Thursday, 6 September 2018

*ସୈନିକ କାହାର ?*

୧୯୪୭ ପୂର୍ବରୁ ଆମ ଦେଶ ପରାଧୀନ ଥିଲା। ସେ ସମୟରେ ଆମର ନେତାମାନେ ନିଜ ନିଜ ବୁଦ୍ଧିମତା ଅନୁସାରେ  ଦେଶକୁ ସ୍ୱାଧୀନ କରିବାର ଉପାୟ କହୁଥିଲେ। ସେନା ଆମ ଅଧୀନରେ ରହିବା ଦରକାର। ସେନା ହାତକୁ ଆସିଗଲେ ଆମେ ଖୁବ ଶୀଘ୍ର ସ୍ୱାଧୀନ ହୋଇଯିବା। ଏପରି ଆଗ୍ରହ ସେତେବେଳେ ଅନେକ ରାଜନେତା କରୁଥିଲେ।

୧୯୪୭ ପରେ ଦେଶ ସ୍ଵାଧୀନ ହୋଇଯାଇଥାଏ।
ସେତେବେଳେ ଶ୍ରୀଗୁରୁଜୀ କହୁଥିଲେ, ଉପରୋକ୍ତ ବିଚାର ଆଜି ଓଲଟା ଜଣା ପଡୁଛି। ଆଜି ଲୋକ କହୁଛନ୍ତି ଯିଏ ଶାସନ କରିବ ସେନା ତାଙ୍କ ଅଧୀନରେ ରହିବ।

ସେ ତାଙ୍କ ଅନୁଭବ ଶୁଣାଇବାକୁ ଯାଇ କହିଥିଲେ, ଥରେ ଜଣେ ଶ୍ରେଷ୍ଠ ସେନା ଅଧିକାରୀଙ୍କ ସହ ମୋର ଭେଟ ହେଲା। ସେତେବେଳେ ରାଜ୍ୟ-ରାଜ୍ୟ ଭିତରେ ଉଗ୍ର ଆନ୍ଦୋଳନ ଚାଲିଥିଲା। ସଭା ହେଉଥିଲା, ସ୍ଲୋଗାନ ଦିଆଯାଉଥିଲା, ଶୋଭାଯାତ୍ରା ବାହାରୁଥିଲା। ଲାଠି ମାଡ଼, ଗୁଳି ଚଳା, କିଛି ରାଜ୍ୟକୁ ସେନା ଅଧୀନ କରିଦେବା ଆଦି ସେ ସମୟର ନିତ୍ୟ ଖବର ଥିଲା। ଏ ସବୁ ବିଷୟକୁ ନେଇ ସେହି ସେନାଧିକାରୀ ମୋ ସହିତ ଦୀର୍ଘ ସମୟ କଥା ହେଲେ ଓ ମୋତେ ଦେଶଭକ୍ତିର ପାଠ ପଢ଼ାଇଲେ।

ମୁଁ ତାଙ୍କୁ ପଚାରିଲି, "ଇଂରେଜ ଶାସନରେ କ'ଣ ଆପଣ ଓ ଆପଣଙ୍କ ସୈନିକମାନେ ଭାରତୀୟ ଜନତାଙ୍କ ଉପରେ ଗୁଳି ଚଳାଇ ନାହାନ୍ତି ?"

ସେନା ଅଧିକାରୀ କହିଲେ, "ହଁ ଆଜ୍ଞା, ସେତେବେଳେ ଆମେ ସବୁ ଇଂରେଜଙ୍କ ଆଦେଶରେ ଆମ ଭାରତୀୟଙ୍କ ଉପରେ ଗୁଳି ଚଳାଇଛୁ।"

ମୁଁ କହିଲି, "ଏବେ ତ ଆମର ଦେଶ ସ୍ୱାଧୀନ ହୋଇ ଯାଇଛି। ଏବେ ବି କ'ଣ ଆପଣ ଆମରି ଭାଇ ବନ୍ଧୁମାନଙ୍କ ଉପରେ ଗୁଳି ଚଳାଇବେ ?"

ଅଧିକାରୀ ଜଣକ ଚିନ୍ତାରେ ପଡ଼ିଗଲେ। କିଛି କ୍ଷଣ ପରେ କହିଲେ, "ଆମକୁ ତ ଗୁଳି ଚଳାଇବାକୁ ହେବ। ଯେଉଁ ଆଜ୍ଞା ଆସିବ, ତାକୁ ପାଳନ କରିବାକୁ ହେବ।"

ମୁଁ ତାଙ୍କୁ କହିଲି, "ହଁ, ଆପଣ ଯାହା କହିଲେ, ଏବେ ସେଇଆ ଚାଲିଛି। ରାଜନେତାମାନେ ଆଦେଶ ଦେଉଛନ୍ତି ଓ ଆପଣମାନେ ନିଜ ଦେଶର ଜନତାଙ୍କ ପ୍ରାଣ ହରଣ କରିନେଉଛନ୍ତି। ପ୍ରଶ୍ନ ହେଉଛି ଯେ ଆମେ ଚାକିରିଆ କାହାର ? ସୈନିକ କାହାର ?? ଶାସକ ଦଳର ନା ଦେଶର ???"

ସ୍ୱାଧୀନ ଦେଶରେ ପ୍ରତ୍ୟେକ ନାଗରିକ ରାଷ୍ଟ୍ରଭକ୍ତ ହେବା ଉଚିତ। ଶାସକ, ସୈନିକ, ସାଧାରଣ ଜନତା, ବିରୋଧୀ ପକ୍ଷ, ସମସ୍ତଙ୍କ ମନରେ ରାଷ୍ଟ୍ରଭକ୍ତି ରହିବା ଉଚିତ। ସମସ୍ତଙ୍କ ହୃଦୟ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହେବା ଉଚିତ। ତେବେ ଯାଇ ଦେଶର କଲ୍ୟାଣ ହେବ ଓ ଦେଶ ଉନ୍ନତି ପଥରେ ଅଗ୍ରସର ହୋଇ ପାରିବ।

୬. ୯. ୧୮

No comments: