ଉଷା ପ୍ରିୟମ୍ବଦାଙ୍କ କାହାଣୀ "ୱାପସି" ରେ ଜଣେ ବୃଦ୍ଧ ବ୍ୟକ୍ତି ଗଦାଧର ବାବୁ ନିଜ ଚାକିରିରୁ ଅବସର ନେଇ ଘରକୁ ଫେରି ଆସିଛନ୍ତି ପିଲାମାନଙ୍କ ସହ ବାକିତକ ଜୀବନ ଆନନ୍ଦରେ କଟାଇବା ପାଇଁ। କିନ୍ତୁ କିଛି ଦିନ ପରେ ତାଙ୍କୁ ଅନୁଭଵ ହେଉଛି ଯେ ସେ ପିଲାମାନଙ୍କ ସ୍ୱାଧୀନତାର ବାଧକ ସାଜିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ତାଗିଦ କରି କହୁଛନ୍ତି ଯେ, ତୁମେ ଆଉ ପିଲାମାନଙ୍କ କାମରେ ହସ୍ତକ୍ଷେପ କର ନାହିଁ। ନିଜ ହାତରେ ତିଆରି କରିଥିବା ଘରେ ତାଙ୍କୁ ବଖରେ ଘର ମିଳୁ ନାହିଁ ଶାନ୍ତିରେ ଶୋଇବାପାଇଁ। ପ୍ରଥମେ ତାଙ୍କୁ ଦାଣ୍ଡ ଘରେ ରହିବାକୁ ପଡୁଛି। କିଛିଦିନ ପରେ ତାଙ୍କୁ ଭଣ୍ଡାର ଘରେ ବିଛଣା ପାରିବାକୁ ହେଉଛି। ପିଲାମାନଙ୍କ ସହ ଅବସର ସମୟ କାଟିବା ପାଇଁ ଫେରିଆସିଥିବା ଗଦାଧରଙ୍କୁ ଅନୁଭବ ହେଉଛି ସେ ନିଜ ଘରେ ଜଣେ ଅଦରକାରୀ ଅତିଥି ଜୀବନ ବିତାଉଛନ୍ତି। ଏଇ ଘରେ ତାଙ୍କର ଭୂମିକା ହୋଇଯାଇଛି ଜଣେ ପଇସା ରୋଜଗାର କରୁଥିବା ମେସିନ ମାତ୍ର। ତାଙ୍କୁ ଆଉ ଘରେ ରହିବାକୁ ଭଲ ଲାଗୁ ନାହିଁ। ସେ ଜଣେ ସେଠ ଘରକୁ ଯାଇ ପୁଣିଥରେ ଚାକିରୀ ଜୀବନ ଆଦରି ନେଉଛନ୍ତି। ଏ କାହାଣୀ ରେଖାଙ୍କିତ କରିଛି ଯେ ଜଣେ ବ୍ୟକ୍ତି ତାଙ୍କର ପୂରା ଜୀବନ ଏକଲା ରହି ପିଲାମାନଙ୍କ ପାଇଁ ସବୁ ସ୍ୱାହା କରିଦେଇଥିବା ବେଳେ, ଯେତେବେଳେ ସେ ଅବସର ନେଇ ନିଜର ପରିବାର ଗହଣରେ ପାରିବାରିକ ମମତ୍ତ୍ୱବୋଧ ସହ ଜୀବନର ଆନନ୍ଦ ନେବାକୁ ଫେରି ଆସିଛନ୍ତି ସେତେବେଳେ ତାଙ୍କୁ କେବଳ ଉପେକ୍ଷା ମିଳିଛି। ଗଦାଧର ବାବୁ ହେଉଛନ୍ତି ସେଇ ବୟୋଜ୍ୟେଷ୍ଠଙ୍କ ପ୍ରତିନିଧି ଯେଉଁମାନେ କିଛି ନା କିଛି ଉପାୟରେ ଉପେକ୍ଷାର ପାତ୍ର ହୋଇଛନ୍ତି।
ମନୋବିଜ୍ଞାନ କୁହେ ଯେ ବୃଦ୍ଧ ବ୍ୟକ୍ତିଙ୍କର ଏକ ବଡ଼ ସମସ୍ୟା ହେଲା ଏକଲାପଣ। ନିଜ ଜୀବନ ସନ୍ଧ୍ୟାରେ ବଳ ବୟସ ସହଯୋଗୀ ହୁଏ ନାହିଁ। ତେଣୁ ବ୍ୟକ୍ତି ବୟସ୍କ ହେବା ସହ ଏକୁଟିଆ ଅନୁଭବ କରେ। ସେ ପରିବାରର ନୂତନ ପିଢ଼ି ସହ ହସ ଖୁସୀରେ ଦିନ କାଟିବାକୁ ଭଲ ପାଏ। କିନ୍ତୁ ସେତିକିବେଳେ ତାଙ୍କୁ ଉପେକ୍ଷା କରାଯାଇ ପୁଣି ତାଙ୍କୁ ସେହି ଏକାକୀ ରହିବାର ବ୍ୟଥିତ ଜୀବନ ବିତାଇବାକୁ ବାଧ୍ୟ କରି ଦିଆଯାଉଛି। ନିର୍ମଳ ବର୍ମାଙ୍କ କାହାଣୀ 'ସୁବହ କୀ ଶୈର୍' ରେ କର୍ନେଲ ନିହାଲଚନ୍ଦଙ୍କ ଆତ୍ମହତ୍ୟା, ତାଙ୍କର ଆଉ ଏକ କାହାଣୀ 'ବିଚ ବହସ ମେ' ରେ ପିତା ବେମାର ପଡ଼ିବା ପରେ ମାତା ପୁତ୍ରଙ୍କ ଚିନ୍ତା ସେ କିପରି ମୃତ୍ୟୁଲାଭ କରନ୍ତୁ, ରାଜେନ୍ଦ୍ର ଯାଦବଙ୍କ କାହାଣୀ 'ବିରାଦରୀ ବାହର' ରେ ଏକ ବଡ଼ ପରିବାର ଭିତରେ ଜଣେ ବୃଦ୍ଧଙ୍କୁ ଅବହେଳାର ଶିକାର ହେବା, ରବୀନ୍ଦ୍ର କାଲିୟାଙ୍କ କାହାଣୀ 'ବୁଢ଼ୱା ମଙ୍ଗଳ', ପଙ୍କଜ ମିତ୍ରଙ୍କ କାହାଣୀ 'ପଡ଼ତାଳ' ରେ ବୃଦ୍ଧ ଅପେକ୍ଷା ଟିଭିର ଅଧିକ ମହତ୍ତ୍ୱ କଥା ବର୍ଣ୍ଣିତ। ଭାରତରେ ପଚାଶ ପ୍ରତିଶତ ବୃଦ୍ଧ ଆଜି ଏପରି ଉପେକ୍ଷାର ଶିକାର ହେଉଛନ୍ତି। ଉଦୟ ପ୍ରକାଶଙ୍କ କାହାଣୀ 'ଛପନ ତୋଲେ କା କରଧନ' ରେ ସମ୍ପତ୍ତି ପାଇଁ ବୁଢ଼ୀର ଯତ୍ନ କଥା କୁହାଯାଇଛି। ଏହିପରି ଅନେକ କାହାଣୀ ସମ୍ପତ୍ତି ଓ ପେନସନକୁ ନେଇ ଲେଖାଯାଇଛି।
କ୍ରମଶଃ...
୧୯. ୬. ୧୮

No comments:
Post a Comment