ଗତ କିଛି ବର୍ଷ ତଳେ ବୈଶ୍ବିକ ସ୍ତରରେ ବୃଦ୍ଧମାନଙ୍କ ସମସ୍ୟାକୁ ଅନୁଭବ କରି ମିଳିତ ଜାତିସଂଘ ୧୯୯୯ ମସିହାକୁ ଅନ୍ତର୍ରାଷ୍ଟ୍ରୀୟ ବୃଦ୍ଧ ବର୍ଷ ଘୋଷିତ କରିଥିଲା। ଏହାକୁ ନେଇ ହିନ୍ଦୀ ସାହିତ୍ୟରେ ଅନେକ ଉପନ୍ୟାସ ଲେଖାଗଲା। ଯେଉଁଥିରେ ନିର୍ମଳ ବର୍ମାଙ୍କ 'ଅନ୍ତିମ ଅରଣ୍ୟ', କୃଷ୍ଣା ସୋବତୀଙ୍କ 'ସମୟ ସରଗମ' ଚିତ୍ରା ମୁଦ୍ଗଲଙ୍କ 'ଗିଲିଗଡ଼', ନାଗ ବୋଡ଼ଶଙ୍କ 'ମେନିଫେଷ୍ଟୋ', ଗୀତାଞ୍ଜଳି ଶ୍ରୀଙ୍କ 'ମାଇଁ' ପ୍ରମୁଖ ଅଟେ। ଉପଭୋକ୍ତାବାଦର ମୋହରେ ଆମ ଘର ଟିଭି, ଫ୍ରିଜ, ଏସି ଭଳି ମୂଲ୍ୟବାନ ଉତ୍ପାଦରେ ଭର୍ତ୍ତି କିନ୍ତୁ ଆମ ପରିବାରର ସମ୍ମାନନୀୟ ଓ ମୂଲ୍ୟବାନ ବୟୋଜ୍ୟେଷ୍ଠମାନେ ଉପେକ୍ଷିତ। ଭାରତୀୟ ସଂସ୍କୃତିରେ ବୃଦ୍ଧମାନଙ୍କ ପାଇଁ ବାନପ୍ରସ୍ଥ ଆଶ୍ରମର ଅଵଧାରଣା ରହିଛି। ଯେଉଁଥିରେ ବ୍ୟକ୍ତି ନିଜ ଜୀବନର ସାନ୍ଧ୍ୟ କାଳରେ ଏକାନ୍ତରେ ରହି କିମ୍ବା ଅରଣ୍ୟରେ ଆଶ୍ରମ ଜୀବନ ବିତାଇ ଓ ସେଠାରେ ଚିନ୍ତନ ମନନ କରି ଜୀବନର ସାର୍ଥକତା ପାଇଁ ଅନେକ ମୌଳିକ ପ୍ରଶ୍ନର ସମାଧାନ କରିବାର ଚେଷ୍ଟା କରିଥାନ୍ତି। ନିର୍ମଳା ବର୍ମାଙ୍କ ଉପନ୍ୟାସ 'ଅନ୍ତିମ ଅରଣ୍ୟ'ରେ ମିତ୍ର ମେହରା ଅନ୍ତିମ ସମୟରେ ନିଜ ଜୀବନର ପୁନରାଵଲୋକନ କରି ଏଇଭଳି ପ୍ରଶ୍ନର ସମାଧାନ କରିଛନ୍ତି।
ନିଜ ଜୀବନର ଏକ ବଡ଼ ଭାଗ ନିଜର ପିଲାମାନଙ୍କ ପରିବେଶରେ ରହି ପିଲାମାନଙ୍କର ଆବଶ୍ୟକତାକୁ ପୂରା କରିବାରେ ନିଜ ଜୀବନର ସାର୍ଥକତା ଥିବା ଭାବୁଥିବା ବେଳେ ତାଙ୍କୁ ଉପେକ୍ଷା ଓ ପ୍ରତାଡ଼ନାର ଶିକାର ହେବାକୁ ପଡୁଛି। ଭିନ୍ନ ଭିନ୍ନ ରୋଗ, ଏକୁଟିଆପଣ, ଅସୁରକ୍ଷା ବୋଧ ଓ ଭାବନାତ୍ମକ ଦୁର୍ବଳତା ଦ୍ୱାରା ଦିନ କାଟୁଥିବା ବୃଦ୍ଧ ବୃଦ୍ଧାମାନେ ନିଜ ପିଲାମାନଙ୍କ ଠାରୁ କିଛି ଆଶ୍ୱାସନାର ସ୍ନେହବୋଳା କଥା ଦୁଇପଦ ଶୁଣିବା ବଦଳରେ ନୂତନ ପିଢ଼ି ଠାରୁ ପାଆନ୍ତି ଉପେକ୍ଷା, ନିରାଶା ଓ ଦୁର୍ବ୍ୟବହାର। ଏଥିପାଇଁ ବିଶେଷରେ ଆଧୁନିକତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରବେଶ ହିଁ ସମ୍ଭବତଃ ଦାୟୀ। ଅତୀତରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଶ୍ରବଣ କୁମାରଙ୍କ ଭଳି ଆଜ୍ଞାକାରୀ ଓ ସତ୍ୟନିଷ୍ଠ ସନ୍ତାନକୁ ଜନ୍ମଦେଇ ବିଶ୍ବକୁ ବର୍ତ୍ତିକା ସଦୃଶ ଦିଶା ପ୍ରଦର୍ଶନ କରୁଥିବା ଭାରତୀୟ ସଂସ୍କୃତିର ଅବକ୍ଷୟ ଘଟି ଆଧୁନିକତା ନାମରେ ଇତର ବାହ୍ୟସଂସ୍କୃତିର ଅନୁପ୍ରବେଶ ଘଟିବା ଉଦବେଗଜନକ। ଏହି ପରିସ୍ଥିତିରେ ଆମେ ରାଷ୍ଟ୍ରପ୍ରେମୀମାନେ ସେହି ପ୍ରାଚୀନ ପରମ୍ପରା ଓ ସଭ୍ୟତାର ସୁରକ୍ଷା ତଥା ପ୍ରସାର ନିମନ୍ତେ ନିଷ୍ଠାପର ଉଦ୍ୟମ କରିବା ଜରୁରୀ।
୨୦. ୬. ୧୮

No comments:
Post a Comment