Wednesday, 6 June 2018

*ଅବଧି ଲୋକ ସାହିତ୍ୟରେ...- ୩*

ଏହିପରି ଆଉ ଏକ ଅବଧି ଲୋକଗୀତରେ ବର୍ଣ୍ଣନା ରହିଛି ଯେ ଗରିବ ଭାଇଟିଏ ଚିରା ଧୋତି ପିନ୍ଧି ଭଉଣୀକୁ ଦେଖିବାକୁ ଆସିଛି। କିନ୍ତୁ ଭଉଣୀ ଭାବିଛି ଯେ, ତା'ର ଏ ଗରିବ ଭାଇକୁ ଦେଖି କେହି କାଳେ ତାକୁ ଅପମାନ କରିଦେବ ଏଣୁ ସେ ଘରର ଦୁଆର ବନ୍ଦ କରି ଦେଇଛି ଆଉ ଭାଇକୁ ନେଇ ତାଙ୍କ ଗୁହାଳ ଘରେ ରଖାଇଛି। ତାକୁ ନିଜ ହାତରେ ଖାଇବାକୁ ନ ଦେଇ ଦାସୀ, ପୋଇଲି, ପରିଚାରୀ ହାତରେ ଖାଦ୍ୟ ପରଷିଛି।  ଏହା ଦେଖି ଭାଇର ମନ କ୍ଷୋଭରେ ଭରି ଯାଇଛି। ଦାସୀ ହାତରେ ଗରିବ ଭାଇ ବୋଲି ପଠାଇଥିବା ଖାଦ୍ୟକୁ ସେ ନିଜେ ନ ଖାଇ ଦୁଃଖରେ ନାଳକୁ ଫୋପାଡ଼ି ଦେଇଛି।

ପରେ ଭଉଣୀ ଦେଖିଛି ଗରିବ ଦୁଃଖୀ ଭାଇର ଆତ୍ମାଭିମାନରୁ ନାଳରେ ପଡ଼ିଥିବା ଖାଦ୍ୟ ସବୁ ହୀରା, ମୋତୀ, ନୀଳା ହୋଇ ଝଟକୁଛି। ଏହା ଦେଖି ଭଉଣୀ ନିଜ ଗରିବ ଭାଇକୁ ହତାଦର କରିଥିବା ଭୁଲକୁ ଅନୁଭବ କରି ଦୁଃଖ କରିଛି।

ଅବଧି ସାହିତ୍ୟରେ ଏହି ପ୍ରସଙ୍ଗର ଉତ୍ତରଣ କବି ମାନସକୁ ଦୋହଲାଇ ଆବୃତି ହୋଇଛି -

"ଫଟହି ଧୋତିୟା ବିରନ ଭଇୟା,
ବହିନୀ କେ ଦେଶ ଗୟେ,
ବହିନୀ ହନି ଲିହୀ ବଜର କେଵରିୟା,
ବୋଲାୟେ ନାହିଁ ବୋଲେ।"

ଏ ଥିଲା ଭାଇ ଭଉଣୀ ମଧ୍ୟରେ ନିଃସ୍ୱାର୍ଥ ପ୍ରେମର ଗୋଟିଏ କାହାଣୀ।  ଏଭଳି ଅନେକ ଗୀତ, କଥା ଓ କାହାଣୀ କେବଳ ଅବଧି ସାହିତ୍ୟରେ କାହିଁକି ଭାରତୀୟ ଲୋକ ଗୀତ ଓ କାହାଣୀର ଅସଂଖ୍ୟ ପୃଷ୍ଠାରେ ଭରି ରହିଛି।  କୁଟୁମ୍ବରେ ଭାଇ ଭଉଣୀ ସମ୍ପର୍କର ଅନ୍ୟ ଏକ ପ୍ରତୀକ ଉଲ୍ଲେଖ କରିବାକୁ ଯାଇ ଅବଧି ସାହିତ୍ୟ କହିଛି -

ଥରେ ଭଉଣୀର ଶାଶୁ ଘରେ ଏକ ବିବାହ ଉତ୍ସବ ଆୟୋଜନ ହେବାରେ ଲାଗିଛି। ଭଉଣୀଟି ତାର ବିଗତ ଦିନରେ ଭାଇ ସହ କଳି ମନ୍ଦ ଯୋଗୁ ସେହି ବିବାହ ଉତ୍ସବକୁ ଭାଇକୁ ନିମନ୍ତ୍ରଣ କରିବାକୁ ଚାହିଁ ନାହିଁ। କିନ୍ତୁ ବିବାହ ଉତ୍ସବ ଚାଲିଥିବା ବେଳେ ଯେତେ ସବୁ ନିମନ୍ତ୍ରିତ ଜ୍ଞାତି, କୁଟୁମ୍ବ, ଅତିଥି ଅଭ୍ୟାଗତ ଆସି ଘରେ ପହଞ୍ଚି ଯାଉଛନ୍ତି ସେଠାରେ ନିଜ ଭାଇକୁ ନ ଦେଖି ଭଉଣୀର ମନ ଦୁଃଖରେ ଛଟପଟ ହେଇଯାଇଛି। ସେ ସବୁ କଥା ଭୁଲି ଜଣେ ଲୋକ ହାତରେ ଆଉ ଥରେ ନିମନ୍ତ୍ରଣ ପଠାଇ ଦେଇଛି ଭାଇ ପାଖକୁ। ସେତିକିବେଳେ ଭାଇ ତାର ଭଉଣୀର ଡାକରାକୁ ଅପେକ୍ଷା ନ କରି ବୋଧେ ଆସି ପହଞ୍ଚି ଯାଇଛି ଭଉଣୀର ଦୁଆରରେ। ଅବଧିର କବି ତାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି -

"ଅର୍ଗନ ନୌତ୍ୟ ମେ ପରଗନ,
ସାତୌ ନାନି ଆଉର।
ଏକ ନହିଁ ନୌତ୍ୟ ବୀରନ ଭଇୟା,
ଜିନସେ ମେ ରୁଠଲି...
ଶାଶୁ ଭେଟେଇ ଆପନ ବିରନା
ନନଦ ଆପନ ଦେବର
ମୋରୀ ବଜର କୀ ଛତିୟା ନ ଫାଟେଇ,
ମେ କେହି ଉଠି ଭେଣ୍ଟଉ..."

କେତେ ଦରଦୀ ଅନୁଭବର ଭାଷା ରହିଛି ଦେଖନ୍ତୁ ଏହି କବିତା ପଙ୍କ୍ତିରେ -

ସେଥିରେ ଲେଖା ଅଛି ଯେତେବେଳେ ଘର ଲୋକେ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ସେତେବେଳେ ଭଉଣୀ ରାଗିକି କହିଛି, "ତୁମେ ବିବାହ ଉତ୍ସବକୁ ଜ୍ଞାତି, କୁଟୁମ୍ବ, ବନ୍ଧୁ, ବାନ୍ଧବ ସମସ୍ତଙ୍କୁ ଡାକ କିନ୍ତୁ ମନେରଖ, ଭାଇ ଯେମିତି ଏଠିକି ଆସିବ ନାହିଁ କିମ୍ବା ତାକୁ ତୁମେ ଡାକିବ ନାହିଁ। ଠିକ ସେଭଳି ନିମନ୍ତ୍ରଣ ଦେବା କାର୍ଯ୍ୟ ସରିଲା। ବାହାଘର ଦିନ ବନ୍ଧୁ ବାନ୍ଧବ ସମସ୍ତେ ଘରେ ପହଞ୍ଚିଲେ। ଶାଶୁ ତାଙ୍କ ଭାଇଙ୍କ ସହ କଥା ହେଲେ,  ନଣଦ ତାଙ୍କ ଭାଇ(ଦିଅର) ସହ କଥା ହେଲେ।
ଏ ସବୁ ଦେଖି ଭଉଣୀର ମନ ବିଳାପ କରିଛି ନିଜ ଭାଇର ଅନୁପସ୍ଥିତିକୁ। ସେ ଦୁଃଖରେ ଭାଇ ପାଇଁ ବିଳାପ କରି କହୁଛି ମୋର ଏଇ ପଥର ଛାତି କାହିଁକି ଫାଟି ଯାଉ ନାହିଁ, ମୁଁ କାହାକୁ କିପରି ଭେଟିବି ? ଏତିକିବେଳେ ସେ ଖବର ପାଉଛି ଆଗେ ଆଗେ ଘିଅ କଳସୀ ଆସୁଛି, ଗାଢ଼ ହଳଦିଆ ରଙ୍ଗର ଶାଢ଼ୀ ଆସୁଛି। ପାଲିଙ୍କିରେ ଭାଉଜ ଆସୁଛନ୍ତି ଓ ନୀଳ ଘୋଡ଼ା ଚଢ଼ି ଭାଇ ଆସୁଛି। ସେ ଯାଇ ଶାଶୁଙ୍କୁ କହୁଛି ଜିନିଷପତ୍ର ସବୁ କୋଉଠି ରଖିବା ? କୋଉଠି ଭାଇ ରହିବେ, କୋଉଠି ଭାଉଜ ରହିବେ ? ବୋହୁ ଆଖିରେ ଲୁହ ଦେଖି ଶାଶୁ କହୁଛନ୍ତି, "ଆଜି ମଙ୍ଗନ ରାତି ଭାଇକୁ ଦେଖି ତୁ କାନ୍ଦୁଛୁ କାହିଁକି ? ଆଜି ତ ଖୁସିର ଦିନ। ବୋହୁ କହୁଛି ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ଭାଇକୁ ଦେଖି ମୋ ଆଖିରୁ ଆପେ ଆପେ ଲୁହ ଆସିଯାଉଛି। ମୁଁ ତାକୁ ରୋକି ପାରୁ ନାହିଁ।  ଭାଇ କହୁଛି, "ଭଉଣୀ, ତୁ ଏଇଆ ଭାବିକି ମୋତେ ଡାକିଲୁ ନାହିଁ ଯେ ମୁଁ ଗରିବ ଓ ଦୁଃଖରେ ଜୀବନ କାଟୁଛି। କିନ୍ତୁ ଦେଖ, ମୁଁ ଆମ ଘରର କଂସା ବିକିଦେଇ ତୁମ ଘର ବିବାହ ଉତ୍ସବ ପାଇଁ ବ୍ୟବହାର ନେଇ ଆସିଛି।"
ଭାଉଜ କହୁଛି, "ତୁମେ ଏଥିପାଇଁ ମୋତେ ଡାକିଲ ନାହିଁ ଯେ ମୁଁ ବି ଗରିବ ଓ ଦୁଖୀ, କିନ୍ତୁ ଦେଖ, ମୁଁ ମୋର ନାକ ଫୁଲକୁ ବିକି ବ୍ୟବହାର ନେଇ ଆସିଛି।

ଏଇଭଳି ଲୋକ ସାହିତ୍ୟରେ କୁଟୁମ୍ବ ଭାବର ଵର୍ଣ୍ଣନା ଏତେ ମାର୍ମିକ ଯେ ପଢ଼ିଲା ବେଳେ ମନ ଆଉ ଆଖିରେ ଲୋତକ ଭରିଯାଏ।

କ୍ରମଶଃ....

୬. ୬. ୧୮

No comments: