ଭାରତୀୟ ସଂସ୍କୃତିର ମୂଳରେ ଅଛି ଲୋକ ସଂସ୍କୃତି। ଲୋକ ସଂସ୍କୃତିର ସ୍ୱରୂପ ତାହାର ଗୁଣାବଳୀରୁ ଜାଣିହୁଏ; ଏଥିରେ ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରାଯାଇଥାଏ। ଏହି କୁଟୁମ୍ବ ଭିତରେ କେବଳ ମନୁଷ୍ୟ ନୁହେଁ, ଚର-ଅଚର ସହ ସମସ୍ତ ସୃଷ୍ଟି ସମ୍ମିଳିତ।
ଆଦି ମଣିଷ ଯେବେ ଅଗ୍ନିର ଆବିଷ୍କାର କଲା ସେତେବେଳେ ଅଗ୍ନିକୁ ନେଇ ମନୁଷ୍ୟର ସମ୍ବନ୍ଧ ମନୁଷ୍ୟ ସହ ବଢ଼ିବାରେ ଲାଗିଲା ଏବଂ 'ଘର' ବା 'କୁଟୁମ୍ବ' ର ଅନେକ ସ୍ୱରୂପ ତିଆରି ହୋଇଗଲା। ତା ପରଠୁ ସମ୍ଭବତଃ ଜଣେ ଅନ୍ୟ ଜଣଙ୍କ ସହ ଭାବ ବିନିମୟ କରିବା ପାଇଁ ସେହି ସମୟରୁ ହିଁ ଭାଷା ଏକ ମାଧ୍ୟମ ରୂପେ ଜନ୍ମ ନେଲା। ସମୟକ୍ରମେ 'ବୃନ୍ଦଗାନ', ଓ 'ବୃନ୍ଦନୃତ୍ୟ' ର ଆରମ୍ଭ ହେବାକୁ ଲାଗିଲା ଏବଂ ସେଥିରୁ ବ୍ୟକ୍ତି ସତ୍ତା ବ୍ୟକ୍ତି ନ ହୋଇ ପରିବାରର ରୂପ ଧାରଣ କଲା। ପରିବାର ଓ 'ଘର' କେବଳ ମାତ୍ର ରହିବା ଜାଗା ଖଣ୍ଡିଏ ହୋଇ ରହିଲା ନାହିଁ, ଏଥିରେ ଏପରି ଏକ ଭାବ ବନ୍ଧ ଯୋଡ଼ି ହୋଇ ଗଲା ଯେ, ଯଦି ପରିବାରର କୌଣସି ବ୍ୟକ୍ତି କୁଆଡ଼େ ବି କୌଣସି କାମ ନେଇ ଚାଲିଯାଉଥିଲା ପରେ ପୁଣିଥରେ ସେହି ସ୍ଥାନକୁ ଫେରି ଆସିବା ପାଇଁ ତାହାରି ମନ ତାକୁ ବାରମ୍ବାର ବିବଶ କରିଦେଉଥିଲା। ଏ ଥିଲା ପରିବାରର ମୋହ।
"ଭାରତୀୟ ଘର" କହିଲେ କେବଳ ଗୋଟିଏ ମାତ୍ର ଘରକୁ ବୁଝାଏ ନାହିଁ ବରଂ ଏହା ଏକ ସମ୍ପୂର୍ଣ୍ଣ ବୈଶ୍ବିକ ପରିବାରର ପ୍ରତୀକ। ଏଥିରେ କୌଣସି ପଦାର୍ଥ ଜଡ଼ ନୁହେଁ ବା ଶୁଖିଲା ବସ୍ତୁ ନୁହେଁ ଏପରିକି ଏଠାକାର ପଥର ଚକି, ଶିଳ, କାଠ ଓ ଲୁହାର ଘରକରଣା ମାନଙ୍କ ମଧ୍ୟରେ ମଧ୍ୟ ପରିବାର ସଦସ୍ୟତାର ଜୀବନ୍ତ ଝଲକ ଦେଖିବାକୁ ମିଳେ। ଏସବୁ ଘର ଚଳାଇବାରେ କେବଳ ସାଧନ ମାତ୍ର ନ ହୋଇ ସାଥୀ ହୋଇଯାଇଥାନ୍ତି। ବିବାହ କାର୍ଯ୍ୟରେ ଯେଉଁ ସଂସ୍କାରର ଆବଶ୍ୟକତା ଥାଏ ତାହା ପୁଣି ଆରମ୍ଭ ହୋଇଥାଏ ଲଙ୍ଗଳରେ ଯୋଚା ମାଟି ତାଢୁଥିବା ଲୁହାର ଫାଳ ଖଣ୍ଡିକରୁ। ସେଭଳି ମହୀ ଦିଆଯାଉଥିବା ପଟାରେ ବିବାହ ବେଦୀକୁ ସମତୁଲ କରି ତା ଉପରେ ବର ଓ ବଧୂକୁ ସ୍ନାନ କରାଯାଏ। ଫସଲ କାଟିବା ପରେ ଯେତେବେଳେ ପ୍ରଥମେ ପୁଣି ଜମି ଚାଷ ପାଇଁ ହଳ କରିବାକୁ ଗଲାବେଳେ ହଳଦୀ ପାଣି ଛାଟିବା ପରମ୍ପରା ମଧ୍ୟ ଏହି ପରିବାରର ଏକ ଅଂଶ। ଏଇଠି କେବଳ ଘର ବା ଆମ ଗାଁ ନୁହେଁ ଗାଈ ଗୋରୁ ଚରିବାକୁ ଯାଉଥିବା ସମ୍ପୂର୍ଣ୍ଣ ଜଙ୍ଗଲ ମଧ୍ୟ ଆମର ଘର ଭାବରେ ନିଆ ଯାଇଥାଏ। ବଣ ପକ୍ଷୀ ଆମ ସମ୍ବାଦ ବାହକ ହେଉଥିଲାବେଳେ ଅଗଣାର ପକ୍ଷୀକୁ ଝିଅ ଓ ଗୋରୁ ବନ୍ଧା ଖୁଣ୍ଟକୁ ମଧ୍ୟ ଭାବନାରେ ଗାଈ କୁହାଯାଇଥାଏ। ଏ ଥିଲା ଅବଧି ଲୋକ ଗୀତର ଏକ ଅଂଶ ।
ହମ ତୋ ବାବୁଲ ତୋରେ ଅଙ୍ଗନା କେ ଚିରୟୀ
ଦାନା ଚୁଗିୟ ଉଡ଼ି ଜାୱ।
ହମ ତୋ ବାବୁଲ ତୋରୋ ଖୁଣ୍ଟ କେ
ଗାଈୟା ଜିତ ବାଁଧୋ ବନ୍ଧି ଜାୱ।।
ଉଦ୍ଧୃତ କବିତାର ପଙ୍କ୍ତି ଥିଲା ଅବଧି ଲୋକ ସାହିତ୍ୟ ଓ ଲୋକ ସଂସ୍କୃତିର ଏକ ଅମଳିନ ଧାରା।
କ୍ରମଶଃ...
୪. ୬. ୧୮

No comments:
Post a Comment