Thursday, 21 June 2018

*ଭାରତୀୟ ସାହିତ୍ୟ ଏବଂ କୁଟୁମ୍ବ - ୧*

ସାହିତ୍ୟ ମାନବ ଜାତିର ଶ୍ରେଷ୍ଠ ତଥା ସୁନ୍ଦର ବିଚାର ଗୁଡ଼ିକର ଏକ ସମାହାର। ଯେଉଁଥିରେ ବାହ୍ୟ ସୌନ୍ଦର୍ଯ୍ୟ ଓ ଅନ୍ତଃ ସୁଗନ୍ଧ ମନପ୍ରାଣକୁ ହରଣ କରି ନେଲା ଭଳି କ୍ଷମତା ରହିଛି। ଏଣୁ ବୋଧେ ସାହିତ୍ୟର ପାଠକମାନେ ଅଧ୍ୟୟନ କଲାବେଳେ ନିଜକୁ  ଭୁଲିଯାଇଥାନ୍ତି। କୌଣସି ଜାତିର ମହନୀୟତା ସେମାନଙ୍କ ଦ୍ବାରା ରଚିତ ସାହିତ୍ୟରୁ ହିଁ ଅନୁଭବ କରିହୁଏ। ଯେଉଁଥିରେ ଭରି ରହିଥାଏ ତାଙ୍କ ବିଚାର, କଳ୍ପନା ଆଉ ପ୍ରଗତିର ବିଭିନ୍ନ ଦିଗ। ଏଣୁ କୌଣସି ଜାତି ବା ରାଷ୍ଟ୍ରର ଉତ୍ଥାନ କରିବାକୁ ହେଲେ ସେହି ଜାତି ବା ରାଷ୍ଟ୍ରର ସାହିତ୍ୟର ବିକାଶ ତଥା ଉତ୍ଥାନ ହେବା ଆବଶ୍ୟକ।

ସାହିତ୍ୟ ସଭ୍ୟତାର ଦ୍ୟୋତକ। ସାହିତ୍ୟରେ ଦେଶର ସଂସ୍କୃତି ସମାହିତ ରହିଥାଏ। ସାହିତ୍ୟରେ ସମୟ ବା କାଳଖଣ୍ଡର ବିଶେଷତ୍ୱ ଦେଖିବାକୁ ମିଳେ। କୌଣସି ଦେଶର ଉନ୍ନତି ଓ ତାହାର ଗୌରବ ସେହି ଦେଶର ସାହିତ୍ୟିକ ଏବଂ ରଚିତ ସାହିତ୍ୟ ଉପରେ ନିର୍ଭରଶୀଳ। ଦେଶର ସଂସ୍କୃତି, ସଭ୍ୟତା ଓ ଚଳଣୀ ଦର୍ପଣ ଭଳି ସାହିତ୍ୟ ମାଧ୍ୟମରେ ପ୍ରତିବିମ୍ବିତ ହୋଇଥାଏ। କୌଣସି ଦେଶର ସାହିତ୍ୟିକ ପରମ୍ପରା ସେ ଦେଶର ଯୁବପିଢ଼ିମାନଙ୍କ ପାଇଁ ଏକ ସର୍ବ ଶ୍ରେଷ୍ଠ ଉପହାର କହିବା ଅତ୍ୟୁକ୍ତି ନୁହଁ। ବିଶେଷରେ ରୀତିନୀତି, ଆଚାର, ବ୍ୟବହାର, ବେଶଭୁଷା, ଚାଲିଚଳନ, ଖାଦ୍ୟପେୟ ଇତ୍ୟାଦିକୁ ନେଇ ଆମ ସାହିତ୍ୟ ସମୃଦ୍ଧ। ସମାଜିକ ସ୍ଥିତି ତଥା ତାହାର ବିକାଶକୁ ସୁସଙ୍ଗଠିତ କରିବାରେ ସାହିତ୍ୟିକମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲମର ମୁନରେ ଏତେ ଶକ୍ତି ଅଛି ଯେ ତାହ ସମାଜ ଓ ତାର ପରିବେଶକୁ ପରିବର୍ତ୍ତନ କରିଦେଇ ପରମାଣୁ ଯୁଦ୍ଧ ଭଳି ଭୟଙ୍କର ବିଭୀଷିକାରୁ ମଧ୍ୟ ଏ ବିଶ୍ବକୁ ରକ୍ଷା କରିଦେଇପାରେ।

ସାହିତ୍ୟ ଜନ ମାନସରେ ସଚେତନତା ସୃଷ୍ଟି କରିବା ସହ ମାନବୀୟ ମୂଲ୍ୟବୋଧର ବାହକ ରୂପେ କାର୍ଯ୍ୟ ସମ୍ପାଦନ କରିଥାଏ। ସମାଜରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା ସହ ଜନ ଜାଗରଣ ସୃଷ୍ଟି କରେ।

ଭାରତୀୟ ସାହିତ୍ୟରେ ପରିବାର ଓ କୁଟୁମ୍ବର ଅଵଧାରଣା ପ୍ରାଚୀନ କାଳରୁ ରହିଆସିଛି। ଆଈମା'ଙ୍କ କାହାଣୀ: ଅତିଭୌତିକ କଳ୍ପନା ମାଧ୍ୟମରେ ଅସତ୍ ଉପରେ ସତ୍ ର ବିଜୟ ଗାଥା କୋମଳମତି ଶିଶୁ ମାନସରେ ସଦାଚାରୀ ହେବାକୁ ପ୍ରେରଣା ଦିଏ। ସେଭଳି ପଞ୍ଚତନ୍ତ୍ର ଓ ଅନ୍ୟାନ୍ୟ ପ୍ରାଚୀନ କାହାଣୀମାନଙ୍କରୁ ସଭ୍ୟ ମଣିଷଟିଏ ହେବା ପାଇଁ ନୀତିଶିକ୍ଷା ମିଳି ଥାଏ।  ଆମ ଦେଶରେ କୁଟୁମ୍ବ ହିଁ ଥିଲା ବୈଦିକ ସମାଜର ଆଧାର। କୁଟୁମ୍ବକୁ ନେଇ ସମାଜ ଓ ସମାଜକୁ ନେଇ ରାଷ୍ଟ୍ର ନିର୍ମିତ ହୋଇଛି। ଭାରତୀୟ ସାଂସ୍କୃତିକ ସମାଜରେ କୁଟୁମ୍ବ ତଥା ପରିବାର ହେଉଛି ଏକ ଖଣ୍ଡ ବା ଏକକ। ଯାହା ଅଧୀନରେ ପରିବାର ସମ୍ବନ୍ଧୀୟ ସବୁ ଅନୁଶାସନର ସମ୍ପାଦନ ବ୍ୟବସ୍ଥା ଦେଖିବାକୁ ମିଳେ। ବିବାହାଦି ସଂସ୍କାର ଓ ଅନ୍ୟ ସମସ୍ତ ସୁଶୃଙ୍ଖଳିତ ଆଚାର ବ୍ୟବସ୍ଥା ଆମ ଭାରତରେ ବୈଦିକ କାଳରୁ ଚଳି ଆସିଛି। ଯେଉଁଥିରେ ବିବାହ ଜନ୍ମଜନ୍ମାନ୍ତରର ଏକ ପବିତ୍ର ଓ ସ୍ଥାୟୀ ସମ୍ବନ୍ଧ ଭାବରେ ଗ୍ରହଣ କରାଯାଇଛି।

କ୍ରମଶଃ...

୨୧. ୬. ୧୮

No comments: