Saturday, 2 June 2018

*ଭାରତୀୟ କୁଟୁମ୍ବଭାବ - ୧*

ଭାରତୀୟ ସଂସ୍କୃତି ଚିନ୍ତନରେ ତିନିଟି ମୌଳିକ ଆଧାର ହେଲା 'କ୍ରତୁ', 'କାମ',  ଓ 'ଋତ'।
କ୍ରତୁ : ଯାହାର ଅର୍ଥ ହେଲା ସମର୍ପଣ, ଆତ୍ମତ୍ୟାଗ ବା ଯଜ୍ଞ ଭାବନା।
କାମ : ଅର୍ଥାତ୍ ଇଚ୍ଛା, ଭୋଗ ବା ଆସ୍ଵାଦ।
ଋତ : ଅର୍ଥାତ୍ ସତ୍ୟ, ଶୀଳ ଓ ନୈତିକ ଆଚରଣର ମଙ୍ଗଳ ଅନୁଶାସନ।
ବାସ୍ତବରେ କ୍ରତୁ ଓ କାମ ପରସ୍ପର ବିରୋଧୀ ଅର୍ଥ ବହନ କରନ୍ତି। ପରନ୍ତୁ ପୂର୍ଣ୍ଣ ଜୀବନର ସାଧକ ପାଇଁ ଭାରତୀୟ ଜୀବନ ଦୃଷ୍ଟି 'ଋତ' ଦ୍ୱାରା ଉଭୟେ ପରସ୍ପରର ପୂରକ ହୋଇଯାନ୍ତି। ତ୍ୟାଗ, ଭୋଗ ଓ ସର୍ବାତ୍ମବୋଧର ସୁନ୍ଦର ସମନ୍ୱୟ ଓ ସନ୍ତୁଳନ ଭାରତୀୟ ପରିବାରରେ ଦେଖିବାକୁ ମିଳେ।

ଜନନୀ କୁଟୁମ୍ବର ମୂଳାଧାର। ସେ କେବଳ ମାତ୍ର ଜନ୍ମଦାତ୍ରୀ ନୁହନ୍ତି ବରଂ ଜଗତବ୍ୟାପୀ ସମସ୍ତ ସମ୍ବନ୍ଧର କେନ୍ଦ୍ର। ଭାରତୀୟ ଶାସ୍ତ୍ରରେ କ୍ଷମତାକୁ ଭାବ ଓ ଭାବକୁ କ୍ଷମତାରେ ପରିବର୍ତ୍ତିତ କରିଦେବାର ଅଦ୍ଭୁତ ପ୍ରତିଭା ରହିଛି। କ୍ଷମତା ରୂପେ ମାଆ ଜଣେ କାହାର ମାଆ ହେଲେ ମଧ୍ୟ ଭାବ ରୂପରେ ସେ ମହିୟସୀ ସମସ୍ତଙ୍କ ମାଆ ଓ ଜଗଜ୍ଜନନୀ ହୋଇଯାନ୍ତି। ଏହି ମାତୃଭାବ ହିଁ ଭୂମିରୂପର ଏକ ମହାନ  ଅବତାରଣା। ସେତେବେଳେ ଭାରତୀୟ ଋଷି ଉଦଘୋଷ କରନ୍ତି -
"ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ।"
ମନୁଷ୍ୟ, ପଶୁ, ପକ୍ଷୀ, ଜୀଵ, ଜନ୍ତୁ, ବୃକ୍ଷ, ଲତା, ନଦୀ, ପର୍ବତ ଅର୍ଥାତ୍ ପ୍ରକୃତିର ସମସ୍ତ ଜଡ଼ ଓ ଚେତନଶୀଳ ଅଵୟବକୁ ମଧ୍ୟ ଭୂମିରୂପର ପୃଥିବୀ ଜନ୍ମ ଦେଇଥାନ୍ତି। ତେଣୁ ସେ ହିଁ ସ୍ୱାଭାବିକ ଭାବେ ମାତୃ ସ୍ଥାନୀୟା।

ମହାପ୍ରଭୁ ବଲ୍ଲଭଚାର୍ଯ୍ୟଙ୍କ ସୁବୋଧିନୀ ଟୀକାରେ ବନ୍ଦନାର ପ୍ରଥମ ଶ୍ଳୋକରେ ଅଛି -

"ନମାମି ତ୍ଵଂ ହୃଦୟଶେଷେ ଲୀଳା କ୍ଷୀରାବ୍ଧି ଶାୟିନମ୍।
ଲକ୍ଷ୍ମୀ ସହସ୍ର ଲୀଳାଭିଃ ସେବ୍ୟମାନଂ କଳାନିଧିମ୍।।"

ଅର୍ଥାତ୍ ଜୀବନର ବିଶ୍ୱଲୀଳାର କ୍ଷୀରସାଗରରେ ହୃଦୟରୂପୀ ଶେଷଶଯ୍ୟାରେ ଶୟନ କରୁଥିବା ସୋମରୂପ ପୁରୁଷ ଶ୍ରୀକୃଷ୍ଣଙ୍କୁ ନମସ୍କାର ଯିଏ ସହସ୍ର ଲୀଳା ରଶ୍ମି ଦ୍ୱାରା ନିତ୍ୟ ସେବିତ।
ଏହି ବନ୍ଦନାରେ ଭାରତୀୟ କୁଟୁମ୍ବର ଭାବଚିତ୍ର ସ୍ପଷ୍ଟ ହୋଇଛି। ଏଠାରେ କ୍ଷୀରସାଗର ହେଉଛି ଦୃଶ୍ୟମାନ ଜଗତ। ହୃଦୟରୂପୀ ଶେଷଶଯ୍ୟା ହେଉଛି ଗୃହ-ମନ୍ଦିର। ଶୟନରତ ପୁରୁଷ ଅନନ୍ତ ଭୂମିକାରେ ଅବତୀର୍ଣ୍ଣ ଗୃହସ୍ୱାମୀ। ସହସ୍ର ଫଣାଯୁକ୍ତ ଶେଷନାଗ ହେଉଛନ୍ତି ତାଙ୍କର ସହସ୍ର ସହସ୍ର କାମନା, ଇଚ୍ଛା ତଥା ଲକ୍ଷ୍ମୀଙ୍କ ସାନ୍ନିଧ୍ୟ ପରମାତ୍ମବୋଧ ସହ ସଂଯୁକ୍ତ 'ଜ୍ୟୋତିଷାଂ ଜ୍ୟୋତିଃ' ବୁଦ୍ଧି ହୋଇଥାଏ।

ଏହି ଭାବଚିତ୍ର ଭୌତିକ ଭୋଗବାଦୀ ଚିନ୍ତନର ବିପରୀତ ଅଟେ। ଯାହା ଜାଗତିକ ସଂସାଧନକୁ ଭୋଗ ସାମଗ୍ରୀ, ଗୃହକୁ ନିବାସ ସ୍ଥାନ, ମନୁଷ୍ୟକୁ ଭୋଗ ଯନ୍ତ୍ର ତଥା ସହସ୍ରମୁଖୀ ଇଚ୍ଛାକୁ ଭୋଗ ପ୍ରେରକ ଭାବରେ ବ୍ୟବହାର କରି ଐଶ୍ୱରୀୟ କୁଟୁମ୍ବ ସତ୍ତାକୁ ହେୟ ମନରେ ଉପହାସ କରିଥାନ୍ତି।

କ୍ରମଶଃ...

୨. ୬. ୧୮

No comments: