Wednesday, 5 September 2018

*ପରମବୀର ଧନ ସିଂହ ଥାପା*

ଗୋଟିଏ ପଟେ ଚୀନର ନେତା ହିନ୍ଦୀ-ଚୀନୀ ଭାଇ-ଭାଇ ନାରା ଦେଉଥିବାବେଳେ ଅନ୍ୟ ପଟେ ତାଙ୍କରି ସୈନିକ ୨୦ ଅକ୍ଟୋବର ୧୯୬୨ରେ ହିନ୍ଦୁସ୍ଥାନ ଉପରେ ଅଚାନକ ଆକ୍ରମଣ କରିଥିଲେ। ସେତେବେଳେ ଲଦ୍ଦାଖର ଚୁଶୂଳ ବିମାନ ବନ୍ଦର ପାଖରେ ଥିବା ଶୀରୀଜପ -୧ ଚୌକରେ ମେଜର ଧନ ସିଂହ ଥାପାଙ୍କ ନେତୃତ୍ୱରେ ୩୩ ଜଣ ଯବାନ ପହରା ଦେଉଥିଲେ।
୨୦ ଅକ୍ଟୋବର ୧୯୬୨ ଦିନ ଭୋର ୪.୩୦ ରେ ଚୀନୀ ସେନା ଗୁଳି ଓ ମୋର୍ଟାର ଦ୍ୱାରା ଅଚାନକ ଆକ୍ରମଣ କଲା। ମେଜର ଥାପା ଏହର ଜବାବ ଦେବାକୁ ବାହାରି ପଡ଼ିଲେ। ତେଣୁ ଶତ୍ରୁ ଆଗକୁ ବଢ଼ି ପାରିଲା ନାହିଁ। ଚୀନୀ ସେନା ବେଶ୍ ଭଲ ସଂଖ୍ୟାରେ ଅସ୍ତ୍ର ଶସ୍ତ୍ର ସୁସଜ୍ଜିତ ହୋଇ ଆକ୍ରମଣ ପାଇଁ ଆଗେଇ ଆସୁଥିଲା ବେଳେ ଧନ ସିଂହଙ୍କ ପାଖରେ ନା ଥିଲା ସଂଖ୍ୟା ବଳ, ନା ଅସ୍ତ୍ର ଶସ୍ତ୍ର। ଏପରିକି ଉଚ୍ଚା ପାହାଡ଼ ଚଢ଼ିବାକୁ ଆବଶ୍ୟକ ଜୋତା ଖଣ୍ଡେ ବି ନ ଥିଲା। ତଥାପି ମେଜର ଥାପା ଗୋଟିଏ ବଙ୍କରରୁ ଆଉ ଗୋଟିଏ ବଙ୍କରକୁ ଯାଇ ତାଙ୍କ ସାଥୀ ମାନଙ୍କୁ ସାହସ ଦେଉଥିଲେ। ଚୀନୀ ସେନାଙ୍କ ପ୍ରବଳ ଗୁଳି ମାଡ଼ରେ ତାଙ୍କ ସାଥୀ ମାନଙ୍କ ମଧ୍ୟରୁ ଜଣେ ପରେ ଜଣେ ବୀରଗତି ପ୍ରାପ୍ତ ହେଉଥିଲେ। ମେଜର ଥାପାଙ୍କ ସୈନ୍ୟଙ୍କୁ ଚୀନୀ ସେନା ଚତୁର୍ପାର୍ଶ୍ୱରୁ ଆକ୍ରମଣ କରିସାରିଥିଲେ। ଆଉ କେବଳ ୭ ଯବାନ ଜୀବୀତ ଥିଲେ। କିନ୍ତୁ ସମସ୍ତେ ପ୍ରାଣକୁ ବାଜି ଲଗାଇ ଯୁଦ୍ଧ କରୁଥିଲେ। କିଛି ସମୟ ସଂଘର୍ଷ ପରେ ମେଜର ଥାପାଙ୍କ ଡୀ-କମ୍ପାନୀର ଆଉ ମାତ୍ର ୩ ଜଣ ଯବାନ ବଞ୍ଚି ଥିଲେ।

ଯେତେବେଳେ ମେଜର ଥାପା ଦେଖିଲେ ଶତ୍ରୁ ଏବେ ତାଙ୍କ ଚୌକ ଦଖଲ କରିବାକୁ ଉଦ୍ୟତ, ସେ ଆଉ କାଳ ବିଳମ୍ବ ନ କରି ହର ହର ମହାଦେବ ନାରା ଦେଇ ଏକ କ୍ରୋଧିତ  ସିଂହ ଭଳି ନିଜ ମେସିନଗନ ନେଇ ଚୌକ ବାହାରକୁ ଚାଲିଗଲେ। ନିମିଷକ ମଧ୍ୟରେ ସେ ସମ୍ମୁଖରେ ଥିବା ସମସ୍ତ ଚୀନୀ ସେନାଙ୍କୁ ଆର ପୁରକୁ ପଠାଇ ଦେଲେ। ମେସିନଗନରୁ ଗୁଳି ଶେଷ ହେବା ପରେ ଚୀନୀ ସୈନିକ ତାଙ୍କୁ ବନ୍ଦୀ କଲେ। ଚୌକ ଚୀନୀ ସେନାଙ୍କ ଅଧୀନକୁ ଚାଲିଗଲା। ଚୌକ ଉପରେ ଚୀନୀ ସେନାଙ୍କ ଅଧିକାର ହୋଇଯାଇଥିବା ଖବର ଯେତେବେଳେ ହିନ୍ଦୁସ୍ଥାନ ସେନାର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଲା, ସମସ୍ତେ ଭାବି ନେଲେ ଯେ ମେଜର ଥାପାଙ୍କ ସମେତ ସମସ୍ତ ୩୩ ଯବାନ ଯୁଦ୍ଧରେ ବୀରଗତି ପ୍ରାପ୍ତ କରିଥିବେ। ସେଇ ସୂଚନା ଦେଶର କୋଣେ ଅନୁକୋଣେ ପ୍ରସାରିତ ହୋଇଗଲା। ସାରା ଦେଶରେ ମେଜର ଥାପାଙ୍କ ବୀରଗତି ପ୍ରାପ୍ତ ହେବାର କାହାଣୀ ଶୁଣିବାକୁ ମିଳିଲା।

୨୮ ଅକ୍ଟୋବର ଦିନ ଜେନେରାଲ ପି. ଏନ. ଥାପର ମେଜର ଥାପାଙ୍କ ପତ୍ନୀଙ୍କୁ ଚିଠି ଲେଖି ତାଙ୍କ ପତିଙ୍କ ଦିବଙ୍ଗତ ହେବା ଖବର ଜଣାଇ ଦେଲେ। ପରିବାରରେ ଦୁଃଖ ଓ ଶୋକର ଛାୟା ଖେଳିଗଲା। ଛାତି ଉପରେ ପଥର ରଖି ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାରର ଔପଚାରିକତା ସମ୍ପନ୍ନ କଲେ।

ସେନାଙ୍କ ଅନୁରୋଧକ୍ରମେ ଭାରତ ସରକାର ମେଜର ଧନ ସିଂହ ଥାପାଙ୍କୁ 'ପରମବୀର ଚକ୍ର' ଦେବାକୁ ଘୋଷଣା କରିଦେଲେ। କିନ୍ତୁ ଯୁଦ୍ଧ ସମାପ୍ତ ହେବା ପରେ ଯେତେବେଳେ ଚୀନ ସରକାର ଭାରତକୁ ଯୁଦ୍ଧବନ୍ଦୀଙ୍କ ସୂଚୀ ଦେଲା, ସେଥିରେ ମେଜର ଧନ ସିଂହ ଥାପାଙ୍କ ନାଁ ଥିଲା। ଏହି ଖବର ଶୁଣି ସାରା ଦେଶ ପ୍ରସନ୍ନ ହେଲା। ଏହା ଭିତରେ ତାଙ୍କ ପତ୍ନୀଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା।

୧୦ ମେ ୧୯୬୩ ଦିନ ସେ ଭାରତ ଫେରିବା ପରେ ସେନା କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଗଲା। ଦୁଇ ଦିନ ପରେ ୧୨ ମେ ରେ ସେ ନିଜ ଘର ଡେରାଡୁନରେ ପହଞ୍ଚିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହୋଇ ସାରିଥିଲା ଓ ତାଙ୍କ ପତ୍ନୀ ବିଧବା ଜୀବନ ବିତାଉଥିଲେ। ଅତଃ ଗୋର୍ଖା ପରମ୍ପରା ଅନୁସାରେ ତାଙ୍କ କୁଳ ପୁରୋହିତ ତାଙ୍କୁ ମୁଣ୍ଡନ କରାଇ ଆଉ ଥରେ ନାମକରଣ କରାଇଲେ। ଏହା ପରେ ତାଙ୍କୁ ଆଉ ଥରେ ବିବାହ ବେଦୀରେ ଛିଡ଼ା ହୋଇ ଅଗ୍ନି ଚାରିପଟେ ସାତ ଘେରା ମାରିବାକୁ ପଡ଼ିଲା। ପୁଣି ଥରେ ତାଙ୍କର ଗୃହସ୍ଥ ଜୀବନ ଆରମ୍ଭ ହୋଇଗଲା।

୨୬ ଜାନୁଆରୀ ୧୯୬୪ ଦିନ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ସେ ପ୍ରାପ୍ତ କଲେ ବୀରତାର ସର୍ବୋଚ୍ଚ ସମ୍ମାନ "ପରମବୀର ଚକ୍ର"। ୧୯୮୦ ପର୍ଯ୍ୟନ୍ତ ସେ ସେନାରେ ସେବାରତ ରହି ଲେଫ୍ଟନାଣ୍ଟ ପଦବୀରୁ ଅବସର ନେଲେ। ୧୯୨୮ ରେ ସିମିଳାରେ ଜନ୍ମ ନେଇଥିବା ଏହି ବୀର ଯବାନ ୭୭ ବର୍ଷ ବୟସରେ ୫ ସେପ୍ଟେମ୍ବର ୨୦୦୫ ରେ ପୁନେରେ ଇହଲୀଳା ସମ୍ବରଣ କଲେ। ଏହି ବୀରବ୍ରତୀଙ୍କୁ ଦେଶ ଆଜି ସ୍ମରଣ କରୁଛି, ବନ୍ଦନ କରୁଛି।

୫. ୯. ୧୮

No comments: