୍ତ ସାହିତ୍ୟ ସୃଜନରେ ନାରୀ ଚରିତ୍ରର ଚିତ୍ରଣ ପୁରୁଷ ସହିତ ସମ ତାଳରେ ଚାଲିଛି। କୁଟୁମ୍ବରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ପରିବାର ମଧ୍ୟରେ ସେ ଅଧିକ ଶୋଷିତ ଓ ପ୍ରତାଡ଼ିତ ହେଉଥିବା ଦେଖାଯାଏ। ଆଜିକାଲି ନାରୀକୁ ଏକ ମନୁଷ୍ୟ ଭାବରେ ଗ୍ରହଣ ନ କରି ବରଂ ଏକ ଭୋଗ୍ୟ ବସ୍ତୁ ବିଚାର କରି ଏହାର ପ୍ରୟୋଗ, ଉପଯୋଗ ଏବଂ ଉପଭୋଗ କରାଯାଉଛି। ଏଭଳି ଏକ ସ୍ଥିତିରେ ମହାଭାରତରେ ଦ୍ରୋପଦୀଙ୍କୁ ଜୁଆ ଖେଳରେ ଏକ ବସ୍ତୁ ଭାବରେ ବାଜି ଲଗାଇ ଦିଆ ଯାଇଥିଲା। ସେଭଳି ଆଜିକାଲି ମଧ୍ୟ ନାରୀଙ୍କୁ ପୁରୁଷମାନେ କାଠ କଣ୍ଢେଇ ଭଳି ବ୍ୟବହାର କରୁଥିବାର ଅନେକ ପ୍ରସଙ୍ଗ ଦେଖିବାକୁ ମିଳୁଛି।  ସଂଘର୍ଷ ତାର କର୍ମ ହେଉଥିବା ବେଳେ ବିମର୍ଶ ତାର ଭାଗ୍ୟ ରୂପେ ଉଭା ହେଉଛି। ପୁରୁଷ ଦ୍ୱାରା ଅନୁଶାସିତ ସମାଜରେ ନାରୀକୁ ଏକ ଅବଳା ଦୁର୍ବଳା ଭାବରେ ଚିତ୍ରଣ କରାଯାଇ ନାରୀ ଚରିତ୍ରର ଦକ୍ଷତା ସ୍ୱାଭିମାନ ଓ ମୂଲ୍ୟବୋଧକୁ ଆଘାତ କରାଯାଉଛି। ଯାହାର ପରିବର୍ତ୍ତନ ଆଜିକା ନାରୀ ସମାଜ ଆବଶ୍ୟକ କରେ। ଯାହାକୁ ନେଇ ଆଜିକାଲି ସାହିତ୍ୟିକମାନେ ନାରୀ ଚରିତ୍ରକୁ ସଂଙ୍ଘର୍ଷମୁଖର କରିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିବାରେ ଅଧିକା ମନୋନିବେଶ କରିବାକୁ ଆରମ୍ଭ କଲେଣି।

କ୍ରମଶଃ...

୨୨. ୬. ୧୮

No comments: