ବଡ଼ ଦୁଃଖ ଓ ବେଦନାର କଥା ହେଲା ଆଜିକାଲି ଚାରିଆଡ଼େ ଅନ୍ୟାୟ ଓ ଅନୀତିର ଆଦର। ଚିରନ୍ତନ ଜୀବନମୂଲ୍ୟକୁ ପଛକୁ ଠେଲିଦେଇ ଐହିକତା, ଜଡ଼ବାଦିତା ତଥା ସୁଖ ଲୋଲୁପତାର ପୁରସ୍କାର ଓ ଜୟ ଜୟକାର।
କିନ୍ତୁ ଏହା ସର୍ବସାମାନ୍ୟ ଅନୁଭବ ଯେ ଇନ୍ଦ୍ରିୟ ଲାଳସା କେବେ ତୃପ୍ତି ହୁଏ ନାହିଁ। ନିଆଁରେ ଘିଅ ଢାଳିଲେ ନିଆଁ କଣ କେବେ ଲିଭେ ? ଠିକ ସେହିପରି ଇନ୍ଦ୍ରିୟ ବାସନାକୁ ତୃପ୍ତି କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା କେବେ ହେଲେ କମେ ନାହିଁ ବରଂ ଅଧିକରୁ ଅଧିକ ପ୍ରଜ୍ଵଳିତ ହୁଏ।
ଋଷିଆର ସୁପ୍ରସିଦ୍ଧ ଲେଖକ ଲିଓ ଟଲଷ୍ଟୟ ଏହି ବିଷୟକୁ ଏକ କାହାଣୀ ମାଧ୍ୟମରେ ବଡ଼ ସୁନ୍ଦର ଢଙ୍ଗରେ ବୁଝାଇଛନ୍ତି। ସେଇ କାହାଣୀଟିର ନାଁ ହେଲା - "ବସ୍ତୁତଃ ମନୁଷ୍ୟକୁ କେତେ ଜମି ଦରକାର ?"
ସେଥିରେ ସେ ଲେଖିଛନ୍ତି -
ଜଣେ ବଡ଼ ଜମିଦାର ଥିଲେ। ଥରେ ତାଙ୍କ ମନରେ ଆସିଲା ଯେ ନିଜର କିଛି ଜମି ଗରିବଙ୍କୁ ଦେଇ ଦେବା ଉଚିତ। ଏ କଥା ସେ ଘୋଷଣା କରିଦେଲେ। ଏହା ଜାଣି ଜଣେ ଲୋଭୀ ମନୁଷ୍ୟ ତାଙ୍କ ପାଖରେ ପହଞ୍ଚିଲା ଏବଂ ତାକୁ କିଛି ଜମି ଦେବାକୁ ଅନୁରୋଧ କଲା।
ଜମିଦାର ଜଣକ କହିଲେ, "ଠିକ ଅଛି, ତୁମେ ଆସନ୍ତା କାଲି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଯେଉଁଠୁ ଚାଲିବା ଆରମ୍ଭ କରିବ ସୂର୍ଯ୍ୟାସ୍ତ ସୁଦ୍ଧା ଫେରିଆସି ସେଇଠି ପହଞ୍ଚିବ। ଆରମ୍ଭରୁ ଶେଷ ଯାଏ ପରିକ୍ରମା କରିଥିବା ଜାଗାତକ ତୁମର ହୋଇଯିବ।
ଏତିକି କଥା ଜମିଦାରଙ୍କ ମୁହଁରୁ ଶୁଣିବା ମାତ୍ରେ ସେହି ଲୋଭୀ ମଣିଷଟିର ଆନନ୍ଦର ସୀମା ରହିଲା ନାହିଁ। ସେ ଏକ ବିରାଟ ଜମିର ମାଲିକ ହେବ, ଏହି କଥା ଭାବୁ ଭାବୁ ସାରା ରାତି ତାକୁ ନିଦ ହେଉ ନ ଥାଏ। ରାତି ପାହିବା ପୂର୍ବରୁ ସେ ନିତ୍ୟ କର୍ମ ସାରି ଜମିଦାରଙ୍କ ଘର ପାଖରେ ତା ପ୍ରଥମ ପାଦ ପକାଇଥିବା ଜାଗାରେ ଏକ ଚିହ୍ନ ଦେଇ ଚାଲିବାକୁ ଲାଗିଲା। ସେ ମନେ ମନେ ଭାବୁଥାଏ ଯେ ଦିନ ସାରା ଚାଲି ଚାଲି ଏକ ବିରାଟ ଭୂଖଣ୍ଡର ଅଧିକାରୀ ହୋଇପାରିବ। ସେଇ ଚିନ୍ତାରେ ଚାଲୁ ଚାଲୁ ସେ ଦୌଡ଼ିବା ଆରମ୍ଭ କରିଦେଲା। ଏପରି କି ଖାଇବା ପିଇବା ମଧ୍ୟ ଭୁଲିଗଲା। ୟା ଭିତରେ ସେ ବହୁତ ଦୂରକୁ ଚାଲିଯାଇଥିଲା। ଯେତେବେଳେ ସୂର୍ଯ୍ୟ ଅସ୍ତ ହେବାର ସମୟ ଆସିଲା ସେ ଦେଖିଲା ଅନେକ ବାଟ ଚାଲି ଆସିଛି। ସେ ବାସ୍ତବତା ଅନୁଭଵ କଲା। ସେ ଚିନ୍ତା କଲା ଆରମ୍ଭ କରିଥିବା ଜାଗାକୁ ସୂର୍ଯ୍ୟାସ୍ତ ପୂର୍ବରୁ ଫେରିବାକୁ ହେବ; ନହେଲେ ତାହାର ପରିଶ୍ରମଯାକ ସବୁ ବେକାର ହୋଇଯିବ। ତାକୁ କିଛି ବି ଜାଗା ମିଳିବ ନାହିଁ। ଏହା ଭାବି ସେ ଘାବରେଇ ଗଲା। ଖାଦ୍ୟ ଓ ପାଣି ବିନା ଦିନ ଯାକର କଠିନ ପରିଶ୍ରମ ହେତୁ ତା' ଦେହ ଅବଶ ହୋଇପଡୁଥାଏ। ତଥାପି ସେ ସାହସ ବାନ୍ଧି ଖୁବ ଜୋରରେ ଦୌଡ଼ି ଦୌଡ଼ି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚାହିଁଲା। ତା' ଛାତି ଧଡ଼ ଧଡ଼ ହେବା ଆରମ୍ଭ କଲା। ପାଦ ଦୁଇଟି ଅବଶ ହୋଇଗଲା। ସୂର୍ଯ୍ୟାସ୍ତ ପ୍ରାୟ। ଲୋକଟି ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲା। କିଛି କ୍ଷଣ ଭିତରେ.....
ବାଟରେ ଯାଉଥିବା ବାଟୋଇମାନେ ତା'ର ମୃତ ଦେହ ଦେଖିଲେ। ତାକୁ ଶ୍ମଶାନକୁ ନିଆଗଲା। ପୋତିବା ନିମନ୍ତେ ମାତ୍ର ସାଢ଼େ ତିନି ହାତ ଜମି ଲୋଡ଼ା ପଡ଼ିଲା।
୭. ୯. ୧୮

No comments:
Post a Comment