ଦେଶ ସ୍ଵାଧୀନ ହେବ ବୋଲି ନିଶ୍ଚିତ ହୋଇଯିବା ପରେ କଂଗ୍ରେସର ପ୍ରେସ ବକ୍ତବ୍ୟ ଆସିଲା ୨୧ ଜୁଲାଇ ୧୯୪୭ ଦିନ 'ଦ ହିନ୍ଦୁସ୍ଥାନ ଟାଇମ୍ସ' ରେ। ସେଥିରେ ଲେଖା ଯାଇଥିଲା ଆମେ ପନ୍ଦର ଅଗଷ୍ଟକୁ ଏପରି ପାଳନ କରିବା ଉଚିତ ଯଦ୍ୱାରା ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇ ତାଙ୍କୁ ଅନୁଭବ ହେବ ଯେ ସେମାନେ ସମସ୍ତେ ସ୍ୱାଧୀନ ଭାରତର ନାଗରିକ..
ଆମର ଭାଗ୍ୟ ଏବେ ଆମ ହାତରେ...
ଆମକୁ ଏବେ ଏକ ମଜଭୁତ ଏବଂ ସମ୍ପନ୍ନ ରାଷ୍ଟ୍ର ନିର୍ମାଣ କରିବାକୁ ପଡ଼ିବ...
ଆମକୁ ଏକ ଲୋକତାନ୍ତ୍ରିକ ବ୍ୟବସ୍ଥା ସ୍ଥାପିତ କରିବାକୁ ହେବ...
ଆମ ଭିତରେ ଥିବା ଆସମାନତା, ଗରିବୀ ଓ ବେରୋଜଗାରୀ ହଟାଇବାକୁ ପଡ଼ିବ..
ଆମକୁ ଲୋକଙ୍କୁ ସଶକ୍ତ କରିବାକୁ ପଡ଼ିବ..
ଏହାକୁ ପଢ଼ିଲେ ଆମକୁ ସ୍ପଷ୍ଟ ଦେଖାଯିବ ଯେ କଂଗ୍ରେସର ଏହି ସଂକଳ୍ପ ପତ୍ରରେ ଆର୍ଥିକ ଓ ରାଜନୈତିକ କଥା ତ ଉଲ୍ଲେଖ ହୋଇଛି; ପରନ୍ତୁ ଦୀର୍ଘ ଦିନର ପରାଧୀନତା କାରଣରୁ ଭାରତର ମାନସ, ଭାରତର ବିଚାର ଓ ଭାରତର ସଂସ୍କୃତି କିପରି ପ୍ରଭାବିତ ହୋଇଛି ଏବଂ ଏଥିରୁ ମୁକ୍ତି ହେବା ଆବଶ୍ୟକ ବୋଲି କିଛି କଥା ଲେଖା ଯାଇ ନାହିଁ।
ରାଷ୍ଟ୍ରର ସଶକ୍ତିକରଣରେ ସଂସ୍କୃତି ଓ ମାନସିକ ଉନ୍ନତିର ବହୁତ ବଡ଼ ଯୋଗଦାନ ରହିଥାଏ। ସାମ୍ରାଜ୍ୟବାଦୀ ବା ଉପନିବେଶବାଦୀଙ୍କ କବଳରୁ ନିଜକୁ ମୁକ୍ତ କରିବା ପାଇଁ ସେତେବେଳେ ଏକ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଏହି ସାଂସ୍କୃତିକ ଓ ମାନସିକ ପରିବର୍ତ୍ତନ ଭଳି ଅନ୍ତ ଶୁଦ୍ଧି ପ୍ରକ୍ରିୟାକୁ ଲାଗୁ କରିବା ହିଁ ଏ ଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ଏହା ହିଁ ସ୍ୱାଧୀନତାର ପ୍ରକୃତ ଅର୍ଥ ଓ ଯେଉଁ ଅସଂଖ୍ୟ ବଳିଦାନୀ ସ୍ୱାଧୀନତା ପାଇଁ ବଳି ବେଦୀରେ ଚଢ଼ି ଗଲେ ପ୍ରତ୍ୟେକଙ୍କୁ ଆମେ ଅଧ୍ୟୟନ କଲେ ଏଇଭଳି ଶୁଦ୍ଧ ଚାରିତ୍ର୍ୟର ଭାରତ ଦେଖିବାକୁ ପାଇବା। କିନ୍ତୁ ଯେଉଁ ରାଜସିକ ଲୋକେ ନିଜ ପ୍ରାଣକୁ ବଞ୍ଚାଇ କ୍ଷମତା ପାଇଁ ପାଗଳ ହୋଇଥିଲେ ସେମାନେ ଉପନିବେଶବାଦ ଭଳି ରାକ୍ଷସ ପ୍ରବୃତ୍ତିରୁ ଭାରତକୁ ମୁକ୍ତି ଦେବେ କ'ଣ
ସେମାନେ ଉପନିବେଶବାଦୀଙ୍କ ପାଇଁ ଯାହା ଅନୁକୂଳ, ଦେଶରେ ସେହି ସବୁ ଧାରା ଲାଗୁ କଲେ। ସେମାନେ ଭାରତକୁ ଭାରତ ହିସାବରେ ଦେଖିଲେ ନାହିଁ। ଭାରତ ବିଭାଜନରେ ତାଙ୍କ ଆଖିରେ ଲୁହ ନ ଥିଲା। ସେମାନେ ପଶ୍ଚିମ ଚଷମାରେ ଭାରତକୁ ଆବିଷ୍କାର କଲେ। ସେ ଆବିଷ୍କାରକୁ ଆମ ପିଲାମାନେ ମନ ପ୍ରାଣ ଦେଇ ପଢୁଛନ୍ତି, ଯେଉଁଠି ଭାରତ ଭୂମି ମାତ୍ର ତାକୁ ପଢ଼ିଲେ ଭାରତକୁ ସେ ମାଆ କିପରି କହିବ ? ତେଣୁ ଆଜି ପର୍ଯ୍ୟନ୍ତ ତାକୁ ପଢ଼ି ପଢ଼ି ଗୋଟେ ପିଢ଼ି ତିଆରି ହୋଇଛି, କିଛି ମରିଗଲେଣି, କିନ୍ତୁ ବହୁତ ଅଛନ୍ତି ସେମାନେ ଭାରତ ମାତା କୀ ଜୟ ଶୁଣିଲେ ବିରକ୍ତ ହୁଅନ୍ତି। କାରଣ ସେମାନେ ଯେଉଁ ପଶ୍ଚିମ ଦେଶର ଅନୁକରଣ କରୁଛନ୍ତି ସେ ଦେଶରେ ଆଜି ଯାଏ କେହି ଶୁଣି ନାହିଁ ଇଂଲଣ୍ଡ ମାତା କୀ ଜୟ କିମ୍ବା ଆମେରିକା ମାତା କୀ ଜୟ। ସେମାନେ ଭାରତକୁ ଇଣ୍ଡିଆ କରିଦେଲେ। ତେଣୁ ତାଙ୍କ ସଂସ୍କୃତି ଅନୁସାରେ ଆଜି ଭାରତରେ କେହି ଜଣେ ବି ଇଣ୍ଡିଆ ମାତା କୀ ଜୟ କହିବ ନାହିଁ କିମ୍ୱା କହିବାର ସମ୍ଭାବନା ମଧ୍ୟ ନାହିଁ।
ସେହି ସମୟରୁ ଯେଉଁମାନେ ଭାରତକୁ ଭାରତ ହିସାବରେ ରଖିବାକୁ ବାହାରିଲେ ସେମାନେ ଏହି ଉପନିବେଶବାଦୀ ମାନସିକତାର ଲୋକଙ୍କ ପାଇଁ ବା ଏହି ଉପଭୋଗବାଦୀ ଲୋକଙ୍କ ପାଇଁ ହୋଇଗଲେ ଶତ୍ରୁ।
ସେମାନଙ୍କୁ ଏହି ଉପଭୋଗବାଦୀଙ୍କ ସମକକ୍ଷ ହେବା ପାଇଁ ଇଂରାଜୀ ପଢ଼ିବା ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା। ପରିଣାମ କଣ ହେଲା ?
ଆଜି ଯେତେବେଳେ ଗାଁରୁ ଅପାଠୁଆ ଲୋକଟିଏ ଡାକ୍ତର ଖାନାକୁ ଆସୁଛି, ଆମ ଧଳା କୋଟ ପିନ୍ଧା ଡାକ୍ତର ବାବୁ ତାକୁ ତା ଭାଷାରେ ଔଷଧ ଲେଖି ଦେଇପାରୁ ନାହିଁ।
ନ୍ୟାୟ ପାଇବା ପାଇଁ ସେ କଳା କୋଟ ପିନ୍ଧା ନ୍ୟାୟପତି ପାଖକୁ ଆସୁଛି ତାକୁ ତା ଭାଷାରେ ଧାଡ଼ିଏ ବି ନ୍ୟାୟ ମିଳୁ ନାହିଁ।
ସେ କଥାର କିଛି ମହତ୍ତ୍ୱ ଥିଲା ଭଳି ସ୍ମାର୍ଟ ସହର, ଆଦର୍ଶ ବିଦ୍ୟାଳୟ ଓ ଆଦର୍ଶ ଗ୍ରାମ ତିଆରି କରୁଥିବା ବାବୁମାନଙ୍କୁ ଲାଗୁ ନାହିଁ।
ଆରେ ବାବୁ ! ଭାରତର ଜନ କୋଉଠି, ଗଣ କୋଉଠି ଓ ତୁମେ କୋଉଠି ଥରେ ତ ହିସାବ କର।
୩୦. ୯. ୧୮

No comments:
Post a Comment