ପ୍ରାଚୀନ ଆର୍ଷ ଗ୍ରନ୍ଥମାନଙ୍କରେ ବିବିଧ ରୂପରେ ନଦୀମାନଙ୍କର ଉଲ୍ଲେଖ ତ ହୋଇଛି, କିନ୍ତୁ ସର୍ବାଧିକ ସମ୍ମାନ ଗଙ୍ଗା ଓ ନର୍ମଦାଙ୍କୁ ପ୍ରାପ୍ତ ହୋଇଛି। ନର୍ମଦାଙ୍କ ଚିତ୍ରଣ ସ୍କନ୍ଦ ପୁରାଣ, ମତ୍ସ୍ୟ ପୁରାଣ, ପଦ୍ମ ପୁରାଣ, ଶତପଥ ବ୍ରାହ୍ମଣ, ପାଣିନୀ ମହିଷ୍ପତି, ମହାଭାରତର ଭୀଷ୍ମ ପର୍ବ, ରାମାୟଣ, ବିଷ୍ଣୁ ପୁରାଣ, ଶ୍ରୀମଦ୍ଭଗବତ ଗୀତା ଆଦି ଗ୍ରନ୍ଥମାନଙ୍କରେ ବଡ଼ ସୁନ୍ଦର ଢଙ୍ଗରେ କରାଯାଇଛି। ଗୁପ୍ତଯୁଗର ଅମରକୋଷରେ ମଧ୍ୟ ମା' ନର୍ମଦାଙ୍କ ବ୍ୟାଖ୍ୟା କରାଯାଇଛି। ନର୍ମଦାଙ୍କ ମହାନତା ଅନୁମାନ କରିହେବ କାରଣ, ଯାହାଙ୍କ ମାହାତ୍ମ୍ୟ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ପୁରାଣ 'ନର୍ମଦା ପୁରାଣ' ନାମରେ ରଚିତ ହୋଇଛି।
'ଭାଗବତ ପୁରାଣ'ରେ ରେବା ଓ ନର୍ମଦା ଉଭୟ ନାମ ଏକାଠି ଦିଆଯାଇଛି। ମହାକବି କାଳିଦାସ ରଘୁବଂଶରେ କହିଛନ୍ତି ମହିଷ୍ମତି ରେବା କୂଳରେ ଅବସ୍ଥିତ। ମେଘଦୂତରେ ସେ ରେବା ନଦୀର ବଡ଼ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯକ୍ଷ ମେଘକୁ କହୁଛି, "ଯାଅ, ବାଟରେ ରେବା ସହ ଭେଟ ହେବ।"
"ସ୍ଥିତ୍ବା ତସ୍ମିନ ବନଚରବଧୂଭୁକ୍ତ କୁଞ୍ଜେ ମୁହୂର୍ତ୍ତମ,
ତୋୟୋତସର୍ଗାଦ ଦୂତ ତରଗତିସ୍ତତ୍ପରମ ବର୍ତ୍ତମତୀର୍ଣଃ।
ରେବା ଦ୍ରକ୍ଷସ୍ୟୁପଲବିଷମେ ବିନ୍ଧ୍ୟପାଦେ ବିଶିର୍ଣମ,
ଭକ୍ତିଛେଦୈରିବ ବିରଚିତାଂ ଭୂତିମଙ୍ଗେ ଗଜସ୍ୟ।"
ଅର୍ଥାତ୍ 'ମେଘଦୂତ'ରେ କାଳିଦାସ ଯକ୍ଷ ଓ ମେଘର ବାର୍ତ୍ତାଳାପକୁ ଉଦ୍ଧୃତ କରି କହିଛନ୍ତି -
ଯକ୍ଷ ମେଘକୁ କହୁଛି, "ସେହି ପର୍ବତ ଉପରେ ଯେଉଁଠି ବନବାସୀଙ୍କ ବଧୂମାନେ ରମଣ କରୁଛନ୍ତି ସେଠି କିଛି ସମୟ ବିଶ୍ରାମ କରିବ। ପୁଣି ଅଳ୍ପ ବର୍ଷା କରି ଧୀର ଭାବେ ଅଲଗା ମାର୍ଗ ବାଛିବ। ବିନ୍ଧ୍ୟ ପର୍ବତର ଶିଖରରେ ଉଚ୍ଚ ନୀଚ ପର୍ବତ ଶ୍ରେଣୀରେ ନର୍ମଦା ତୁମକୁ ଏପରି ବିକ୍ଷିପ୍ତ ଦେଖାହେବ, ଯେପରି ହାତୀ ମୁଣ୍ଡରେ ଭିନ୍ନ ଭିନ୍ନ କଟା କଟା ଦାଗ ଶୋଭା ପାଉଥାଏ।"
କ୍ରମଶଃ...
୧୭. ୯. ୧୮

No comments:
Post a Comment