Thursday, 14 June 2018

*ସଂସ୍କୃତ ସାହିତ୍ୟରେ କୁଟୁମ୍ବ -୧*

ସଂସ୍କୃତରେ କୁଟୁମ୍ବ ଶବ୍ଦର ଅର୍ଥ ଗୃହସ୍ଥର ସଂସାର ଅବା ପରିବାର। ଶାନ୍ତିମୟ ଜୀବନ ନିର୍ବାହ ଯୋଗୁଁ  କୌଟୁମ୍ବିକ ଜୀବନ ସୁଖୀ। କୁଟୁମ୍ବର ପରିସୀମା ସମଗ୍ର ବସୁଧାକୁ ପ୍ରସାରିତ କରାଯାଇ ବସୁଧୈବ କୁଟୁମ୍ବକମ୍ ର ବୈଦିକ ବିଚାରକୁ ମାନ୍ୟତା ଦିଆଯାଇଛି। ବୈଦିକ ଯୁଗରେ କୁଟୁମ୍ବରେ ମାଆ, ବାପା, ଭାଇ, ଭଉଣୀ, ପୁଅ, ଝିଅ ତଥା ବୋହୁ ଆଦି ସଦସ୍ୟ ଥାଆନ୍ତି।  ଏମାନଙ୍କ ମଧ୍ୟରେ ବାପା ତଥା ବୟୋଜ୍ୟେଷ୍ଠଙ୍କୁ କୁଟୁମ୍ବର ମୁଖିଆ ଅବା କର୍ତ୍ତା କୁହାଯାଏ। ଭାରତୀୟ ସଂସ୍କୃତିରେ କୁଟୁମ୍ବ ହେଉଛି ଏକ ଉଚ୍ଚ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ସେତୁର ଶିଳା। ଅଥର୍ବ ବେଦରେ କୌଟୁମ୍ବିକ ସୌହାର୍ଦ୍ଦ୍ୟ ବିଷୟରେ ବର୍ଣ୍ଣନା ରହିଛି ଯେ ସହୃଦୟତା, ମନରେ ଶୁଭ ବିଚାରର ପ୍ରତିଷ୍ଠା, ପରସ୍ପର ଓ ପାରସ୍ପରିକ ପ୍ରେମ କୁଟୁମ୍ବର ସମସ୍ତ ସଦସ୍ୟମାନଙ୍କ ଠାରେ ରହିବା ଉଚିତ।  ଏହି ପ୍ରେମ ନିଷ୍କପଟପୂର୍ଣ୍ଣ ଛଳନାହୀନ ହେବା ବିଧେୟ। ଯେଭଳି ଗୋମାତାର ବାଛୁରୀ ପ୍ରତି ବାତ୍ସଲ୍ୟ ପ୍ରେମ ରହିଥାଏ। ଏଥିରେ କୁହାଯାଇଛି ପୁତ୍ର ମା-ବାପାଙ୍କ ପ୍ରତି, ପତ୍ନୀ ପତି ସହିତ ଏବଂ ଅନ୍ୟମାନେ ଅନ୍ୟମାନଙ୍କ ସହିତ ମଧୁର ଓ ଶାନ୍ତିପୂର୍ଣ୍ଣ ବ୍ୟବହାର କରନ୍ତୁ। ଭାଇ ଭାଇ ସହିତ ଓ ଭଉଣୀ ଭଉଣୀ ସହିତ କୌଣସି ପ୍ରକାର ଦ୍ଵେଷ ନ ଥାଇ ଏକାତ୍ମ ମନ ନେଇ ନିଜ ନିଜ କାର୍ଯ୍ୟରେ ସଂଲିପ୍ତ ରୁହନ୍ତୁ ଓ ସମସ୍ତ ସଦସ୍ୟ ମିଷ୍ଟଭାଷୀ ହୁଅନ୍ତୁ। କୁଟୁମ୍ବ ମଧ୍ୟରେ ସଦସ୍ୟମାନଙ୍କ ଠାରେ ଏପରି ଏକ ସମ୍ପର୍କ ପ୍ରତିଷ୍ଠା ହେଉ ଯଦ୍ୱାରା ଶତ୍ରୁତା ନ ବଢ଼ି ପାରସ୍ପରିକ ପ୍ରେମଭାଵ ବଢୁ। ବୃଦ୍ଧଙ୍କ ସମ୍ମାନ ହେଉ, ସମାଜରେ ଭଲ ତଥା ଉତ୍ତମ କାର୍ଯ୍ୟ ସମ୍ପାଦନା ପାଇଁ ଚେଷ୍ଟା କରୁଥିବା ଲୋକମାନେ ଏକାଠି ମିଶି କାମକୁ ସମ୍ପୂର୍ଣ୍ଣ କରନ୍ତୁ। ପରସ୍ପରର ବିରୋଧୀ ନ ହୋଇ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ ସହ ମିଳିମିଶି ଏ ସୃଷ୍ଟିକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ତତ୍କାଳୀନ ସମୟରେ କୌଟମ୍ବିକ ଆଦର୍ଶ ଉଚ୍ଚ ପ୍ରତିଷ୍ଠିତ ଥିଲା। ଏହାକୁ ସମର୍ଥନ କରି ହିତୋପଦେଶରେ କୁହାଯାଇଛି  --

ଅୟଂ ନିଜଃ ପରୋବେତି ଗଣନାଂ ଲଘୁଚେତସାମ୍
ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍।

ଅର୍ଥାତ୍ ଏହା ମୋର, ତାହା ତୁମର ଏପରି ଗଣନା କରିବା ସ୍ୱାର୍ଥନ୍ୱେଷୀ ସଂକୀର୍ଣ୍ଣ ମନର ପରିପ୍ରକାଶ କରୁଥିବା ବେଳେ ସମଗ୍ର ବସୁଧାକୁ କୁଟୁମ୍ବ ଜ୍ଞାନରେ ପରିଦୃଷ୍ଟ କରୁଥିବା ମନ ହିଁ ଉଦ୍ଦାତ୍ତ ଓ ଉଦାର ଚରିତ୍ରର ଏକ ସର୍ବୋତ୍ତମ ନିଦର୍ଶନ।

କ୍ରମଶଃ...

୧୪. ୬. ୧୮

No comments: