Wednesday, 13 June 2018

*ଡ. କୃଷ୍ଣ ଚରାଟେଙ୍କ...*.

ପରିବାର ଭିତରେ ଥାଇ ପରିବାରର ପ୍ରତ୍ୟେକ ସଦସ୍ୟ ଓ ସମ୍ପର୍କୀୟଙ୍କ ସହ ହସ ଖୁସିରେ ଜୀବନ ବିତାଇଛନ୍ତି ଡ. କୃଷ୍ଣ ଚରାଟେ। କିନ୍ତୁ ଯେତେବେଳେ ସେ ଏହି ସମ୍ପର୍କ ଭିତରେ ଅନ୍ତର ଦେଖିଛନ୍ତି ସେତେବେଳେ ସେ ଏହାକୁ ନିଜ ବ୍ୟଙ୍ଗର ବିଷୟ ବସ୍ତୁ କରିଛନ୍ତି। 'ହିଟଲର' କାହାଣୀରେ ସେ ବାପ ଓ ପୁଅର ସମ୍ବନ୍ଧ କଥାବାର୍ତ୍ତା ନ କରିବା କାରଣରୁ କିପରି ବିଗିଡ଼ି ଯାଇଛି ତାର ବର୍ଣ୍ଣନା କରିଛନ୍ତି। ଗୋଟିଏ ପରିବାରରେ ଅନେକ ସମ୍ବନ୍ଧର ଲୋକ ରହୁଥିଲେ ମଧ୍ୟ ଆଜିକାଲି ସମୟ ଅଭାବରୁ ପରସ୍ପର ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି ଏବଂ ଏହି ଅବୁଝାମଣା କ୍ରମଶଃ  ପରସ୍ପର ସମ୍ପର୍କରେ ଦୂରତ୍ୱ ନିର୍ମାଣ କରୁଛି। ଏହି ବିଷୟକୁ ସେ 'ରାମ ଅଙ୍କଲ ସୀତା ଆଣ୍ଟି' ପ୍ରବନ୍ଧରେ ସଫଳଭାବେ ବର୍ଣ୍ଣନା କରିଛନ୍ତି।

ଦୁଇଟି ପରିବାରକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଜଣେ ମଧ୍ୟସ୍ଥି କେତେ ପ୍ରକାର ମିଥ୍ୟା କହିଛି ତାର ବ୍ୟଙ୍ଗ ସେ 'ପତ୍ଥର କୀ ଲକୀର' କାହାଣୀରେ କହିଛନ୍ତି। ଆଜିକାଲିକା ଚାକିରିର ସ୍ଥାନାନ୍ତର ସମସ୍ୟା ପତି ପତ୍ନୀ ସମ୍ପର୍କରେ କିଭଳି ଦୂରତା ଓ ସମସ୍ୟା ବଢ଼ାଇ ଦେଉଛି ତାର ବର୍ଣ୍ଣନା 'ନରକ କୀ ଶୈର' ପ୍ରବନ୍ଧରେ ସେ କରିଛନ୍ତି।

ଏକ ମଧ୍ୟମ ବର୍ଗୀୟ ପରିବାରର ଭରଣ ପୋଷଣ ପାଇଁ ଜଣେ ବ୍ୟକ୍ତି କିପରି ବାହାରେ ରହି ଜୀବିକା ଯୋଗାଡ଼ କରୁଛି ଓ ପରିବାର ପ୍ରତିପୋଷଣ ପାଇଁ ପ୍ରତିକ୍ଷଣ ଚିନ୍ତିତ ରହୁଛି, ଏହି ଉଦବିଗ୍ନ ସ୍ଥିତିକୁ ଲେଖକ ଚରାଟେ 'ସାତ ହବେଲିୟାନ ଔର ଛ ମକାନ' ରେ ଦର୍ଶାଇଛନ୍ତି। ଏଥିରେ ସେ ନିର୍ଧନତା, ଅଶିକ୍ଷା, ବେରୋଜଗାର, ଜନସଂଖ୍ୟା ଓ ଦରଦାମ ବୃଦ୍ଧି ଆଦି ପ୍ରମୁଖ ସମସ୍ୟାଭାବେ ଉଲ୍ଲେଖ କରିଛନ୍ତି। ତାଙ୍କ ରଚିତ 'ଗୃହସ୍ଥୀ କୀ ଏମର୍ଜେନସି' ରେ ସେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର କମ୍ ରୋଜଗାର ଓ ବହୁ ବ୍ୟୟରୁ ସୃଷ୍ଟ ଅସୁବିଧା ସବୁକୁ ଦର୍ଶାଇଛନ୍ତି। ତାଙ୍କରି ଅନ୍ୟ ଏକ ଲେଖା 'ମେହେମାନ'ରେ ଏଭଳି ଏକ ଅଭାବୀ ପରିବାରର ଅତିଥି ସତ୍କାରରେ ଅନୁଭୂତ ମାନସିକ ଚାପକୁ ସେ ବଡ଼ ରୋଚକ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି।

ସ୍ୱାର୍ଥକେନ୍ଦ୍ରିକ ସଂକୀର୍ଣ୍ଣତା କାରଣରୁ ମନୁଷ୍ୟ ନିଜ ପାରିବାରିକ ସମ୍ବନ୍ଧକୁ ଆଜିକାଲି ଆଉ ଭାଙ୍ଗିବାକୁ ପଛାଇ ଯାଉ ନାହିଁ। ଯାହା ପରିବାର ବିଘଟନର ମୂଳ କାରଣ ଭାବରେ ଠିଆ ହେଉଛି। ପରିବାର ଭାଙ୍ଗିଗଲେ ସଦସ୍ୟଙ୍କ ମନୋବଳ ଭାଙ୍ଗିଯାଏ। ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇଯାନ୍ତି। ଏହା ହିଁ ଆଜି ସବୁ ସମସ୍ୟାର ମୂଳ। ଏହା ପରିବାର ଆଧାରରେ ଗଢ଼ିଉଠୁଥିବା ସମାଜ ଓ ରାଷ୍ଟ୍ରକୁ ଭାଙ୍ଗିଦେଇଥାଏ।

୧୩. ୬. ୧୮

No comments: