ଆଉ ଏକ ଅବଧି ଲୋକ ଗୀତରେ ବରକୁ କନ୍ୟାର ସଖୀମାନେ ପଚାରୁଛନ୍ତି ଯେ ତୁମେ ଏତେ ଦିନ ହେଲା ଅଭିଆଡ଼ି କାହିଁକି ରହିଥିଲ ? ବର ଉତ୍ତର ଦେଉଛି ଯେ, ମୋ ବାପା, ବୁଢ଼ାବାପା, ଦାଦା, ବଡ଼ବାପା, ଭାଇ ସମସ୍ତେ କାମ କରିବା ପାଇଁ ବାହାରକୁ ଯାଇ ଥିଲେ। ଏଥିପାଇଁ ସେମାନଙ୍କ ଅପେକ୍ଷାରେ ମୋ ବାହାଘର ଅଟକି ଯାଇଥିଲା। ଏବେ ସମସ୍ତେ ଆସିଯିବାରୁ ମୋ ବାହାଘର ହେଉଛି। ଅବଧି ଲୋକ ଗୀତରେ କୁଟୁମ୍ବର ପ୍ରତିଟି ସମ୍ପର୍କକୁ ଦର୍ଶାଇ ଘରର ବୋହୁଟିଏ ଗୀତ ଗାଇ କହୁଛି -
"କେକର କରୋ ଆଦର ମାନତ
ଅପନେ ଶ୍ୱଶୁର ବିନା।
କେକର ମିଜୌ ପାୱତ
ଅପନି ଶାଶୁ ବିନା।
କେକର ରହିୟା ବଚାୱତ
ଅପନେ ଭଶୁର ବିନା।
କେସେ ଶିଖଉ ଶୃଙ୍ଗାରତ
ଅପନୀ ଜେଠାନୀ ବିନା।
କେଙ୍କା ଶିଖାଉ ରାମ-ରଶୋଇତ
ଅପନୀ ଦେବରାଣୀ ବିନା।
କେସେ ଝଗରୁଁ ବାଁହ ପସାରିତ
ଅପନୀ ନନଦ ବିନା।
କେସେ କହୋ ଜିଉ କୈ ହବାଳିତ
ଲହୁରେ ଦେବର ବିନା।"
ଶ୍ୱଶୁରଙ୍କ ବିନା ଆଉ କାହାକୁ ମୁଁ ଭକ୍ତି ସମ୍ମାନ କରିବି ?
ଶାଶୁ ବିନା ଆଉ କାହାର ବା ମୁଁ ସେବା କରିବି ?
ଦେଢ଼ଶୁର ବିନା ମୁଁ ଆଉ କାହା ଛାଇକୁ ବଞ୍ଚାଇ ଚାଲିବି ?
ବଡ଼ ଯା ବିନା ମୁଁ ଆଉ କାହାଠୁ ସାଜ ସଜା ଶିଖିବି ?
ସାନ ଯା ଛଡ଼ା ମୁଁ ଆଉ କାହାକୁ ରୋଷାଇ ଶିଖାଇବି ?
ନଣଦ ଛଡ଼ା ଆଉ କାହା ସହ ମୁଁ ଝଗଡ଼ା କରିବି ?
ଦିଅର ଛଡ଼ା ଆଉ କାହା ଆଗରେ ମୋ ମନର ଦୁଃଖକୁ କହିବି ?
କ୍ରମଶଃ....
୭. ୬. ୧୮

No comments:
Post a Comment