Sunday, 2 September 2018

*ଜୟ ଶ୍ରୀକୃଷ୍ଣ*

ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ଥିଲେ ଯୋଗେଶ୍ୱର ଶ୍ରୀକୃଷ୍ଣ। ରାଜସୂୟ ଯଜ୍ଞରେ ତାଙ୍କୁ ଅଗ୍ର ପୂଜାର ସମ୍ମାନ ପ୍ରାପ୍ତ ହୋଇଥିଲା। କଂସ, ଜରାସନ୍ଧ, କାଳଯବନାଦି ଦୁଷ୍ଟ ଅହଂକାରୀମାନଙ୍କୁ ସେ ସଂହାର କରିଥିଲେ। ସେ ଥିଲେ ମହାଭାରତର ମହାନାୟକ। ସାରା ଦୁନିଆରେ ତାଙ୍କର କୀର୍ତ୍ତି ବ୍ୟାପି ଯାଇଥିଲା।
ଥରେ ସେ ତାଙ୍କ ଭବ୍ୟ ପ୍ରାସାଦରେ ବସି ପାଟରାଣୀ ରୁକ୍ମଣୀଙ୍କ ସହ ଆଳାପ କରୁଥିଲେ। ସେତିକିବେଳେ ତାଙ୍କ ନଜର ଦୂରରେ ଥିବା ମୁଖ୍ୟଦ୍ୱାର ଉପରେ ପଡ଼ିଲା। ସେ ଦେଖିଲେ ଯେ ମୁଖ୍ୟଦ୍ୱାରରେ ନିଯୁକ୍ତ ଥିବା ଦ୍ୱାରପାଳ ଜଣେ ଆଗନ୍ତୁକକୁ ଅଟକାଉଛି। ଟିକେ ଭଲ ଭାବେ ନଜର ପକାଇ ସେ ସଙ୍ଗେ ସଙ୍ଗେ ସେଠାରୁ ଉଠି କ୍ଷିପ୍ର ବେଗରେ ଦୌଡ଼ି ଯାଇ ମୁଖ୍ୟ ଦ୍ୱାର ପାଖରେ ପହଞ୍ଚିଗଲେ।
ଆଗନ୍ତୁକକୁ କହିଲେ, "ଆରେ ସୁଦାମା ! ତୁମେ ଆସିଛ !" ଏତିକି କହି ଭାବ ବିହ୍ଵଳ ହୋଇ ସେ ତାଙ୍କୁ କୁଣ୍ଢେଇ ପକାଇଲେ। ଦ୍ୱାରପାଳ ଓ ଅନ୍ୟ ଲୋକ ସେହି ଦୃଶ୍ୟକୁ ଦେଖି ଚକିତ ହୋଇଯାଇଥିଲେ। ଶ୍ରୀକୃଷ୍ଣଙ୍କ ମସ୍ତକରେ ରତ୍ନରେ ସଜ୍ଜିତ ମୁକୁଟ ଶୋଭା ପାଉଥିଲା। ସୁଦାମାଙ୍କ ମୁଣ୍ଡରେ ଥିଲା ପୁରୁଣା ଲୁଗାରେ ଘେରା ହୋଇଥିବା ପଗଡ଼ି। ଶ୍ରୀକୃଷ୍ଣଙ୍କ ଦେହରେ ଥିଲା ନରମ ରେଶମ ବସ୍ତ୍ର, ସୁଦାମାଙ୍କ ଦେହରେ ଥିଲା ପୁରୁଣା ମୋଟା ବସ୍ତ୍ର। ସୁଦାମା ନିଜକୁ ସଙ୍କୋଚ ଅନୁଭବ କରୁଥିଲେ। ତଥାପି ସୁଦାମାଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ମନରେ ଥିଲା ଅକୃତ୍ରିମ ପ୍ରେମ। ଯାହା ତାଙ୍କ ନେତ୍ର ଯୁଗଳରୁ ଝରି ପଡୁଥିଲା। ତା'ପରେ ଶ୍ରୀକୃଷ୍ଣ ସୁଦାମାଙ୍କ ହାତକୁ ଧରି ନିଜ ପ୍ରାସାଦକୁ ନେଇଗଲେ ଓ ନିଜ ପାଖରେ ବସାଇଲେ। ସେ ତାଙ୍କ ବାଲ୍ୟ ବନ୍ଧୁଙ୍କୁ ଯଥୋଚିତ ଆଦର ସତ୍କାର କଲେ। ସୁଦାମା ମଧ୍ୟ ନିଜ ସାଙ୍ଗ ଶ୍ରୀକୃଷ୍ଣଙ୍କ ପାଇଁ କିଛି ଖୁଦ ଭଜା କାନିରେ ବାନ୍ଧି ନେଇ ଆସିଥିଲେ। ସେହି ଖୁଦ ଭଜାକୁ ବଡ଼ ଆନନ୍ଦରେ ଶ୍ରୀକୃଷ୍ଣ ଚୋବାଉ ଥିଲେ। ଯିବା ସମୟରେ ଶ୍ରୀକୃଷ୍ଣ ସୁଦାମାଙ୍କୁ ଅପାର ଧନ ତଥା ଐଶ୍ୱର୍ଯ୍ୟ ପ୍ରଦାନ କଲେ।  ତାଙ୍କ ଜୀବନରେ ଏହିପରି ଅସଂଖ୍ୟ ଉଦାହରଣ ରହିଛି। ଯାହାକୁ ପଢ଼ି ନିକଟ ଅତୀତରେ ଆଉରଙ୍ଗଜେବଙ୍କ ବଡ଼ ଭାଇ ଦାରାସିକୋ ମଧ୍ୟ କୃଷ୍ଣ ଜନ୍ମସ୍ଥାନ(ମଥୁରା)ରେ ଶଙ୍ଖ ମଲମଲ ପଥରରେ ସାଜସଜ୍ଜା କରି ନିଜର ଶ୍ରଦ୍ଧା ନିବେଦିତ କରିଥିଲେ।
କି ଧନି, କି ଗରିବ, କି ପାଠୁଆ, କି ଅପାଠୁଆ, କି ଜାତି, କି ପନ୍ଥ, କି ଦଳ - ଏ ସବୁର ଊର୍ଦ୍ଧ୍ୱରେ ଥିଲେ ଭଗବାନ ଶ୍ରୀକୃଷ୍ଣ।
ଆସନ୍ତୁ, ଆଜି ତାଙ୍କରି ଜନ୍ମ ଦିନରେ ଏ ସବୁ ଭେଦ ଭାବକୁ ନିଜ ମନରୁ ଦୂର କରି ନିଜ ହୃଦୟରେ ବନ୍ଧୁ ଭାବକୁ ଅଙ୍କୁରିତ କରିବା।

୨. ୯. ୧୮

No comments: