Thursday, 20 September 2018

*ଦକ୍ଷିଣ ତଟରୁ ପ୍ରସ୍ଥାନ ପର୍ବ ଆରମ୍ଭ*

ମୁହାଁଣରୁ ଫେରିବା ସମୟରେ ନର୍ମଦା ନଦୀ ଡାହାଣ ପଟେ ରହେ। ଏହି ମାର୍ଗରେ ପୋଣ୍ଡି, ବିମଳେଶ୍ୱର, କୋଟେଶ୍ୱର, ଗୋଲଡ଼ନ ବ୍ରିଜ, ବୁଲବୁଲକାଣ୍ଡ, ରାମକୁଣ୍ଡ, ବଡ଼ୱାନୀ, ମମଲେଶ୍ୱର, ଖଣ୍ଡୱା, ସାଡ଼ିୟା, ବରମାନ, ମହାରାଜପୁର ଆଦି ଅନେକ ତୀର୍ଥସ୍ଥାନ ରହିଛି। ଏହାକୁ ଅତିକ୍ରମ କରି ଶେଷରେ ଅମରକଣ୍ଟକରେ ପରିକ୍ରମାର ଉଦଯାପନ କରାଯାଏ। କୁହାଯାଏ ଯେ ପ୍ରାୟ ୨୫ କୋଟି ବର୍ଷ ହେଲା ଏହି ପରିକ୍ରମା ଅନବରତ ଚାଲି ଆସିଛି। ଏହି ପରିକ୍ରମା ମାର୍ଗରେ ପ୍ରାୟ ଦଶ କୋଟି ଦୃଶ୍ୟ ଅଦୃଶ୍ୟ ତୀର୍ଥସ୍ଥଳର ପୁଣ୍ୟାବଗାହନ କରାଯାଇଥାଏ।

ନର୍ମଦା ନଦୀର ପରିକ୍ରମା ଏକ ତପସ୍ୟା ଅଟେ। ତୀର୍ଥଯାତ୍ରୀଙ୍କୁ ପ୍ରତିଦିନ ନର୍ମଦା ନଦୀରେ ସ୍ନାନ କରିବାକୁ ହୁଏ ଓ ନଦୀର ଜଳ ପିଇବାକୁ ହୁଏ। ପରିକ୍ରମା ସମୟରେ କାହାରିଠାରୁ ଦାନ ଗ୍ରହଣ କରାଯାଏ ନାହିଁ; କିନ୍ତୁ ଭୋଜନର ଆତିଥ୍ୟ ସ୍ୱୀକାର କରାଯାଏ। କେବଳ ଚାତୁର୍ମାସ ଅର୍ଥାତ୍  ଦେବଶୟନୀ ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ ଦେବୋତ୍ଥାନ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପରିକ୍ରମା ବନ୍ଦ ରହେ। ସଦଗ୍ରନ୍ଥର ପାରାୟଣ ହୁଏ। ତପସ୍ୱୀଙ୍କୁ ବାଣୀ ଉପରେ ସଂଯମ ରଖିବାକୁ ହୁଏ। କାୟିକ ତପ ଅର୍ଥାତ୍ ଦେବ, ଦ୍ଵିଜ, ଗୁରୁ, ପ୍ରାଜ୍ଞ ପୂଜନ, ଶୁଦ୍ଧତା ରକ୍ଷା, ସରଳତା, ବ୍ରହ୍ମଚର୍ଯ୍ୟ ପାଳନ ଏବଂ ଅହିଂସା ଆଚରଣ ସହିତ ମାନସିକ ତପ ଅର୍ଥାତ୍ ମନର ପ୍ରସନ୍ନତା, ସୌମ୍ୟଭାଵ, ମନନଶୀଳତା, ମନୋନିଗ୍ରହ ଭାବର ସମ୍ୟକ ଶୁଦ୍ଧି ସହିତ ବାନପ୍ରସ୍ଥି ତପସ୍ୱୀଙ୍କ ଭଳି ଯାତ୍ରୀ ଆଗକୁ ବଢ଼ିଥାନ୍ତି। ଶେଷରେ ଭଗବାନ ଶିବଙ୍କ ଜଳାଭିଷେକ କରାଯାଏ।  ଆରମ୍ଭ ଓ ସମାପନ ସମୟରେ ନର୍ମଦାଙ୍କ ପୂଜା କରାଯାଏ।
ନର୍ମଦା ନଦୀ ଭାରତବର୍ଷର କଟୀ ଦେଶରେ ହଜାର ହଜାର ବର୍ଷ ହେଲା ଅଧ୍ୟାତ୍ମର ସ୍ରୋତସ୍ୱିନୀ ହୋଇ ବହି ଚାଲିଛି। ଆଦ୍ୟ ଶଙ୍କରାଚାର୍ଯ୍ୟ ଏହି ନଦୀ ତଟରେ ବସି ଏଇ ନଦୀକୁ ସ୍ତୁତି କରିଛନ୍ତି। ତାଙ୍କର ସେହି ସ୍ତୁତି 'ନର୍ମଦାଷ୍ଟକମ୍'ରେ  "ତ୍ୱଦୀୟ ପାଦ ପଙ୍କଜମ୍ ନମାମି ଦେବୀ ନର୍ମଦେ" ରଚନା ଅଦ୍ଵିତୀୟ ଅଟେ।

୨୦. ୯. ୧୮

No comments: