ଏତେ ବଡ଼ ରାଇଜର ହିନ୍ଦୁ ଆରାଧ୍ୟ ଦେବତା ଦିବା ଲୋକରେ ଘୋଷାଡ଼ି ହୋଇ ମରଣ ମୁଖକୁ ଯାଉଥିବାବେଳେ ସମସ୍ତେ ହାୟ !ହାୟ ! ବିଳାପ କରୁଥିଲେ। ସେଦିନ କିନ୍ତୁ କିଛି ବିଳାପ କରି ନ ଥିଲା ଜଣେ ଲୋକ। ସେହି ଅଖ୍ୟାତ ଆଜ୍ଞାତ ବିଶର ମହାନ୍ତି କ୍ଷୁଧିତ ଭିକ୍ଷୁକ ବେଶ ସାଜି ଗୌଡ଼ (ବଙ୍ଗ ପ୍ରଦେଶ) ଦାଣ୍ଡରେ ପଠାଣ ଫୌଜଙ୍କ ପଛେ ପଛେ ଛୁଟିଥିଲା ଜଗନ୍ନାଥଙ୍କୁ ଉଦ୍ଧାର କରିବା ପାଇଁ। ଭିକ୍ଷୁକ ବେଶ ଥିବାରୁ ପଠାଣ ଫୌଜ ତାକୁ ଦୃଷ୍ଟି ଦେଉ ନ ଥିଲେ। ସେମାନେ ଭାବୁଥିଲେ ଇଏ ବୋଧ ହୁଏ ଗୌଡ଼ ଦେଶର କେଉଁ ଆଉଲ ବା ବାଉଲ ବୈଷ୍ଣବ ଘରମୁହାଁ ହୋଇ ଫେରୁଥିବ। ସାଧାରଣ ଲୋକଟିଏ ଭାବୁଥିଲା ଇଏ କୋଉଠିକାର ବଦ୍ଧପାଗଳ ହୋଇଥିବ। ହାତୀ ପିଠିରେ ଝୁଲୁଥିଲେ ଦାରୁବିଗ୍ରହ। ଆଗରେ ଓ ପଛରେ ଚାଲିଥିଲେ ଲସ୍କରମାନେ 'ଆଲ୍ଲା ହୋ ଆକବର' ଧ୍ୱନି ଦେଇ। ଗଙ୍ଗା କୂଳରେ କଳାପାହାଡ଼ ଦାରୁ ବିଗ୍ରହମାନଙ୍କୁ ପୋଡ଼ି ଅର୍ଦ୍ଧ ଦଗ୍ଧ ମୂର୍ତ୍ତିକୁ ଗଙ୍ଗାରେ ଭସାଇ ଦେଇ ଚାଲିଗଲା। ବିଶର ମହାନ୍ତି ଏଇ ସୁଯୋଗର ଅପେକ୍ଷାରେ ସେଠାରେ ଦିନ ଦିନ ଜଗି ବସିଥିଲା। ସମସ୍ତେ ପଳାଇ ଯିବା ପରେ ସେ ଗଙ୍ଗା ସ୍ରୋତରୁ ଜଗନ୍ନାଥଙ୍କ ଅର୍ଦ୍ଧ ଦଗ୍ଧ ଦାରୁବିଗ୍ରହରୁ ବ୍ରହ୍ମଟି କାଢ଼ି ନିଜ ପଖୋଜ ଖୋଳ ଭିତରେ ରଖିଲା। ତା ପରେ ସେ ସ୍ଥଳ ଭାଗରେ ନ ଫେରି ସମୁଦ୍ର ପଥ ଦେଇ ବୋଇତରେ ଆସି କୁଜଙ୍ଗରେ ପହଁଚିଲା। ସେଠାରୁ ସ୍ଥଳ ଭାଗରେ ରାତ୍ରିର ଦସ୍ୟୁ ପରି ଚାଲିଥିଲା ଖୋର୍ଦ୍ଧା ଅଭିମୁଖେ। ଖୋର୍ଦ୍ଧାରେ ଥିଲେ ରାଜା ରାମଚନ୍ଦ୍ରଦେଵ। ଓଡ଼ିଶାର ମର୍ମ ଭୂମିରେ କେବଳ ଗୋଟିଏ ବିଳାପ ଚାଲିଥିଲା.. ଜଗନ୍ନାଥ ! ଜଗନ୍ନାଥ ! ବିଶର ମହାନ୍ତି ଠାରୁ ବ୍ରହ୍ମ ପାଇବା ପରେ ସେଦିନ ଓଡ଼ିଶାରେ ଘରେ ଘରେ ହୋଇଥିଲା ମହୋତ୍ସବ।
କ୍ରମଶଃ...
୧୯.୧୨.୧୮

No comments:
Post a Comment