ଲୋକଗୀତରେ ପୂରା ଘରର ଅଵଧାରଣା ଅଗଣା, ଦୁଆର, ଗାଡ଼ିଆ ଓ ଆମ୍ବ ବଗିଚାକୁ ନେଇ ସମ୍ପୂର୍ଣ୍ଣ ହୋଇଥାଏ। ସେହିପରି ଘରର ପୂରା ପାରିବାରିକତା ମଧ୍ୟ ପୁତ୍ର, ପୁତ୍ରବଧୁ, ପୁତ୍ରୀ, ଜ୍ୱାଇଁ, ମାଆ-ବାପା, ଜୀବନ ଚକ୍ରର ସହଚର, ଋତୁ ଚକ୍ରର ସନ୍ଦେଶ ବାହକ - ଏ ସବୁକୁ ନେଇ ପୂରା ହୋଇ ଥାଏ।
ଅଗଣା, ଦୁଆର, ଗାଡ଼ିଆ ଓ ଆମ୍ବ ବଗିଚା କାହା ଦ୍ୱାରା ଶୋଭା ବର୍ଦ୍ଧନ କରେ ଓ କାହା ଦ୍ୱାରା ଶୁଖିଲା ଦିଶେ ଏହା ମଧ୍ୟ ଏକ ଅବଧି ବିବାହ ଗୀତରେ ବୋଲା ଯାଇଛି -
କାହେ ବିନୁ ଶୁନ୍ ଅଙ୍ଗନୱ ୟେ ବାବା,
କାହେ ବିନ ଶୁନ୍ ଲଖରାୱ ରେ।
କାହେ ବିନୁ ଶୁନ୍ ପୋଖରୱା ୟେ ବାବା,
କାହେ ବିନ ଶୁନ୍ ଦୁୱାର୍ ରେ।।
ବେଟୀ ବିନୁ ଶୁନ୍ ଅଙ୍ଗନୱା ୟେ ବାବା,
କୋୟଲରି ବିନୁ ଶୁନ୍ ଲଖରାୱ।
ହଂସ ବିନୁ ଶୁନ୍ ପୋଖରୱା ୟେ ବାବା,
ପୁତ ବିନୁ ଶୁନ୍ ଦୁୱାର୍।।
ଅର୍ଥାତ୍ ଝିଅ ବିନା ଅଗଣା ଖାଲି ଖାଲି ଲାଗୁଛି, କୋଇଲି ବିନା ଆମ୍ବ ତୋଟା ଖାଲି ଖାଲି ଲାଗୁଚି। ସେହିପରି ହଂସ ବିନା ପୋଖରୀ ଓ ପୁତ୍ର ବିନା ଦୁଆର ଖାଲି ଖାଲି ଲାଗୁଛି।
ଏହି ଲମ୍ବା ଗୀତରେ କଣ ଦେଇ କାହାକୁ ସନ୍ତୁଷ୍ଟ କରାଯାଏ ତାହା ମଧ୍ୟ ଉଲ୍ଲେଖ ଅଛି। ଏଥିରେ ହଂସକୁ ଜ୍ୱାଇଁର ପ୍ରତୀକ ନିଆଯିବା ସହ ତାକୁ ଝିଅ ଦେଇ ପ୍ରସନ୍ନ କରାଯାଇଛି। ଲୋକ ଗୀତରେ କୁଟୁମ୍ବ ଲୋକ କଳା। ଯେଉଁଥିରେ ବଂଶ ପରିବାରର ଅମରତ୍ୱ ଭାବ ଥାଏ। ଏହି କୁଟୁମ୍ବରେ ସମ୍ପୂର୍ଣ୍ଣ ସୃଷ୍ଟି ସମାହିତ ହୋଇଛି। ଦେବୀ-ଦେବତା, ନକ୍ଷତ୍ର ମଣ୍ଡଳ, ମନୁଷ୍ୟ, ଯକ୍ଷ, ଗନ୍ଧର୍ବ, ଚର-ଅଚର, ପ୍ରକୃତିର ପରସ୍ପର ବନ୍ଧନ ହିଁ କୁଟୁମ୍ବ ତିଆରି କରେ।
ଲୋକ ସାହିତ୍ୟରେ ବିଛିନ୍ନତାବାଦର ସ୍ଥାନ ନାହିଁ। ସମସ୍ତଙ୍କ ସୁଖ ପାଇଁ ସମର୍ପଣ ଓ ସବୁକିଛି ସ୍ୱାହା କରିଦେବାର ଭାବ ଅଛି। ସେଠାରେ ଧନ-ସମ୍ପତ୍ତି ଠାରୁ ଅଧିକ ଥାଏ ପ୍ରେମର ମହତ୍ତ୍ୱ। ଯିଏ ସମ୍ପତ୍ତିକୁ ମହତ୍ତ୍ୱ ଦିଏ ତାହାର ନିନ୍ଦା ହୋଇଥାଏ। ଅବଧି ସାହିତ୍ୟରେ ଏଥିପାଇଁ ସୁନ୍ଦର ଉଦାହରଣ ରହିଛି।
ଭାଇର ପୁତ୍ର ହୋଇଛି ଶୁଣି ଦୁଇ ଭଉଣୀ ସୁଖୀ ଓ ଦୁଃଖୀ ଉପହାର ନେଇ ଭାଇ ପାଖରେ ପହଞ୍ଚିଛନ୍ତି।
ସୁଖୀକୁ ଆଦର କରାଯାଉଥିବା ବେଳେ ଦୁଃଖୀକୁ ଉପେକ୍ଷା କରାଯାଉଛି। ଗୀତଟି ଏହିପରି -
ସୁଖିୟା ଦୁଃଖିୟା ଦୁଇ ରେ ବହିନିୟା,
ଦୁନୌ ବଧାବ୍ ଲଇ ଆଇ
ଅହୋ ରାଜା ବୀରନ କେ।
ସୁଖୀୟା ତ ଲାୟୀ ଗୋଡ଼ହରା,
ଗୁଜହରା, ଦୁଃଖିୟା ହରିୟରୀ ଦୂବ,
ଅହୋ ରାଜା ବୀରନ କେ।
ସୁଖିୟା ତ ବୈଠି ଚଢ଼ିକେ ପଲଙ୍ଗ ପେ,
ଦୁଃଖୀୟା କବହିୟା କେ ଠାଢ଼ି,
ଅହୋ ରାଜା ବୀରନ କେ।
ସୁଖିୟା ତ ପାୟୀ ସେର ଭର ମୋତୀ,
ଦୁଃଖୀୟା ସେର ଭର କୋଦୋ,
ଅହୋ ରାଜା ବୀରନ କେ।
ସୁଖୀୟା ତ ଚଲି ମୁହଁ ବିଚକାୟ କେ,
ଦୁଃଖୀୟା ଅସୀସତ ଜାୟେ,
ଆହୋ ରାଜା ବୀରନ କେ।
ସୁଖୀୟା କେ ଲତନ ଖେତ ଉଜରି ଗଇ,
ଦୁଃଖୀୟା କେ କୋଦୋ ଝରେଇ ଲଗେ ମୋତୀ
ଅହୋ ରାଜା ବୀରନ କେ।
ସୁଖୀ ଓ ଦୁଃଖୀ ଦୁଇ ଭଉଣୀ ଭାଇର ପୁଅ ଜନ୍ମ ହୋଇଛି ଶୁଣି ଉପହାର ନେଇ ଭାଇ ଘରେ ପହଞ୍ଚିଛନ୍ତି। ସୁଖୀ ନେଇଛି ଝୁମ ଝୁମ ଶୁଭୁଥିବା ପାଦର ପାଉଁଜି ଦିଓଟି ସହ ନବ ବସ୍ତ୍ର, କିନ୍ତୁ ଦୁଃଖୀ ଆଣିଛି ହଳଦୀ ଚାଉଳରେ ମଖା ହୋଇଥିବା ଦୁବର ଶୁଭେଚ୍ଛା ମାତ୍ର। ସୁଖୀକୁ ମିଳିଛି ବସିବାକୁ ପଲଙ୍କ, ଦୁଃଖୀ ଛିଡ଼ା ହୋଇଛି ସେମିତି ଘର କଣରେ। ସୁଖୀକୁ ଶେରେ ମୋତୀ ମିଳିଛି, ଦୁଃଖୀକୁ ଶେରେ କୋଦୋ(ସୁଆଁ) । ସୁଖୀ ମୁହଁ ଛିଞ୍ଚାଡ଼ି ପଳାଉଛି, ଦୁଃଖୀ ଆଶୀର୍ବାଦରେ ଭାଇ ଓ ପୁତୁରାକୁ ପୋତି ପକାଉଛି। ସୁଖୀର ହାତୀ ଓ ଘୋଡ଼ା ଯେଉଁ ରାସ୍ତାରେ ଯାଉଛନ୍ତି ସେ ରାସ୍ତାରେ ପଡୁଥିବା ବାଡ଼ି ବଗିଚାର ଫସଲ ସବୁ ଦଳି ଚକଟି ନଷ୍ଟ ହୋଇଯାଉଥିବାବେଳେ ଦୁଃଖୀ ପିନ୍ଧିଥିବା ଚିରା ଲୁଗାକାନୀ ଗଣ୍ଠିରୁ ସୁଆଁ ସବୁ ରାସ୍ତାରେ ଗଳି ପଡୁଛି ଓ ସେଇ ଗଳିପଡ଼ିଥିବା ସୁଆଁର ଦାନାସବୁରୁ ଗଜୁରୀ ଯାଉଛି ମୋତୀ ଆଗାମୀ ୠତୁ ମାନଙ୍କରେ।
କ୍ରମଶଃ...
୫. ୬. ୧୮

No comments:
Post a Comment