ଭାରତ ଭୂମି ମାତ୍ର ନୁହେଁ। ଏହା ଆମର ମାତୃଭୂମି। ଏହାର ବିଚାର ପାଇଁ ପୁଣି ଆମକୁ ଆଉ ଦୁଇଟି ଶବ୍ଦକୁ ବୁଝିବାକୁ ପଡ଼ିବ। ଗୋଟିଏ ହେଲା ଶୋଧ ବା ଗବେଷଣା ଅନ୍ୟଟି ହେଲା ବୋଧ ବା ଭାବନା।
ଗବେଷଣା ସମ୍ଭବ ହୁଏ ଉପଲବ୍ଧ ତଥ୍ୟ, ଉପଲବ୍ଧ ବିଚାର, ଉପଲବ୍ଧ ସାମଗ୍ରୀକୁ ନେଇ। ଏଥିରେ ବି ଗବେଷକର ଏକ ନିଷ୍କର୍ଷ ଥାଏ।
ଭାବନା - ପରମ୍ପରା, ସଂସ୍କୃତି ଓ ଦର୍ଶନର ପ୍ରତ୍ୟକ୍ଷ ଅନୁଭୂତି ଅଟେ।
ଗବେଷଣା - ଇତିହାସ ଓ ଭୁଗୋଳ ବହି ତିଆରି କରିପାରେ। ନଦୀର ଗତିପଥ ଦେଖାଇ ପାରେ, ଭୂମିର ଅକ୍ଷାଂଶ, ଦ୍ରାଘିମା ସ୍ଥିର କରିପାରେ, ଡିସ୍କଭରି ଅଫ ଇଣ୍ଡିଆ ବହି ଲେଖିପାରେ।
ଗୀତାରେ ସାଂଖ୍ୟ ଯୋଗ, କର୍ମ ଯୋଗ, ବିଷାଦ ଯୋଗ ଆଦି ଦ୍ୱାରା ସ୍ଥିତିକୁ ବୁଝାଯାଇପାରେ।
ସେହି ଗୀତାରେ କିଛି ବାଟ ଗଲେ ଆସେ ଭାବ ତତ୍ତ୍ୱ। ସେଥିରେ ଶ୍ରୀକୃଷ୍ଣ କୁହନ୍ତି ସବୁର ଶ୍ରେଷ୍ଠଗୁଡ଼ିକ ମୁଁ।
ସେହିପରି ଇତିହାସ ଓ ଭୁଗୋଳରେ ଥିବା ନଦୀ ଓ ଭୂମି ସ୍ୱାମୀ ବିବେକାନନ୍ଦ, ବଙ୍କୀମଚନ୍ଦ୍ର, ଯୋଗୀ ଅରବିନ୍ଦ, କବିଗୁରୁ ଆଦିଙ୍କ ପାଇଁ ହୋଇଯାଏ ମାଆ। ସ୍ୱାମୀ ରାମତୀର୍ଥ କୁହନ୍ତି ମୁଁ ହିଁ ଭାରତ।
ଶୋଧର ନିଷ୍କର୍ଷ ଓ କିଛି ସଭାର ନିଷ୍କର୍ଷକୁ ଅନ୍ତିମ ସତ୍ୟ ବୋଲି କୁହାଯାଉଛି। ଆମ ବୁଦ୍ଧିଜୀବୀ ଆଜି ଏହି ରୋଗରେ ଗ୍ରସ୍ତ।
କିଛି ନିଷ୍କର୍ଷର କାଗଜ ଧରି ସେ କହୁଛି ଦିସ ଇଜ ଦ ଲ। ୟୁ କ୍ୟାଣ୍ଟ ଡେଭିଏଟ ଦିସ ଲାଇନ।
କିନ୍ତୁ ଭାରତ ଵୋଧ କ'ଣ କୁହେ ? ନା, ସେଇଟା ତ ଠିକ୍ ଭଳି ଲାଗୁ ନାହିଁ। ଆସ ଆଉଥରେ ବସି ବିଚାର କରିବା। କାରଣ ଦେଶ, କାଳ, ପାତ୍ର ଅନୁସାରେ ଗୋଟିଏ ନିୟମ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇ ନ ପାରେ।
ତେଣୁ ବେଦ କାଳରୁ ଆମର ଏଠି ରହି ଆସିଛି
ପ୍ରଶ୍ନକୁ ସ୍ୱାଗତ କରିବା, ସମ୍ମୁଖୀନ ହେବା, ଧର୍ଯ୍ୟର ସହ ବୁଝାଇବାର ଭାବନା। ଶିବ ପାର୍ବତୀ ସମ୍ବାଦ, ପଶୁପକ୍ଷୀ ସମ୍ବାଦ, ଯମ ନଚିକେତା ସମ୍ବାଦ, ଯକ୍ଷ ଯୁଧିଷ୍ଠିର ପ୍ରଶ୍ନ, ଯମ ସାବିତ୍ରୀ ସମ୍ବାଦ ଆଦି ଅସଂଖ୍ୟ ସମ୍ବାଦରେ ଆମ ଶାସ୍ତ୍ର ଭରପୂର। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଶଙ୍କା ସମାଧାନ କାର୍ଯ୍ୟକ୍ରମ, ଯେଉଁଠି ବଡ଼ ଅଧିକାରୀଙ୍କୁ ସାମାନ୍ୟ ସଦସ୍ୟ ଜଣେ ସ୍ୱାଭାବିକ ଭାବରେ ପ୍ରଶ୍ନ ପଚାରି ପାରନ୍ତି, ଯେଉଁ ପରିବାରରେ ଏ ପ୍ରକାର ପ୍ରଶ୍ନ ପଚାରିବାକୁ ସ୍ୱାଗତ କରାଯାଇଥାଏ ସେହି ପରିବାର ବା ସେହି ସଂସ୍ଥାର ଭାବ ବୋଧ ବହୁତ ସୁଦୃଢ଼ ହୋଇଥାଏ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମ ହୋଇଥିଲେ ବୋଲି ଭାରତର ଜନ ଓ ଗଣକୁ ବୁଝାଇବାକୁ ପଡ଼ିବ କି ? କୌଣସି କାରଣରୁ ସେହି ସତ୍ୟକୁ ପରୀକ୍ଷା କରିବା ପାଇଁ ପ୍ରଶ୍ନ ଆସିଛି ଓ ଭାରତବାସୀ ଧର୍ଯ୍ୟର ସହ ତା'ର ଉତ୍ତର ଦେଉଛନ୍ତି।
ଏଇଭଳି ବୋଧକୁ ନେଇ ସୃଷ୍ଟି ହୁଏ ମୂଲ୍ୟବୋଧ
ବା ଜୀବନ ମୂଲ୍ୟ।
ଆମ ଭାରତର ଜନ, ଆମ ଭାରତର ଗଣର ସ୍ଵଭାବ ହେଉଛି ସାମୂହିକତା । ଏକଲା ରହିବାକୁ ସେ କେବେ ବି ପସନ୍ଦ କରେ ନାହିଁ।
ଏହାହିଁ ହେଉଛି ଆମ ଭାରତୀୟ ଜନ ଗଣଙ୍କ ଭାରତ ବୋଧ। ଭାରତର ସୁଖରେ ସେ ସୁଖି ହୁଏ ଭାରତର ଦୁଃଖରେ ସେ ଦୁଃଖି ହୁଏ।
ଏହାର ଓଲଟା ବିଚାର କଲେ ହେବ ମୁଁ ଓଡ଼ିଶାର, ମୁଁ ଭୁବନେଶ୍ୱରର, ମୁଁ ଜୟଦେବ ବିହାରର, ମୁଁ ଅମୁକ ପ୍ଲାଜାର, ମୁଁ ଅମୁକ କକ୍ଷର... ଏହିପରି ବିଶାଳ ଭାବ କମି କମି ଶେଷରେ ଯାଇ ଏକ ଦୁଇ ଗୋଡ଼ିଆ ଜୀଵ ପାଖରେ ଅଟକିଯାଏ।
ପ୍ରଶ୍ନ ହେଉଛି ଆମେ କେଉଁ ପ୍ରକାର ବିଚାର କରୁଛନ୍ତି ?
ଭାରତର ଭାବ-ବୋଧ ଆମ ପାଖରେ ଅଛି ତ ?
ଯଦି କେଉଁଠି କିଛି ଅସୁବିଧା ଦେଖାଯାଉଛି, ରାଷ୍ଟ୍ର ବିଷୟକ କିଛି ବିଶୃଙ୍ଖଳା ବା ସମସ୍ୟା ଦେଖାଯାଉଛି ତେବେ ଆମେ ଆଖି ବନ୍ଦ କରି କହିପାରିବା ସେ ଜାଗାରେ ଭାରତ ବୋଧର ଅଭାବ ଅଛି।
୨୮. ୯. ୧୮

No comments:
Post a Comment