ଜନ୍ମ ଦିନ ଅବସରରେ ଶ୍ରଦ୍ଧାଞ୍ଜଳି...
ଫାଦର କାମିଲ ବୁଲ୍କେଙ୍କ ଜନ୍ମ ୧ ସେପ୍ଟେମ୍ବର ୧୯୦୯ରେ ବେଲ୍ଜିୟମରେ ହୋଇଥିଲା। ପ୍ରାଥମିକ ଶିକ୍ଷା ନିଜ ଗାଁରେ ଓ ୧୯୩୦ରେ ଲୁବେନ ବିଶ୍ୱବିଦ୍ୟାଳରୁ ସେ ଇଞ୍ଜିନିୟରିଂ ପଢ଼ା ସାରିଥିଲେ। ଏହି ସମୟରେ କ୍ୟାଥଲିକ ଇସାଇମାନଙ୍କ ଜେସୁଇଟ ପନ୍ଥ ସହ ତାଙ୍କର ସମ୍ପର୍କ ହେଲା। ସେହି ସଂସ୍ଥାର ଆଦେଶ ଅନୁସାରେ ଅଧ୍ୟାପକ କାମିଲ ବୁଲ୍କେ ପାଦ୍ରୀ ହୋଇ ଖ୍ରୀଷ୍ଟିଆନ ମତର ପ୍ରଚାର ପାଇଁ ୧୯୩୫ ରେ ଭାରତ ଆସିଥିଲେ।
ସର୍ବପ୍ରଥମେ ତାଙ୍କୁ ଦାର୍ଜିଲିଂ ଓ ପରେ ବିହାରର କେତେକ ଅବହେଳିତ ବସ୍ତିରେ ଅଧ୍ୟାପନା କରିବାକୁ ପଡ଼ିଲା। ଏହି ସମୟରେ ସେ ଭାରତୀୟ ଧର୍ମ, ସଂସ୍କୃତି, ଭାଷା ଏବଂ ଦର୍ଶନର ଅଧ୍ୟୟନ କରିବାର ସୁଯୋଗ ପାଇଲେ। ଏହାଦ୍ୱାରା ତାଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଥିଲା। ଇଂରେଜମାନଙ୍କ ଦ୍ୱାରା ଭାରତକୁ ଶାସନ କରିବା ତାଙ୍କୁ କଷ୍ଟଦାୟକ ଅନୁଭବ ହେଲା। କାରଣ ସେ ଦେଖିଲେ ନିର୍ଧନ ଓ ଅପାଠୁଆ ହିନ୍ଦୁ ମାନଙ୍କୁ ଛଳ, ବଳ ଓ ଲାଞ୍ଚ ଦେଇ ଖ୍ରୀଷ୍ଟମତକୁ ପରିବର୍ତ୍ତନ କରାଯାଉଛି। ଏହା ତାଙ୍କୁ ଉଚିତ ଲାଗିଲା ନାହିଁ। ସେ ଭାରତକୁ ନିଜର କର୍ମଭୂମି ବୋଲି ସ୍ୱୀକାର କରି ବେଲ୍ଜିୟମର ନାଗରିକତା ଛାଡ଼ି ଦେଲେ। ଭାରତୀୟ ନାଗରିକ ହୋଇ ଭାରତୀୟଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଲେ।
ଯଦ୍ୟପି ସେ ଫ୍ରେଞ୍ଚ, ଇଂରାଜୀ, ଫ୍ଲେମିଶ(ଡଚ), ଆଇରିଶ ଆଦି ଅନେକ ଭାଷାର ବିଦ୍ୱାନ ଥିଲେ ତଥାପି ସେ ଭାରତର ଭୂମି ସହ ସମରସ ହେବା ପାଇଁ ହିନ୍ଦୀକୁ ନିଜର ଅଭିବ୍ୟକ୍ତିର ଭାଷା ବୋଲି ବାଛିଲେ। ସେ ରାଞ୍ଚିରେ ବିଜ୍ଞାନ ପଢ଼ାଉ ଥିଲେ। ସେତିକିବେଳେ ସେ ହିନ୍ଦୀ ଅଧ୍ୟୟନ କଲେ। କୋଲକାତା ବିଶ୍ୱବିଦ୍ୟାଳୟରୁ ସେ ହିନ୍ଦୀର ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କଲେ। ଏହି ସମୟରେ ତାଙ୍କର ଗୋସ୍ୱାମୀ ତୁଳସୀ ଦାସ ସାହିତ୍ୟ ସହ ବିସ୍ତୃତ ପରିଚୟ ହେଲା। ସେହି ସାହିତ୍ୟ ଅଧ୍ୟୟନ ପରେ ତୁଳସୀ ଦାସ ତାଙ୍କର ପ୍ରିୟ କବି ହୋଇଗଲେ।
ଏବେ ସେ ତୁଳସୀ ସାହିତ୍ୟ ଉପରେ ଗବେଷଣା କଲେ। ୧୯୪୯ରେ ତାଙ୍କୁ "ରାମକଥା : ଉଦ୍ଭବ ଓ ବିକାଶ" ବିଷୟରେ ପି-ଏଚ. ଡି ଉପାଧି ମିଳିଲା। ଏହାପରେ ସେ ରାଞ୍ଚିର ସେଣ୍ଟ ଜାଭିୟର କଲେଜରେ ହିନ୍ଦୀ ବିଭାଗାଧ୍ୟକ୍ଷ ହେଲେ। ତୁଳସୀ ସାହିତ୍ୟର ଗଭୀର ଜ୍ଞାତା ହୋଇ ଥିବାରୁ ତାଙ୍କୁ ସାରା ଦେଶରୁ ବ୍ୟାଖ୍ୟାନ ପାଇଁ ନିମନ୍ତ୍ରଣ ମିଳୁଥିଲା। ଏବେ ତାଙ୍କର ନାଁ ଫାଦର ଜାଗାରେ ବାବା କାମିଲ ବୁଲ୍କେ ହୋଇଗଲା।
ଥରେ ସେ କହିଥିଲେ, "କବିକୁଳ ଶିରୋମଣି ସନ୍ଥ ତୁଳସୀ ଦାସଙ୍କ ବିଷୟରେ ମୁଁ ପିଲାବେଳେ ଅଳ୍ପ ପଢ଼ିଥିଲି। ତାହା ମୁଁ ସେତେବେଳେ ବିଶ୍ୱର ଶ୍ରେଷ୍ଠ ସାହିତ୍ୟର ପରିଚୟ ଥିବା ଏକ ଜର୍ମାନୀ ଗ୍ରନ୍ଥରୁ ପଢ଼ିଥିଲି। ସେଥିରେ ତୁଳସୀ ଦାସ ଓ ଶ୍ରୀ ରାମ ଚରିତ ମାନସ ବିଷୟରେ ସଂକ୍ଷିପ୍ତ ଵର୍ଣ୍ଣନ ଥିଲା। ଜର୍ମାନୀ ଭାଷାରେ ଏହି ବିଷୟ ପଢ଼ିବା ବେଳେ ମୋ ହୃଦୟର ତାର ଝଙ୍କୃତ ହୋଇ ଉଠୁଥିଲା।"
ଶ୍ରୀ ବୁଲ୍କେଙ୍କ ଲେଖନ କାର୍ଯ୍ୟ ବହୁତ ବ୍ୟାପକ। ହିନ୍ଦୀ ତଥା ଇଂରାଜୀରେ ସେ ୨୬ ଟି ପୁସ୍ତକ, ୬୦ ଟି ଗବେଷଣା ଲବ୍ଧ ନିବନ୍ଧ ଓ ୧୦୦ରୁ ଊର୍ଦ୍ଧ୍ବ ଲଘୁ ନିବନ୍ଧ ଲେଖିଛନ୍ତି। ତାଙ୍କ ଦ୍ୱାରା ଲିଖିତ ହିନ୍ଦୀ-ଇଂରାଜୀ ଶବ୍ଦକୋଷ ଆଜି ମଧ୍ୟ ଆଦୃତ। ୧୯୭୪ ରେ ଭାରତ ସରକାର ତାଙ୍କୁ "ପଦ୍ମଭୂଷଣ" ପଦବୀରେ ସମ୍ମାନିତ କରିଥିଲେ। ତାଙ୍କର ଦେହାନ୍ତ ୧୭ ଅଗଷ୍ଟ ୧୯୮୨ରେ ହୋଇଥିଲା।
ଆଜି ଭାରତୀୟ ହୋଇ ଭାରତୀୟ ସାହିତ୍ୟ ଦେଖି ନ ଥିବା ବଡ଼ ବଡ଼ ଲୋକମାନେ ଟିକେ ବାବା ବୁଲ୍କେଙ୍କୁ
ପଢ଼ିବେ କି ?
୧. ୯. ୧୮

No comments:
Post a Comment