Saturday, 8 September 2018

*ସାଧନାରୁ ସିଦ୍ଧି*

ଦୃଢ଼ ଇଚ୍ଛାଶକ୍ତି ବଳରେ ମନୁଷ୍ୟ ଅସମ୍ଭବକୁ ସମ୍ଭବ କରିପାରେ। ସକଳ ବାଧା ବିଘ୍ନ  ତା ଚଲା ପଥରେ ବିଘ୍ନ ସୃଷ୍ଟି କରି ପାରନ୍ତି ନାହିଁ। ସାଂସାରିକ ଭୋଗ ତୁଳନାରେ ଐଶୀ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ମାନବତ୍ୱରୁ ଦେବତ୍ୱ ଆଡ଼କୁ ଅଗ୍ରସର କରାଇଥାଏ। ଜଣେ ସାଧାରଣ ମଣିଷ ସାଂସାରିକ ଭୋଗ ବିଳାସକୁ ଗୁରୁତ୍ୱ ଦେଉଥିବା ବେଳେ ଅସାଧାରଣ ମଣିଷ ଈଶ୍ୱରୀୟ ଚିନ୍ତା ଓ ଚେତନା ଆଡ଼କୁ ସ୍ୱତଃ ଟାଣି ହୋଇଯାଏ ଓ ସମସ୍ତ ସାଂସାରିକ ସୁଖକୁ, ମାୟାମୋହକୁ ତୁଚ୍ଛ ମନେକରି ଅମୃତତ୍ୱ ପଥର ଯାତ୍ରୀ ହୋଇଥାଏ। ତାହାର ଏକ ନିଚ୍ଛକ ଉଦାହରଣ ଜଣେ ଜନସେବୀ ସମାଜର କଲ୍ୟାଣକାରୀ ମହାନୁଭବ ସନ୍ଥ ମହାତ୍ମାଙ୍କ ଶ୍ରୀମୁଖରୁ ଆଜି ଶୁଣିଲାପରେ ମନ ଭିତରେ କୁତୂହଳ ସୃଷ୍ଟି ହେବା ସ୍ବାଭାବିକ। ଯିଏ ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଓଁକାରେଶ୍ୱରରେ ଅନୁଷ୍ଠିତ ହୋଇଥିବା "ମା ନର୍ମଦା ଏକ ସାହିତ୍ୟିକ ପ୍ରଦକ୍ଷିଣା" ଶୀର୍ଷକ ସଂଗୋଷ୍ଠୀ ର ଉଦଘାଟନ ଉତ୍ସବର  ଉଦ୍ଘାଟକ ଥିଲେ।

କପର୍ଦକ ଶୁନ୍ୟ ଅବସ୍ଥାରେ ପରିବାର ମାତାପିତା ତାଙ୍କ ଅପତ୍ୟ ସ୍ନେହକୁ ତୁଚ୍ଛ ମଣି ଦେବାଳୟ ହିମାଳୟ ରେ ରହି ତପ ଆଚରଣ କଲେ। ନା ଶରୀର ପୋଷଣ ପାଇଁ ଖାଦ୍ୟ ଚିନ୍ତା ନା ଶରୀରକୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଶୀତ ବସ୍ତ୍ରର ପ୍ରୟୋଜନ। ମନ କେବଳ ଅନ୍ତର୍ଯ୍ୟାମୀ ଭଗବାନଙ୍କ ପାଦ ପଦ୍ମରେ ସ୍ଥିତି ଲଗାଇ ଦେଲେ ସବୁକିଛି ହାର ମାନନ୍ତି। ଏହିପରି କେତେ ମାସ ଗତ ହୁଅନ୍ତେ ଜଣେ ସାଧୁ ଦେବଦୂତ ସାଜି ସେହି ତାପସ୍ଵୀଙ୍କ ସମ୍ମୁଖରେ ଉଭା ହୋଇ କହିଲେ, ତୁମେ ହିମାଳୟରେ ଅଯଥା ତପ ଆଚରଣ ନ କରି ନର୍ମଦା ନଦୀ ତଟସ୍ଥ ବାବା ଓଁକାରେଶ୍ୱରଙ୍କ ଶରଣାପନ୍ନ ହୁଅ। ତତ୍ପରେ ସେ ସାଧୁଙ୍କର କଥନକୁ ଗୁରୁବାକ୍ୟ ମଣି ପହଞ୍ଚିଗଲେ ନର୍ମଦା କୂଳରେ। ବିନ୍ଧ୍ୟାଞ୍ଚଳ ସାତପୁଡ଼ା ମଧ୍ୟଗାମିନୀ ତ୍ରିଲୋକପାବନୀ ପବିତ୍ର ସ୍ରୋତସ୍ୱିନୀ ଜନ ତୋଷିଣୀ ମା' ନର୍ମଦା କଳକଳନାଦିନୀ ବହି ଚାଲିଛନ୍ତି ଆଗକୁ ଆଗକୁ ସମୁଦ୍ର ସହିତ ମିଶିବା ପାଇଁ। ତଟସ୍ଥ ଜୀବଜନ୍ତୁ ଓ ଜନପଦ ସମସ୍ତେ ତାଙ୍କର ଅମୃତ ବାରିଧାରାର ଆଶ୍ରିତା।

ନଦୀକୂଳସ୍ଥ ରମ୍ୟ ସବୁଜ କେଦାର ବନାନୀ ବୃକ୍ଷ ଲତା ସୁଶୋଭିନୀ ଅରଣ୍ୟଶୋଭିନୀ ନୀଳକାନ୍ତିଜିଣା ଉତ୍ତୁଙ୍ଗ ପର୍ବତମାଳା ଭାବୁକ ମାନଙ୍କର ମନତୋଷିଣୀ। ସେ ସକଳ ତଟବାସୀଙ୍କର ଖାଦ୍ୟ ଓ ପାନୀୟ ଦାନକାରୀ। ମାତୃରୂପା। ହେତୁବାଦୀ ଦୃଷ୍ଟିକୋଣରୁ ଏକ ଜଡ଼ବାଦୀ ନଦୀ ହୋଇଥିଲେ ହେଁ ମହାନ ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ସେ ହେଉଛନ୍ତି ମା'। ମା' ର ସକଳ ଗୁଣକୁ ନିଜ ହୃଦ କନ୍ଦରରେ ଧାରଣ କରି ସକଳ ଜୀବ ଜଗତକୁ ପାନ ଓ ଭୋଜନ  ଯୋଗାଉଥିବା ପ୍ରାଣ ପ୍ରତିଷ୍ଠା ଲଭିଥିବା ଜନ୍ମଦାତ୍ରୀ ମା'ଠାରୁ କୋୖଣସି ଗୁଣରେ କମ ନୁହେଁ।

ସେହି ପୁଣ୍ୟତୋୟା ନର୍ମଦାର ଅମୃତତୁଲ୍ୟ, ପାପକ୍ଷୟୀ ଦର୍ଶନ ମାତ୍ରେ, ମୋକ୍ଷଦାୟିନୀ, ସକଳ ପାପବିନାଶିନୀ ମା' ନର୍ମଦା ଜୀବନତୋଷିଣୀ ଜଳଧାରକୁ  ପୟ ଯୋଗ୍ୟ କରି ବଞ୍ଚାଇ ରଖିବା ପାଇଁ ଏ ମହାତ୍ମାଙ୍କର ଭୀଷ୍ମବ୍ରତ। ନର୍ମଦାର ଉଭୟ କୂଳରେ ଥିବା ଜନପଦ ବାସୀଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନପୋଷଣର ବୃତ୍ତି ପାଇଁ ଚିନ୍ତା କରୁଥିବା ସେହି ମହାତ୍ମାଙ୍କୁ ଆମେ କଣ ଦେବତାର ମାନ୍ୟତା ଦେବାରେ ଦ୍ଵିଧା କରିବା କି ?

ସେହି ମହାତ୍ମା ହେଉଛନ୍ତି ଉତ୍କଳ ଜନନୀଙ୍କ ଜଣେ ଯୋଗ୍ୟତମ ସୁଯୋଗ୍ୟ ସନ୍ତାନ। ତାଙ୍କ କଥା ଭାବିଲା ବେଳକୁ ମଥା ସ୍ୱତଃ ନଇଁ ପଡ଼େ ତାଙ୍କରି ପଦ ଯୁଗଳରେ । ବାସ୍ତବରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଆମ ପାଇଁ ଦ୍ଧେୟ ହେଉ।

୮. ୯. ୧୮

No comments: