ମହାଭାରତରେ ବିଦୁର କହିଛନ୍ତି, "ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ।" ଅର୍ଥାତ୍ ଯେଉଁ ସଭାରେ ବୃଦ୍ଧ ବ୍ୟକ୍ତି ନ ଥିବେ ସେହି ସଭାକୁ ସଭା କୁହାଯାଏ ନାହିଁ। ଏହା ସ୍ପଷ୍ଟ ଯେ, ବିଦୁର ଏଠାରେ ବୃଦ୍ଧ ବ୍ୟକ୍ତିଙ୍କ ମହତ୍ତ୍ୱକୁ ରେଖାଙ୍କିତ କରିଛନ୍ତି। ପରିବାର, ସମାଜ ଓ ରାଷ୍ଟ୍ରରେ ବୃଦ୍ଧ ବ୍ୟକ୍ତିଙ୍କ ମହତ୍ତ୍ୱକୁ ରେଖାଙ୍କିତ କରୁଥିବା ଅନେକ ଶ୍ଳୋକ ଓ ସୂକ୍ତି ଆମର ଗ୍ରନ୍ଥମାନଙ୍କରେ ରହିଛି। କିନ୍ତୁ ଦୁଃଖର କଥା ଆଜିକାଲି ଆମ ପରିବାରରେ ଓ ସମାଜରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଉପେକ୍ଷା କରାଯାଉଛି। ଆମ ଭାରତୀୟ ସଂସ୍କୃତି ବିଶେଷରେ ବ୍ୟକ୍ତି ବିଶେଷଙ୍କୁ କଲ୍ୟାଣପୂର୍ବକ କହିଥାନ୍ତି ମାତୃଦେବୋ ଭଵ, ପିତୃଦେବୋ ଭଵ, ଏଥିରେ ପରିବାର ତଥା ସମାଜର ସମସ୍ତ ବୃଦ୍ଧା ବୃଦ୍ଧଙ୍କୁ ପୂଜନ ଓ ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ବୃଦ୍ଧ ତଥା ବରିଷ୍ଠ ଜନ ମାନେ ବିଶେଷ ଅନୁଭୂତି ସମ୍ପନ୍ନ ହୋଇଥିବା ଯୋଗୁଁ ପରିବାରର ମୁଖ୍ୟ କାର୍ଣ୍ଣଧାରର ଭୂମିକା ତୁଲାଇ ଥାନ୍ତି। ଯେତେବେଳେ କିଛି ସମସ୍ୟା ଆସିଯାଏ ସେ ବେଳରେ ବୃଦ୍ଧଙ୍କ ପରାମର୍ଶ ସମାଧାନ ପାଇଁ ନିତାନ୍ତ ଭାବେ ଗ୍ରହଣ କରାଯାଇଥାଏ। ଆଜି କିନ୍ତୁ ଆଧୁନିକତା ନାମରେ ପାଶ୍ଚାତ୍ୟ ଢଙ୍ଗରେ ପରିଚାଳିତ ଆମ ଯୌଥ ପରିବାର ଗୁଡ଼ିକ ଭାଙ୍ଗି ଏକକ ଓ ଅଣୁ ପରିବାରର ସୃଷ୍ଟି କରୁଛି ଯାହା ଆମ ପରିବାରର ବୟୋଜ୍ୟେଷ୍ଠ ସମ୍ମାନସ୍ପଦ ପୂଜ୍ୟ ପିତା ପ୍ରପୀତାମହ ମାନଙ୍କୁ ଏକ ଅନାଲୋଚିତ ଅନାକାଂକ୍ଷିତ ଅବହେଳିତ ଜୀବନ ବୃଦ୍ଧାଶ୍ରମରେ କାଟିବାକୁ ବାଧ୍ୟ କରୁଛି। ସାମୂହିକତାର ସ୍ଥାନ ନେଇଛି ଆତ୍ମ କେନ୍ଦ୍ରିକତା। ଯେଉଁ ବୃଦ୍ଧ ବୃଦ୍ଧାମାନେ ଯୌଥ ପରିବାରର ଛାତ ଭଳି ଥିଲେ ତାଙ୍କୁ ଆଜି ବୋଝ ବୋଲି ବିଚାର କରାଯାଉଛି।
କ୍ରମଶଃ..
୧୭. ୬. ୧୮

No comments:
Post a Comment