Thursday, 6 December 2018

*ଅନ୍ୟ କୌଣସି ଉପାୟ ନଥିଲା*

ଇତିହାସର ଏକ ବିଚିତ୍ର ପରିହାସ ହେଉଛି ଯେ, ଘୋର ପାଷଣ୍ଡ ଈଶ୍ୱରଦ୍ରୋହୀମାନେ ଈଶ୍ୱରଙ୍କୁ ଯେତେ ଦ୍ୱାହି ମାନନ୍ତି, ପୁଣି ଦେଶର ଘରଭଙ୍ଗା ଶତ୍ରୁମାନେ ଦେଶପ୍ରେମର ଯେତେ ଆସ୍ଫାଳନ କରନ୍ତି, ଈଶ୍ୱରଭକ୍ତମାନେ ଭକ୍ତି ଓ ବିଶ୍ୱାସର ସେତେ ଆସ୍ଫାଳନ କରନ୍ତି ନାହିଁ; କିମ୍ବା ପ୍ରକୃତ ଦେଶପ୍ରେମୀମାନେ ସେତେ ବାହାସ୍ଫୋଟନ ମାରନ୍ତି ନାହିଁ। ଏ ବିଡ଼ମ୍ବନା, କୌଣସି ଦେଶ, କାଳ କିମ୍ବା ପାତ୍ର ମଧ୍ୟରେ ସୀମାବଦ୍ଧ ନୁହେଁ, ସବୁ ଦେଶରେ, ସବୁ କାଳରେ ଏହାର ବହୁ ପୁନରାବୃତ୍ତି ଘଟି ଆସିଅଛି।
ବକ୍ସି ବେଣୁ ଭ୍ରମରବର ଜଗନ୍ନାଥଙ୍କ ଉପରେ ତକୀ ଖାଁର ନୂତନ ଆକ୍ରମଣ ପାଇଁ ଜଗନ୍ନାଥଙ୍କୁ ଗୁହାରି ଜଣାଉଥିବା ବେଳେ ରାମଚନ୍ଦ୍ରଦେଵ ମଧ୍ୟ ପଥରଗଡ଼ର ନିର୍ଜନ ପରିତ୍ୟକ୍ତ ଉଆସରେ  ଛାଇ ନିଦରେ "ଜଗନ୍ନାଥ" "ଜଗନ୍ନାଥ" ବୋଲି କହି ବିଳିିବିଳେଇ ଉଠୁଥିଲେ। ସେଥିରେ କିନ୍ତୁ ଭକ୍ତିକ ଯାଚଜ୍ଞା ଯେତେ ନ ଥିଲା, ସେତେ ଥିଲା ଆହତ ଆତ୍ମାର ଆର୍ତ୍ତନାଦ !
ରିଜିଆଙ୍କ ସ୍ମୃତି ସାଙ୍ଗକୁ ରାମଚନ୍ଦ୍ରଦେଵଙ୍କ ଚିନ୍ତା ଓ ଦୁଶ୍ଚିନ୍ତାକୁ ଯାହା ବାରମ୍ବାର ଆଲୋଡ଼ିତ କରୁଥିଲା ତାହା ହେଉଛି ସେହି ଅସମାଧିତ ଜିଜ୍ଞାସା; ବକ୍ସି ବେଣୁ ଭ୍ରମରବର କଣ ବିଶ୍ୱାସଘାତକତା କଲେ ? ନିଜର ଅନ୍ନଦାତା ପରମ ହିତୈଷୀ ମହାରାଜ ଗୋପୀନାଥ ଦେବଙ୍କ ହତ୍ୟାକାରୀ ବକ୍ସି ବେଣୁ ଭ୍ରମରବର, ବିଶ୍ୱାସଘାତକତା ଛଡ଼ା ଆଉ କଣ କରିପାରନ୍ତି ? ତଥାପି ରାଜା ରାମଚନ୍ଦ୍ରଦେଵ ବିଶ୍ୱାସ କରିପାରୁ ନ ଥାନ୍ତି ଏହା ପ୍ରକୃତରେ ବିଶ୍ୱାସଘାତ ନା ଯୁଦ୍ଧ କୌଶଳ, ଏଭଳି ଦ୍ୱନ୍ଦ୍ୱ ତାଙ୍କୁ ଘାରୁଥିଲା।
ଏଣେ ରାଜା ରାମଚନ୍ଦ୍ରଦେଵ ବିଧର୍ମୀ ହୋଇ ରିଜିଆକୁ ବାହା ହେବାରୁ ଜଗନ୍ନାଥ ଭକ୍ତ ତଥା ପ୍ରଜାକୁଳଙ୍କ ପକ୍ଷରେ ଏହା ନିତାନ୍ତ ଉତ୍ପୀଡ଼କ ଥିଲା। କିନ୍ତୁ ରାମଚନ୍ଦ୍ରଦେଵଙ୍କର କହିବା କଥା ହେଲା ଯେ, ହିନ୍ଦୁ ବିଦ୍ୱେଷୀ ତକୀ ଖାଁ କବଳରୁ ଜଗନ୍ନାଥଙ୍କୁ ଉଦ୍ଧାର କରିବା ପାଇଁ ସେ ପତିତ ହୋଇଛନ୍ତି। କାରଣ ସେ ବୁଝିଛନ୍ତି ଯେ, ଦୁଇ ଶତାବ୍ଦୀ ବ୍ୟାପୀ ଆକ୍ରମଣ ଓ ଆତ୍ମରକ୍ଷା, ରକ୍ତକ୍ଷୟ ଓ ବିପର୍ଯ୍ୟୟ, ବ୍ୟର୍ଥତା ଓ ବିଡ଼ମ୍ବନା ପରେ ଓଡ଼ିଆ ଜାତି ଆତ୍ମଶକ୍ତିହୀନ ହୋଇପଡ଼ିଛି। ଆଫଗାନ କବଳରୁ, ଯବନ ରକ୍ତବାହୁ କାଳରୁ, ଓଡ଼ିଶା ଉପରେ ଯେତେ ଆକ୍ରମଣ ହୋଇଛି ସେଥିରେ ଜଗନ୍ନାଥ ଲାଂଛିତ ନ ହେବାଯାଏ କୌଣସି ଆକ୍ରମକର ତୃଷା ମେଣ୍ଟି ନାହିଁ। ଏବେ ତକୀ ଖାଁଙ୍କ କବଳରୁ ଜଗନ୍ନାଥଙ୍କୁ ମୁକ୍ତ କରିବାର ଅନ୍ୟ କୌଣସି ଉପାୟ ନ ଥିଲା।

କ୍ରମଶଃ....

୬.୧୨.୧୮

No comments: