Saturday, 15 September 2018

*ତ୍ୱଦୀୟ ପାଦ ପଙ୍କଜମ..*

ରାଜକୁମାର ସୋନଭଦ୍ର ବ୍ରହ୍ମକମଳ ପୁଷ୍ପ ଆଣି ଆସିବାରୁ ତାଙ୍କ ସହ ରେବାଙ୍କ ବିବାହ ସୁନିଶ୍ଚିତ ହୋଇଗଲା। ସେଦିନଠାରୁ ବିବାହ ତିଥି ଭିତରେ କିଛି ବ୍ୟବଧାନ ଥିଲା। ଉଭୟଙ୍କ ଭିତରେ ବିବାହ ପୂର୍ବରୁ ସାକ୍ଷାତ ହେବାର ସୁଯୋଗ ନ ଥାଏ। ୟା ଭିତରେ ରେବା ନିଜ ସଖୀ ଜୁହିଲାଙ୍କ ଦ୍ୱାରା ସୋନଭଦ୍ରଙ୍କ ନିକଟକୁ ଏକ ବାର୍ତ୍ତା ପ୍ରେରଣ କଲେ। ଜୁହିଲା ରାଜକୁମାରଙ୍କ ପାଖକୁ ଯିବା ପାଇଁ ବସ୍ତ୍ର ଓ ଗହଣା ମାଗିଲା। ରେବାଙ୍କ ଠାରୁ ବସ୍ତ୍ର ଓ ଗହଣା ପାଇବା ପରେ ତାକୁ ପିନ୍ଧି ସେ ସୋନଭଦ୍ର ପାଖରେ ପହଞ୍ଚିଲା। ଜୁହିଲାକୁ ଦେଖି ସୋନଭଦ୍ର ଭ୍ରମରେ ରାଜକୁମାରୀ ଆସିଛନ୍ତି ବୋଲି ଭାବି ପ୍ରେମାଳାପ କରିବା ସହିତ ପ୍ରଣୟ ନିବେଦନ କରିବାରୁ ସଙ୍କୋଚବଶତଃ ଜୁହିଲା ମନାକରି ପାରିଲା ନାହିଁ। ତାର ମନ ତରଳିଗଲା। ବହୁତ ଦିନ ବିତିଗଲା। ଜୁହିଲା ଆଉ ନ ଫେରିବାରୁ ଖବର କଣ ହୋଇଛି ବୁଝିବାକୁ ରେବା ନିଜେ ସୋନଭଦ୍ରଙ୍କୁ ସାକ୍ଷାତ କରିବାକୁ ବାହାରି ପଡ଼ିଲେ। ସେଠାରେ ସେ ପ୍ରାଣୟଲୀଳାରେ ରତ ଥିବା ସୋନଭଦ୍ର ଓ ଜୁହିଲାଙ୍କୁ ଦେଖି ସେଥିରେ ନାରାଜ ହୋଇ ବିପରୀତ ଦିଗରେ ଯିବାକୁ ଆରମ୍ଭ କଲେ।

ଆଉ ଏକ କଥା ଅନୁସାରେ ସୋନଭଦ୍ର ଓ ନର୍ମଦା ଉଭୟଙ୍କ ଜନ୍ମ ଅମରକଣ୍ଟକରେ ହୋଇଥିଲା। ଉଭୟଙ୍କ ଶୈଶବ କାଳ ସେଇଠି ବିତିଥିଲା। ସୋନଭଦ୍ରକୁ ନଦ କୁହାଯାଏ। ନଦୀର ପୁଲିଙ୍ଗ ନଦ। ଉଭୟ ଯେତେବେଳେ କିଶୋରାବସ୍ଥା ପ୍ରାପ୍ତ ହେଲେ ଉଭୟଙ୍କ ଭିତରେ ଅନୁରାଗ ବଢ଼ିଲା ଓ ପ୍ରେମ ବନ୍ଧନରେ ଉଭୟ ଆବଦ୍ଧ ହୋଇଗଲେ। ଉଭୟ ବହୁତ ପ୍ରସନ୍ନ ଥିଲେ। ସେତିକିବେଳେ ତାଙ୍କ ମଧ୍ୟରେ ରେବାଙ୍କ ସଖୀ ଜୁହିଲା ଆସିଗଲା। ସୋନଭଦ୍ର ଜୁହିଲାର ପ୍ରେମରେ ପଡ଼ିଗଲେ। ନର୍ମଦାଙ୍କୁ ଯେତେବେଳେ ଏହା ଜଣାପଡ଼ିଲା ସେ ସୋନଭଦ୍ରଙ୍କୁ ବହୁତ ବୁଝାଇବାକୁ ଚେଷ୍ଟାକଲେ, କିନ୍ତୁ ପରିଣାମ କିଛି ହେଲା ନାହିଁ। ଏଭଳି ପରିସ୍ଥିତିରେ ରେବା ବିପରୀତ ଦିଗରେ ଚାଲିଗଲେ ଓ ସର୍ବଦା ଚିରକୁମାରୀ ହୋଇ ରହିବାକୁ ପ୍ରତିଜ୍ଞା କଲେ।

କ୍ରମଶଃ....

୧୫. ୯. ୧୮

No comments: