ଯାହାକୁ କାମଳ ରୋଗ ହୋଇଥାଏ ତାକୁ ପୂରା ଦୁନିଆଁଟା ହଳଦିଆ ଦେଖାଯାଏ। ସେହିପରି ନିଜର ପ୍ରବୃତ୍ତି ଅନୁସାରେ ଲୋକେ ଅନ୍ୟର କଳ୍ପନା କରିଥାନ୍ତି। ଏପରିକି ନିଜର ଗୁଣ ଓ ଅବଗୁଣକୁ ମଧ୍ୟ ଭଗବାନଙ୍କ ଉପରେ ଲଦି ଦିଅନ୍ତି। ଗହଣା, ସୁନା, ରୂପା ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ବହିଥାଏ। ଲୋଭ ଚରମ ସୀମାରେ ପହଞ୍ଚି ଯାଇଥାଏ। ସେମାନେ ଭାବନ୍ତି, ଆହା ! ଏହାକୁ ତ ପ୍ରାଣକୁ ବାଜି ଲଗାଇ ପ୍ରାପ୍ତ କରିବା କଥା। ସେମାନଙ୍କୁ ଏହା ସବୁଠୁ ସୁନ୍ଦର ଓ ନିଜ ପାଖରେ ସବୁବେଳେ ରଖିବା ଭଳି (ବସ୍ତୁ) ପ୍ରତୀତ ହୁଏ। ଏହାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଲୁହା କବାଟ, ବଡ଼ ବଡ଼ ତାଲା, ସିନ୍ଦୁକ କିଣିପକାନ୍ତି। ଘର ଆଗରେ ୨୪ ଘଣ୍ଟା ପହରା ଦେଉଥିବା ରକ୍ଷକର ବ୍ୟବସ୍ଥା କରିଦିଅନ୍ତି। କ୍ଷମତାକୁ ସର୍ବସ୍ବ ମାନୁଥିବା ଲୋକର ଅବସ୍ଥା ମଧ୍ୟ ଏହିପରି। କିନ୍ତୁ ସମାଜ କାର୍ଯ୍ୟ କରୁଥିବା ବ୍ୟକ୍ତି ଏଇ ଭଳି ଛୋଟ ମୋଟ ଲୋଭରେ ଅଟକିଯିବା ଉଚିତ କି ? କ୍ଷମତା ହାତେଇବା ଲୋକ କଣ ବିରାଟ ସମାଜ ପୁରୁଷର ସେବା କରିପାରେ ? କ୍ଷମତା ଲୋଭରେ ସେ କଣ ବିରାଟ ସମାଜ ପୁରୁଷର କଳ୍ପନା କରିପାରେ ? ନା, କ୍ଷମତା ପ୍ରାପ୍ତ କରିବା ପାଇଁ ସମାଜକୁ ଭାଗ ଭାଗ କରିବା ତାର ଦୈନନ୍ଦିନର କାର୍ଯ୍ୟ ହୋଇଯାଏ।
ସମାଜ ସେବା କରୁଥିବା ବ୍ୟକ୍ତିକୁ ତ ସମ୍ପୂର୍ଣ୍ଣ ସମାଜ ସହ ଏକରୂପ ହେବାକୁ ପଡ଼ିବ। ଦେଶର ସର୍ବାଙ୍ଗୀଣ ବିକାଶ କାର୍ଯ୍ୟରେ ପ୍ରେରକ ହୋଇପାରିବା ଭଳି ଚୈତନ୍ୟଦାୟୀ ସଙ୍ଗଠିତ ସମାଜ ତାକୁ ନିର୍ମାଣ କରିବାକୁ ହେବ। ତୁଚ୍ଛ କ୍ଷମତା ଓ ଅଳିକ ଧନ ଭଳି ମାୟାଜାଲରୁ ଦୂରରେ ରହି ତାକୁ ଏହି ଉଦାର ଦୃଷ୍ଟି ନିତ୍ୟ ଆପଣେଇବାକୁ ହେବ।
ଥରେ ଦକ୍ଷିଣେଶ୍ବର କାଳି ମନ୍ଦିରରୁ କିଛି ଗହଣା ଚୋରୀ ହୋଇଗଲା। ରାଧାକାନ୍ତଙ୍କ ମୂର୍ତ୍ତିରେ ଲାଗିଥିବା ବହୁ ମୂଲ୍ୟବାନ ଅଳଙ୍କାର ଚୋରମାନେ ନେଇଗଲେ। ଏଇ କଥାକୁ ନେଇ କେହି ଜଣେ କହିଲା,
"ଇଏ କିମିତିଆ ଠାକୁର ହୋ, ଯିଏ ନିଜ ଗହଣା ସମ୍ଭାଳି ପାରୁନାହିଁ ?"
ଏ କଥା ଠାକୁର ରାମକୃଷ୍ଣ ପରମହଂସ ଶୁଣିବା ମାତ୍ରେ ବିରକ୍ତ ହେଲେ। ସେ ସେହି ବ୍ୟକ୍ତିକୁ ଡାକି କହିଲେ,
"ଭାଇ, ଏ ପ୍ରକାର ବିଚାର ମନକୁ ଆଣିବା ହିଁ ପାପ। ସାକ୍ଷତ୍ ଲକ୍ଷ୍ମୀ ଯାହାଙ୍କ ଚରଣ ସେବା କରନ୍ତି, ତାଙ୍କୁ ଏହି ପଥର ଓ ଧାତୁର କିଛି ଟୁକଡ଼ାରେ କି ମୋହ ?
ତୁମ ପାଇଁ ସିନା ଏହା ଧନ ଦୌଲତ, କିନ୍ତୁ ତାଙ୍କ ପାଇଁ ଏହା କିଛି ବି ନୁହଁ।"
ଆମେ କ'ଣ ଏହି ଦୃଷ୍ଟିକୋଣ ଆପଣେଇ ପାରିବା ? ସମ୍ପୂର୍ଣ୍ଣ ରାଷ୍ଟ୍ରର ଏକାତ୍ମତା ଆମ ପାଇଁ ସବୁ କିଛି। ତେବେ ଏହି କ୍ଷଣିକ କ୍ଷମତା ଓ ଧନ ପଛରେ କାହିଁକି ଦୌଡ଼ିବା ?
୩. ୯. ୧୮

No comments:
Post a Comment