Friday, 1 June 2018

*ବିସ୍ଥାପନ... - ୨*

ବିସ୍ଥାପିତ ହୋଇ ପର୍ବ ପର୍ବାଣୀଠାରୁ ଦୂରରେ ରହିଯାଇଥିବା ଜଣେ ଲେଖିକାଙ୍କ ଅଭିବ୍ୟକ୍ତି ହେଲା -
"ପନଦାନ କେ ରୋଟ ଲେକର ଭୈୟା ଆଏ ହେଁ....
ଆମେ ଜମ୍ମୁକୁ ଗଳାର ହାର କରି ବସି ରହିଛୁ। ଆଶା ଅଛି ସେ ହିଁ କିଛି ମାତ୍ରାରେ ସାହାରା ଦେଇ ପାରିବ। କିନ୍ତୁ ନା, ଡାକୁ ଆସିଛି, ଆମକୁ ଘରୁ ବାହାର କରିଦେଇ ଆମର ସେହି ଅସ୍ଥାୟୀ ଅବ୍ୟବସ୍ଥିତ ଘରେ ପଶୁଛି। ଆମେ ଡରି ମରି ବାହାରେ ଠିଆହୋଇ ଦେଖୁଛୁ। ଡାକୁ ଚାଲି ଯିବା ପରେ ଆମେ ଘରେ ପ୍ରବେଶ କରିବୁ। କଣ ଅଛି ଯେ ଆମ ପାଖରେ ଡାକୁକୁ ସନ୍ତୁଷ୍ଟ କରିବ ? କାଶ୍ମୀର ଛାଡ଼ିବା ବେଳେ ଆମେ କଣ ବା ଘରୁ ଆଣିବାର ସୁଯୋଗ ପାଇଛୁ ଯେ ? ଜୀବନ ବିକଳେ ସୁରକ୍ଷିତ ସ୍ଥାନକୁ ଯିବା ଛଡ଼ା ଆମ ପାଖରେ ଆଉ କଣ ଚାରା ଥିଲା ? ଆମେ ନିଶ୍ଚିତ ଥିଲୁ ଡାକୁ ଥରେ ଏଇ ଘର ଅଣ୍ଡାଳି ଗଲା ପରେ ଆଉ ଆସିବ ନାହିଁ।

କ୍ଷମାର ଦୁଇଟି ଉପନ୍ୟାସ 'ଦର୍ଦପୁର' ଓ ନିକ୍କିତବିରେ ବର୍ଣ୍ଣିତ ଏକ କାଳ କୋଠରୀରେ ରହୁଥିବା ପରିବାରର କରୁଣ କାହାଣୀ ହୃଦୟକୁ ବିଦୀର୍ଣ୍ଣ କରିଦିଏ। 'ଗାଥା ସତିସର' ର ଲେଖିକା ଚନ୍ଦ୍ରକାନ୍ତାଙ୍କ କାହାଣୀଗୁଡ଼ିକ 'ପୋଶନୁଲ କି ୱାପସି', 'କାଳୀ-ବର୍ଫ', 'ଶରଣାଗତ-ଦିବାନେ' ଆଦି ରେ ମଧ୍ୟ ବିସ୍ଥାପିତ ପରିବାର କଥା ବର୍ଣ୍ଣିତ। ଡା. ସଂଜନା କୌଲ ମଧ୍ୟ ତାଙ୍କ 'କାଠ କୀ ମଛଲିଆଁ' ସଂଗ୍ରହରେ ଦେଇଥିବା କାହାଣୀଗୁଡ଼ିକରେ ଏହିସବୁ ପରିବାରର ଦୁଃଖ ତଥା ମାନସିକ ବିଷାଦର କଥା ବର୍ଣ୍ଣନା କରିଛନ୍ତି। 'ଯାତନା କକ୍ଷ' ତାଙ୍କର ଆଉ ଏକ କାହାଣୀ ଯେଉଁଥିରେ ରହିଛି ଏଇଭଳି ବେଘର କରି କିପରି ଏକ ସଂସ୍କୃତିକୁ ହତ୍ୟା କରାଯାଏ।

ତେଣୁ ଏହି ବିସ୍ଥାପନ କେବଳ ପରିବାରକୁ ନଷ୍ଟ ଭ୍ରଷ୍ଟ କରେ ନାହିଁ ବରଂ ସେହି ପୁରାତନ ସାଂସ୍କୃତିକ ଐତିହ, ଧାର୍ମିକ ଆସ୍ଥା କେନ୍ଦ୍ର, ପର୍ବ ପର୍ବାଣୀ ପାଳନ ଆଦି ପରମ୍ପରାରୁ ଦୂରେଇ ଦିଏ। ଏହି ଦୃଶ୍ୟ ସହିତ୍ୟିକଙ୍କୁ କଲମ ଚଳାଇବାକୁ ବାଧ୍ୟ କରିଥାଏ। ଗତ ୨୩ ବର୍ଷର ବିସ୍ଥାପିତଙ୍କୁ ନିକଟରୁ ଦେଖିଥିବା କିମ୍ବା ଦୂରରେ ଥାଇ ମଧ୍ୟ ତାଙ୍କ ପୀଡ଼ାକୁ ନିଜେ ହୃଦୟଙ୍ଗମ କରିଥିବା କିଛି ସାହିତ୍ୟିକଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ। ସେମାନେ ହେଲେ ଉପନ୍ୟାସକାର ଚନ୍ଦ୍ରକାନ୍ତା, ସଂଜନା କୌଲ, କ୍ଷମା କୌଲ, ହରିକୃଷ୍ଣ କୌଲ, ପ୍ରଫେସର ରତନଲାଲ 'ଶାନ୍ତ', ମୋହନଲାଲ 'ନିରାଶ',ପୃଥ୍ବୀନାଥ 'ମଧୁପ', ଡା. ଅଗ୍ନିଶେଖର, ମହାରାଜ କୃଷ୍ଣ 'ସନ୍ତୋଷି', ଡା. ଉପେନ୍ଦ୍ର ରୈଣା, ପଦ୍ମଶ୍ରୀ ମୋତିଲାଲ କ୍ୟମୁ ଆଦି। ଏମାନଙ୍କ ଛଡ଼ା ଆଉ କିଛି ସହିତ୍ୟିକ ଅଛନ୍ତି ଯେଉଁମାନେ ସ୍ୱୟଂ ବିସ୍ଥାପିତ ଜୀବନ ବିତାଉଛନ୍ତି।

ଅସ୍ତିତ୍ୱ ଓ ଅସ୍ମିତାର ଦ୍ଵିବିଧ ସଙ୍କଟ ସମୟରେ ଇତିହାସରେ ମିଳିଥିବା ନିଜ ପରିଚୟକୁ ସ୍ଥାୟୀ ରଖିବାର ଉପକ୍ରମ କରୁଥିବା ବେଳେ ସ୍ତ୍ରୀ, ପୁରୁଷ, ବନ୍ଧୁ ବାନ୍ଧବ ସମ୍ପର୍କ ଧୀରେ ଧୀରେ ବରଫ ଭଳି ଥଣ୍ଡା ପଡ଼ି ଯାଉଛି। କ୍ଷତ ବିକ୍ଷତ ହୃଦୟରେ ପରସ୍ପର ସୌହାର୍ଦ୍ଦ୍ୟ ହଜି ଯାଉଛି, ଆଶ୍ରୟ ସ୍ଥଳୀରେ କେଉଁଠି ଥିଲେ ମଧ୍ୟ ସାମାଜିକ ବିଶ୍ୱାସ ତୁଟିଯାଉଛି। ଅନେକ ପରିବାର ଅଲଗା ଅଲଗା ଦିଗରେ ଚାଲିଯାଇଛନ୍ତି। କିଏ କେଉଁଆଡ଼େ ଗଲେ କାହାକୁ କିଛି ଖବର ନାହିଁ। ପାଞ୍ଚ ପୁତ୍ର ପାଞ୍ଚ ଦିଗରେ ଚାଲିଯିବା ପରେ ଏଇ ବିଘଟନ ଭିତରେ ସବୁଠୁ ଯନ୍ତ୍ରଣା ଦାୟକ ଜୀବନ ବିତାଇଛନ୍ତି ବୃଦ୍ଧ ଓ ବୃଦ୍ଧାମାନେ। ତମ୍ବୁ ଭେଦ କରି କିମ୍ବା ରାସ୍ତା କଡ଼ରେ କାନ୍ଥ ବିହୀନ ସ୍ଥାନରେ ଲୁ ଖାଇ ମୃତ୍ୟୁକୁ ବରଣ କରିବା ଛଡ଼ା ସେମାନଙ୍କ ପାଖରେ ଆଉ କି ରାସ୍ତା ଥିଲା ?

'ବବୁଲ କେ ସାୟେ ମେ ମୋଗରା'  ପୁସ୍ତକର ପୃଷ୍ଠା ୨୧ରେ ପୃଥ୍ବୀନାଥ 'ମଧୁପ' ଲେଖିଛନ୍ତି -

"ଫିକ୍ର/ସଦା କେ ଲିୟେ କର୍ ଦିୟା ହୈ
ଇସେ ବିଦା
ମୈ ବିବି-ବଚ୍ଚେ/
ସବ୍ ଜୁଦା-ଜୁଦା
ଘର ?
ୱହ ତୋ ଗୟା ବିଖର
ଇସ ଉମ୍ର ମେ/ଉସକୀ ଜରୁରତ ଭୀ କ୍ୟା
ନିହାଲ ହୁଁ/ଉସକୀ ଗୋଲାମୀ ପର..."

ଏହିପରି ଅନେକ ଲେଖା ଏଇ ବିସ୍ଥାପନ ସାହିତ୍ୟରୁ ଆମକୁ ପଢ଼ିବାକୁ ମିଳିବ। ଦୁଃଖ ସହିବା ତ ଛାଡ଼ ୨୦୦୧ ଅକ୍ଟୋବର ମାସର କିଶୋର ସମାଚାରରେ ବାହାରି ଥିବା କବି ସାକୀଙ୍କ କିଶୋର କବିତା ପଢ଼ିଲେ ଆମ ଚେତନା ଆମକୁ ଧିକ୍କାର୍ କରିବ। ସେ କବିତାର ଭାବର୍ଥ ହେଉଛି -
"ସେ ମୋତେ ପଚାରୁଛି, "କେବେ ଆମେ ଘରକୁ ଯିବା ? ଦୁଇ ବର୍ଷ ହେଲା ଘର ଦୁଆର ମୁଁ ଲିପି ନାହିଁ। ଠାକୁର ଘର ଭିତରେ ଅନେକ ଧୂଳି ଜମି ଯାଇଥିବ। କାନ୍ଥ କୋଣରେ ବୁଢ଼ିଆଣି ବସା ବାନ୍ଧି ଦେଇଥିବେ। ବଗିଚାର କାନ୍ଥ ବର୍ଷାରେ ଭାଙ୍ଗି ଧୋଇଯାଇ ଥିବ। ଚଢ଼େଇମାନେ ଭୋକରେ ଆସି ଆମକୁ ଖୋଜୁଥିବେ। ଗୋରୁ ଗାଈମାନଙ୍କୁ ଚାରା କିଏ ଖୁଆଉଥିବ ? ମୋ ରହିବା ଘରର ଲୁଗାପଟା ସବୁ ମୂଷା କାଟିଦେଇଥିବେ। ମୁଁ କେବେ ମୋ ବୁଢ଼ୀମାଆକୁ ଏ କଥା ସାହସ କରି କହି ପାରିବି ନାହିଁ ଯେ ଆମ ଘରଟି ପାଉଁଶ ହୋଇଯାଇଛି।

ଲୁହାର ସ୍ୱାଦ ଲୁହା ବିକାଳୀ କାହୁଁ ଜାଣିବ
ଲୁହାର ସ୍ୱାଦ ଜାଣିବାର ଅଛି ତ
ପଚାର ସେହି ଘୋଡ଼ାକୁ
ଯାହା ମୁହଁରେ ଲୁହାର
ଲଗାମ ଲାଗିଛି...

ନୋଟିସ ପରେ ନୋଟିସ ଯିବା ପରେ ମଧ୍ୟ ସରକାରୀ ବଙ୍ଗଳା ଛାଡୁ ନ ଥିବା ଲୋକ କୁହନ୍ତି ଆମେ ପଛୁଆଙ୍କ ନେତା। ସେହିମାନେ କ'ଣ ବୁଝିବେ ଏଇ ବିସ୍ଥାପିତ ଜୀବନର କରୁଣ କାହାଣୀ ?

ତେବେ ଆଉ କିଏ ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ ? ଯଦି ଏ ପ୍ରଶ୍ନକୁ ଆମେ ଦୁର୍ଲକ୍ଷ୍ୟ କରିବା ତେବେ ଏଇ ପଛୁଆ ନେତାମାନେ ଆସନ୍ତା କାଲି ସେହି ନିର୍ବାସନର ଦୁଃଖ ଆମ ଉପରେ ନ ଲଦି ଦେବାର ଆଶ୍ୱାସନ ଆମ ପାଖରେ ଅଛି କି ?

ଭାରତରେ ଭାରତୀୟ କୁଟୁମ୍ବକୁ ଉଜାଡ଼ିଦେବାର ଏହା ଏକ ଷଡ଼ଯନ୍ତ୍ର ନୁହେଁ ତ ?

୧. ୬. ୧୮

No comments: