Monday, 18 June 2018

*ହିନ୍ଦୀ ସାହିତ୍ୟରେ...- ୨*

ହିନ୍ଦୀ କଥା ସାହିତ୍ୟରେ ପ୍ରେମଚନ୍ଦଙ୍କ ସମୟରୁ ବୃଦ୍ଧମାନଙ୍କ ସମସ୍ୟା, ସେମାନଙ୍କ ମାନସିକତା ଓ ସେମାନଙ୍କ ସହ ହେଉଥିବା ଉପେକ୍ଷିତ ବ୍ୟବହାର ଉପରେ କାହାଣୀମାନ ଲେଖାଯାଇଛି। ପ୍ରେମଚନ୍ଦଙ୍କ "ବୁଢ଼ୀ କାକୀ" ଏ ବିଷୟରେ ଲେଖାଯାଇଥିବା ଏକ କାଳଜୟୀ କାହାଣୀ। ଏଇ କାହାଣୀରେ ପୁତୁରା ଓ ତାର ପତ୍ନୀ ଦ୍ୱାରା ବୁଢ଼ୀ କାକୀଙ୍କ ଉପରେ କିପରି ଅମାନବୀୟ ବ୍ୟବହାର ହୋଇଛି ତାହାର ବିଶ୍ଳେଷଣ କରାଯାଇଛି। ନିଜ ସ୍ୱାମୀ ଓ ପୁଅକୁ ହରାଇ ବୁଢ଼ୀ କାକୀ ତାର ସମସ୍ତ ସମ୍ପତ୍ତି ଯେଉଁ ପୁତୁରା ବିଶ୍ୱେଶ୍ୱର ନାଁ ରେ କରିଦେଇଛି ସେହି ବିଶ୍ବେଶ୍ୱରର ଘରେ ଗୋଟିଏ ବଡ଼ ଉତ୍ସବରେ ତାକୁ ଗଣ୍ଡେ ଖାଇବା ପାଇଁ ଅପେକ୍ଷା କରିବାକୁ ପଡୁଛି। ମାଗିଲେ ମଧ୍ୟ ତାକୁ କେହି ଖାଇବାକୁ ଦେଇ ନାହାନ୍ତି। ଶେଷରେ ଭୋକରେ ବ୍ୟାକୁଳ ହୋଇ ସେ ଲୋକମାନଙ୍କ ଅଇଁଠା ଥାଳିରେ ବଳି ପଡ଼ିଥିବା ଖାଦ୍ୟ ଖାଇ କ୍ଷୁଧା ଶାନ୍ତ କରିଛି।

ସେହିପରି ଭୀଷ୍ମ ସାହାଣୀଙ୍କ କାହାଣୀ  'ଚିଫ କା ଦାୱତ" ରେ ଆଉ ଏକ ଘଟଣା ବର୍ଣ୍ଣିତ। କାହାଣୀରେ ଶାମନାଥଙ୍କ ଘରେ ତାଙ୍କ ଚିଫ ଭୋଜି ଖାଇବାକୁ ଆସିଛନ୍ତି। ଶାମନାଥର ଚିନ୍ତା ଯେ ମୁଖ୍ୟଙ୍କ ଆଗକୁ ବୃଦ୍ଧା ମା' ଆସି ନ ଯାଉ। ଯଦି ଆସେ ତାହେଲେ ତାର ପ୍ରଭାବ କିଛି ରହିବ ନାହିଁ। ତେଣୁ ଶାମନାଥ ନିଜ ମାଆକୁ ଭଲ ଲୁଗା, କିଛି ଗହଣା ପିନ୍ଧେଇ ଦେଇଛି। ତା' ପରେ ଶୀଘ୍ର ଖାଇବାକୁ ଦେଇ ଦେଇ ଶୋଇଯିବାକୁ ନିର୍ଦ୍ଦେଶ ଦେଉଛି। କିନ୍ତୁ ମାଆ ନ ଶୋଇ ନିଜ କୋଠରୀ ଆଗରେ ପଡ଼ିଥିବା ଚେୟାରରେ ଆରାମ କରୁଛନ୍ତି। ସେତିକିବେଳେ ଚିଫ ଆସିଯାଇଛନ୍ତି ଓ ତାଙ୍କ ସହିତ ମାଆର ଭେଟ ହୋଇଛି। ଚିଫ ପଞ୍ଜାବୀ ଭାଷାରେ ମାଆଙ୍କ ସହ କଥା ହୋଇ ଖୁସି ହୋଇଛନ୍ତି ଓ କହିଛନ୍ତି, ମାଆ, ମୋ ପାଇଁ ଟିକେ ଭଲ ସବ୍ଜି ରାନ୍ଧି ଦିଅ। ସେତେବେଳେ ଶାମନାଥକୁ ମାଆର ମହତ୍ତ୍ୱ ଜଣାପଡୁଛି। ଏବେ ସେ ନିଜ ସମ୍ମାନ ପାଇଁ ମାକୁ କହୁଛି ଭଲ ସବ୍ଜି ରାନ୍ଧି ଦିଅ। ଏ କାହାଣୀ କହୁଛି ଯେଉଁ ବୃଦ୍ଧାକୁ ଆମେ ନିଜର ମିଥ୍ୟା ପ୍ରତିଷ୍ଠା ବଜାୟ ରଖିବା ପାଇଁ ପରଦା ପଛରେ ଲୁଚାଇ ଦେବାକୁ ଚାହିଁ ଥିଲେ ସେ ସେଦିନ ସେହି ନବାଗତ ବନ୍ଧୁର ସମ୍ମାନ ରକ୍ଷା କରିଥିଲେ। ଏ କାହାଣୀ ସନ୍ଦେଶ ଦେଇଛି ଯେ ଅନୁପଯୋଗୀ ଓ ବୋଝ ଭାବିଥିବା ବୃଦ୍ଧ ବ୍ୟକ୍ତିମାନଙ୍କ ଅନୁଭବ ଆମର ବହୁତ କାମରେ ଆସେ। ଉପେକ୍ଷିତ ବା ଅବହେଳିତ କରି ସେମାନଙ୍କୁ ଦୂରକୁ ପଠାଇବା କେତେଦୂର ଯୁକ୍ତିଯୁକ୍ତ ?

କ୍ରମଶଃ...-୨

୧୮. ୬. ୧୮

No comments: