ଆମେ ଆମର ପବିତ୍ର କାର୍ଯ୍ୟକୁ ବହୁତ ଶାନ୍ତିରେ ତଥା କାହା ମନରେ କଷ୍ଟ ନ ଦେଇ କରିଚାଲିଛୁ। ତଥାପି ଆମ ରାସ୍ତାରେ ନାନା ପ୍ରକାର ଆପତ୍ତି ଅଭିଯୋଗ ଯେ ନ ଆସିବ, କିଏ କହିବ ? ସେ ସବୁକୁ ପ୍ରତିହତ କରିବା ପାଇଁ, ସେଥିରେ ଯଶ ପ୍ରାପ୍ତି କରିବା ପାଇଁ, ନିଜକୁ ସୁସ୍ଥ ରଖିବାକୁ ହେବ। ମନରେ ଏକାଗ୍ରତାର ଅଭ୍ୟାସ କରିବାକୁ ହେବ। ବୁଦ୍ଧିକୁ ଶୁଦ୍ଧ କୁଶାଗ୍ର କରିବାକୁ ହେବ। ଶୁଦ୍ଧ ଚରିତ୍ର ସହିତ ଏ ସବୁ ଗୁଣର ପରିସ୍କରଣ କରିବାକୁ ହେବ। ତାହେଲେ ଆମେ ପରିସ୍ଥିତି ସହ ସଂଘର୍ଷ କରିପାରିବା। ନ ହେଲେ ଧର୍ଯ୍ୟହରା ହୋଇ ରଣ କ୍ଷେତ୍ର ଛାଡ଼ି ପଳାଇବା ହିଁ ସାର ହେବ। ଯିଏ ଦୃଢ଼ ନିଶ୍ଚୟର ସହିତ ନିଜ କର୍ତ୍ତବ୍ୟ ପଥରେ ଅଟଳ ରହେ, ଅବିଚଳିତ ରହେ, ନିତ୍ୟ ଯାହାର ପାଦ ଆଗକୁ ବଢୁଥାଏ, ତାଙ୍କୁ ହିଁ ଦୃଢ଼ ନିଶ୍ଚୟୀ ତଥା ବୀରବ୍ରତୀ କୁହନ୍ତି। ଯିଏ ବୀରବ୍ରତକୁ ସ୍ୱୀକାର କରିଥାନ୍ତି, ତାଙ୍କ ପାଇଁ କ'ଣ ବା ଅସମ୍ଭବ ?
ଶୃଙ୍ଗେରୀପୀଠର ଶଙ୍କରାଚାର୍ଯ୍ୟଙ୍କ ସମ୍ବନ୍ଧରେ ଏକ କାହାଣୀ ପ୍ରାୟ ଆମକୁ ଜଣାଥିବ। ଶୃଙ୍ଗେରୀ ନିକଟରେ ଏକ ଛୋଟ ପାହାଡ଼ ଅଛି। ସେହି ପାହାଡ଼ର ଶିଖର ଦେଶରେ ଥିବା ଶିବ ମନ୍ଦିରରେ ଶଙ୍କରାଚାର୍ଯ୍ୟ ପୂଜା ଅର୍ଚ୍ଚନା କରନ୍ତି। ଦିନେ ସେ ପୂଜାମଗ୍ନ ଥିବାବେଳେ କୁଆଡୁ ଏକ ଭୟଙ୍କର କଳା ସାପ ଫଁ ଫଁ ଗର୍ଜନ କରି ସେଠାରେ ଆସି ପହଞ୍ଚିଗଲା। ଦୁଆର ମୁହଁରେ ତାଙ୍କ ଶିଷ୍ୟ ଛିଡ଼ା ହୋଇଥିଲା। ସେ ବହୁତ ଡରିଗଲା। ତା' ମନରେ ଆସିଲା, ଏ ସାପଟି ଗୁରୁଦେବଙ୍କୁ ଦଂଶନ କରିଦେବନି ତ ? ଏହି କଳ୍ପନା ମାତ୍ରେ ତା' ହୃଦୟରେ କମ୍ପନ ସୃଷ୍ଟି ହେଲା। ସେ ଖୁବ୍ ବଡ଼ ପାଟିରେ କାହାକୁ ଡାକିବାକୁ ଚେଷ୍ଟା କରୁଥିଲା। ଏତିକିବେଳେ ସ୍ୱାମୀଜୀ ସେ ଶିଷ୍ୟକୁ ଚୁପ ରହିବାକୁ ସଙ୍କେତ ଦେଲେ। ଶିଷ୍ୟଟି ଚୁପ ହୋଇଗଲା। ଶଙ୍କରାଚାର୍ଯ୍ୟ ବହୁତ ଶାନ୍ତିର ସହ ମନ୍ତ୍ର ଉଚ୍ଚାରଣପୂର୍ବକ ପୂଜାରେ ଲାଗି ରହିଲେ। ପୂଜା ସାମଗ୍ରୀ ଭିତରେ ଗୋଟିଏ ଗିନା ଥିଲା। ସେ ସେହି ଗିନାଟିକୁ ସାପ ଆଗରେ ରଖିଦେଲେ। ନାଗରାଜ ସେଥିରୁ ଦୁଧ ପିଇଦେଇ ଚୁପଚାପ ଚାଲିଗଲେ।
ଠିକ୍ ସେହିପରି ସଙ୍କଟ ସମୟରେ ଆମେ ମଧ୍ୟ ଆମ ଚିତ୍ତକୁ ଶାନ୍ତ ରଖିବା ଉଚିତ। ଆମେ ଧର୍ଯ୍ୟହରା ନ ହୋଇ ରାସ୍ତା ବାହାର କରିବା ଉଚିତ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସାଧନା ଚାଲୁ ରଖିବା ହିଁ ବୀରବ୍ରତୀର କାର୍ଯ୍ୟ। ସଙ୍କଟାପନ୍ନ ଅବସ୍ଥାରେ ମଧ୍ୟ ଯିଏ ସାଧନା ପଥରେ ଅଗ୍ରସର ଥାଆନ୍ତି, ତାଙ୍କୁ ଈଶ୍ୱର ସହାୟ ହୁଅନ୍ତି। ଈଶ୍ୱରଙ୍କ କୃପାରୁ ତାଙ୍କର ବ୍ରତ ଅଖଣ୍ଡ ରୂପେ ଚାଲିଥାଏ।
୪. ୯. ୧୮

No comments:
Post a Comment