Saturday, 9 June 2018

*ଅବଧି ଲୋକ ସାହିତ୍ୟରେ...- ୬*

ନାରୀମାନଙ୍କ ସମ୍ବନ୍ଧରେ ଏବେ ଅନେକ ପ୍ରକାର ଚିନ୍ତନ ମନନ ଓ ଲେଖନ ହେଉଛି। କନ୍ୟାର ପିତୃ ସମ୍ପତ୍ତି ଉପରେ ଅଧିକାର ଅଛି, ଏଥିପାଇଁ ମଧ୍ୟ ଆଇନ ତିଆରି ହୋଇଛି। କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ପାରିବାରିକ ସମ୍ବନ୍ଧରେ ଦୂରତ୍ୱ ସୃଷ୍ଟି କରିଛି। ଏହା ଭିତରେ ଆମେ ଯଦି ଆମ ବ୍ରତ, ପର୍ବ ପର୍ବାଣୀ, ଉତ୍ସବର ଲୋକ ଗୀତ, ଲୋକ କଥା, ଚିତ୍ର ଆଦିକୁ ଧ୍ୟାନ ଦେବା ତେବେ ସେଥିରେ ଆମ ପାରିବାରିକ ସମ୍ବନ୍ଧର ଗଭୀରତାକୁ ଅନୁଭଵ କରି ପାରିବା। ଏପରି କିଛି ବ୍ରତ, ପର୍ବ ପର୍ବାଣୀ ଅଛି ଯେଉଁଥିରେ କି ଭାଇ ଓ ଭଉଣୀ ଏକାଠି ମିଶି ପାଳନ କରନ୍ତି।  ଶ୍ରାବଣ ମାସରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣୀ ଝିଅମାନେ ବାପ ଘରେ ଆସି ପାଳନ କରିଥାନ୍ତି।

ପର କୁଟୁମ୍ବରେ ବିବାହ କରିଥିବା ଝିଅମାନେ  ନିଜ ବାପା ଓ ଭାଇଙ୍କ ସହ ଥିବା ସମ୍ବନ୍ଧ ସେମିତି ଅତୁଟ ରହିଥାଉ ବୋଲି ଅବଧି ଲୋକ ଗୀତରେ ଅଧିକାଧିକ ବର୍ଣ୍ଣନା ରହିଛି।

ଜୈସେ ବବଇୟା ତୋରେ ହଥୱା କୀ ଛଡ଼ିୟା,
ବୈସେ ସୁଧି ରାଖ୍ୟା ହମାରୀ।
ଜୈସେ ବିରନ ତୋରେ ହାଥେ କୀ ରୁମଲିୟା,
ବୈସେ ସୁଧି ରାଖ୍ୟା ହମାରୀ।

ଆର୍ଥତ୍ ଝିଅ କହୁଛି,

"ବାପା ତୁମ ହାତରେ ଥିବା ବାଡ଼ିଟିକୁ ଯେମିତି ଭୁଲ ନାହିଁ ମୋତେ ସେମିତି ଭୁଲିବ ନାହିଁ।" 

ଭାଇ !  "ତୁମ ରୁମାଲକୁ ଯେମିତି ପାଖରେ ରଖ, ମୋଟେ ଭୁଲ ନାହିଁ, ସେମିତି ମୋତେ ମଧ୍ୟ ସବୁବେଳେ ମନରେ ରଖିଥିବ। ମୋଟେ ଭୁଲିବ ନାହିଁ।"

ଏହିପରି ନିମ୍ବ ଗଛ ନ କାଟିବା ପାଇଁ ଅନୁରୋଧ କରାଯାଏ। କାରଣ ନିମ୍ବ ଗଛ ହେଉଛି ଚଢ଼େଇଙ୍କ ଆଶ୍ରୟ ସ୍ଥଳ ଏବଂ ଏହା ସହିତ ଝିଅମାନଙ୍କୁ ଦୁଃଖ ନ ଦେବାର କଥା ମଧ୍ୟ କୁହାଯାଇଛି। କାରଣ ଝିଅମାନେ ଚଢ଼େଇ ପରି ଅନ୍ୟ ପରିବାରରେ ନିମ୍ବ ଗଛ ଭଳି ବସା ବାନ୍ଧି ଥାନ୍ତି।

ନିମିୟା କ ପେଡ଼ ଜିନି ୟେ ବାବା,
ନିମିୟା ଚିରୈୟା ବସେରା।
ବିଟିୟନ ଜିନ ଦୁଃଖ ଦିହ୍ୟା ୟେ ବାବା,
ବିଟିୟା ଚିରୈୟା କି ନାୟ।।

ଭାରତୀୟ ପରିବାରରେ ପରସ୍ପର ସମ୍ପର୍କ ଅତି ଗଭୀର। ଏଥିରେ ଥାଏ ପରସ୍ପର ମିଶିବାର ଆତୁରତା, ସ୍ନେହ ସମ୍ପର୍କର ମୋହ ଓ ସ୍ବର୍ଗୀୟ ସୁଖ। ଏଥିପାଇଁ  ନିଜକୁ ସମର୍ପିତ କରିଦେବାର ଭାବ ସ୍ୱତଃ ଆସିଯାଇ ଥାଏ।

କ୍ରମଶଃ...

୯. ୬. ୧୮

No comments: