ଅବଧି ଲୋକ ସାହିତ୍ୟର ବସ୍ତୁତଃ କେନ୍ଦ୍ର ହେଉଛି ଆମ ଭାରତୀୟ ସଂସ୍କୃତିରେ ଯୁଗ ଯୁଗରୁ ରହି ଆସିଥିବା ଯୌଥ ପରିବାରବୋଧ। ଯେଉଁଥିରେ କିଛି ପାଇବାର ଆଶା ନାହିଁ ବରଂ ନିଜେ କାହାକୁ କଣ ଦେଇହେବ ତାହାର ଭରପୁର ଚିନ୍ତନ ରହିଛି। ଏହି ପରିବାର କେବଳ ଏକ ରକ୍ତ ପ୍ରବାହିତ ବଂଶଜ ସଦସ୍ୟ ମାନଙ୍କର ସଂକୀର୍ଣ୍ଣତାରେ ସୀମିତ ନ ହୋଇ ଏହାକୁ ଯେତେ ଦୂର ବଢ଼ାଇ ହେବ ଏମିତିକି ସମଗ୍ର ବସୁଧାକୁ ମଧ୍ୟ ବାନ୍ଧି ରଖିବାର ଉଦାର ପ୍ରଚେଷ୍ଟା ଏଥିରେ କରାଯାଇଥାଏ।
ଏହି ସମସ୍ତ ସମ୍ପର୍କର ହେତୁ ହେଉଛି ପରସ୍ପର ମଧ୍ୟରେ ନିରନ୍ତର ମତ ବିନିମୟର ସୁଯୋଗ ଦେବା। ପରିବାରରେ ଯଦି କାହା ସହ କିଛି ଅନ୍ୟାୟ କରାଯାଇଥାଏ ତେବେ ନ୍ୟାୟପାଇଁ ଏହି ଭାଵ ବିନିମୟର ସମ୍ମିଳିତ ସ୍ୱର ତାର ସମାଧାନ କରିଥାଏ। ଅର୍ଥାତ୍ ସବୁ ବାତାବରଣ ଓ ପରିସ୍ଥିତିରେ ଅନୁକୂଳତା ତିଆରି କରିବାର କ୍ଷମତା ପରିବାରରେ ଥାଏ।
କିନ୍ତୁ ଆଜିକାଲି ଏ ଆଧୁନିକ ପରିଚର୍ଯ୍ୟାରେ ଏହି କୁଟୁମ୍ବ ଭାବର ପରିକଳ୍ପନା ସ୍ୱପ୍ନ ହେବାକୁ ବସିଲାଣି। ଆଗରୁ ଥିବା ଯୌଥ ପରିବାରର ଘରର ନକ୍ସା ବଦଳିଯାଇ ସଂକୀର୍ଣ୍ଣ ମନ ସମ୍ବଳିତ ଅଣୁ ପରିବାର ତିଆରି କରିବାର ଦୌଡ଼ରେ ସମସ୍ତେ ମାତିଲେଣି। ଯାହା ଫଳରେ ଘର ଭିତରେ ଅନେକ ବାଡ଼ ବନ୍ଧ ଓ କାନ୍ଥ ଉଠାଇ ପରସ୍ପରର ଭାବ ବିନିମୟରେ ଆକଟ କରାଗଲାଣି। ସେହି ଅଣୁ ପରିବାର ପାଇଁ ସେଦିନର ଅଗଣା ଓ ଆକାଶ ଆଜି ଛୋଟ ହୋଇଗଲାଣି। ଘର ପଛ ଆଡ଼େ ଯେଉଁ ଖାଲି ଜାଗା ସବୁ ରହୁଥିଲା ଏବଂ ଦୁଆର ଆଗରେ ଯେଉଁ ଖୋଲା ପଡ଼ିଆ ରହୁଥିଲା, ଯେଉଁଠି ଆସି ଲୋକମାନେ ବସା ଉଠା କରୁଥିଲେ ସେ ଜାଗା ଆଉ ଏବେ ନାହିଁ। ପରସ୍ପର ମିଶିବା, କଥାବାର୍ତ୍ତା ପାଇଁ ଯେଉଁ ଅବସର ଥିଲା ସେସବୁ ଏବେ ଦୁଷ୍ପ୍ରାପ୍ୟ। ଆଉ ଏ ପରିସ୍ଥିତିରେ ସେତେବେଳେ ପରସ୍ପର ସୁଖ ଦୁଃଖ ବାଣ୍ଟିବାର ପ୍ରଶ୍ନ କେଉଁଠୁ ଆସିଲା ? ଏ ମଧ୍ୟରେ ପରିବାରର ପିଲାମାନେ ସମ୍ପୂର୍ଣ୍ଣ ଏକୁଟିଆ ଅନୁଭବ କରିବେନି ତ ଆଉ କଣ କରିବେ ?
ଆଧୁନିକ ପରିବାର ବ୍ୟବସ୍ଥା ସବୁଠୁ ବେଶି କ୍ଷତି କରୁଛି ପିଲାମାନଙ୍କର। ସେମାନଙ୍କ ପାରିବାରିକ ଭାବନା, ପରସ୍ପର ଭାବର ଆଦାନ ପ୍ରଦାନ, ଜଣେ ଅନ୍ୟକୁ ସାହାଯ୍ୟ କରିବାର ଯେଉଁ ଚିନ୍ତା ରହିଥିଲା ତାହା ଆଜି ତାଙ୍କ ପାଖରେ ଅପହଞ୍ଚ। ମିଳିତ ପରିବାରରେ ଜେଜେବାପା-ଜେଜେମାଆ, ଅଜା-ଆଇଙ୍କ ଠାରୁ କାହାଣୀ ଶୁଣିବା, ନାନା ବାୟା ଗୀତ ଦ୍ୱାରା ସେମାନଙ୍କ ଭିତରେ ଯେଉଁ ସଂସ୍କାର ନିର୍ମାଣ କରାଯାଏ ତାହା ଆଜି ପିଲାମାନଙ୍କ ପାଇଁ ସ୍ୱପ୍ନ ହୋଇଗଲାଣି।
ଘରର ବୟସ୍କ ମାନେ ପିଲାଙ୍କୁ ପାଦରେ ଝୁଲାଇବା ବେଳେ ଗାଉଥିବା ଗୀତ 'ଝୁଲରେ ହାତୀ ଝୁଲ' ପିଲାମାନଙ୍କ ସହ ଖେଳିବା ଆଜି କେଉଁଠି ଦେଖିବାକୁ ମିଳୁ ନାହିଁ।
କ୍ରମଶଃ...
୧୦. ୬. ୧୮

No comments:
Post a Comment