ସେହିଦିନୁ କାଞ୍ଚନ ନାଏବ ନାଜିମ ସୁଜା ଖାଁଙ୍କ ହାରେମରେ ତାଙ୍କର ପ୍ରିୟତମା ମୁର୍ଶିଦାବାଦୀ ବେଗମ ହୋଇ ରହିଥିଲା। ଏଥିପାଇଁ ଶ୍ୱଶୁର ଓ ଜାମାତା ମଧ୍ୟରେ ପୁଣି ତୀବ୍ର ବିବାଦ ଉପୁଜିଥିଲା। ଏହି କାରଣରୁ କଟକ ସୁବାରୁ ସୁଜା ଖାଁକୁ ବିତାଡ଼ିତ କରିବା ପାଇଁ ନାନାଦି ଚେଷ୍ଟା ହୋଇଥିଲା।
ସୁଜା ଖାଁ କଟକ ଆସିବା ପରେ ବାରବାଟୀ ହାରେମରେ ତାଙ୍କ ପ୍ରିୟତମା କାଞ୍ଚନ କ୍ରମେ ପ୍ରବଳ ଶକ୍ତିରେ ପରିଣତ ହୋଇପଡ଼ିଲା। ରିଜିଆ ସେହି କାଞ୍ଚନର କନ୍ୟା !
କାଞ୍ଚନର ଦେହ ସୁଜା ଖାଁର କ୍ଷୁଧିତ କାମନାର ଭୋଜ୍ୟରେ ପରିଣତ ହୋଇଥିଲା ସତ୍ୟ, କିନ୍ତୁ ତାହାର ଆତ୍ମା ଥିଲା ଅନାହତ ଓ ନିଷ୍କଳଙ୍କ। ଦୁର୍ବାଦଳର ଶିଶିର ବିନ୍ଦୁରେ ପ୍ରଭାତ ସୂର୍ଯ୍ୟର ଦ୍ୟୁତି ଭିନ୍ନ ଅନ୍ୟ ପ୍ରତିଫଳନ ନ ଥିବା ପରି କାଞ୍ଚନର ଆତ୍ମାରେ ଗୋପୀକୃଷ୍ଣଙ୍କ ରସରାଜ ବିଗ୍ରହ ବ୍ୟତୀତ ଅନ୍ୟ ପ୍ରତିବିମ୍ବ ନ ଥିଲା। ଅନେକ କହନ୍ତି, କାଞ୍ଚନର ପ୍ରଭାବରେ ସୁଜା ଖାଁ ଯେତେଟା ହିନ୍ଦୁଦ୍ରୋହୀ ହେବା କଥା ସେତେଟା ହୋଇ ପାରି ନ ଥିଲା।
କାଞ୍ଚନର ବଡ଼ ଅଭିଳାଷ ଥିଲା ଶ୍ରୀମନ୍ଦିରରେ ରତ୍ନବେଦୀ ତଳେ ଥରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ! ମାତ୍ର ତାହା ତ ସଫଳ ହୋଇପାରି ନ ଥିଲା।
ସେ ମୃତ୍ୟୁ ଶଯ୍ୟାରେ ରିଜିଆକୁ କହିଥିଲା, "ତୋର ଯଦି କେବେ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ଘଟେ, ତେବେ ତାଙ୍କର ରତ୍ନବେଦୀ ତଳେ ମୋର ଏଇ ଇନ୍ଦ୍ରନୀଳମଣୀବସା ମୁଦିଟି ନିବେଦନ କରିଦେବୁ। ବ୍ରାହ୍ମଣୀ ହୋଇ ମୁଁ ତ ଜଗନ୍ନାଥଙ୍କୁ ଥରେ ଦେଖିପାରିଲି ନାହିଁ। ତୁ ପାରୁ ଯଦି ସେ ନିଳଗିରୀଙ୍କୁ ନିଶ୍ଚୟ ଦେଖିବୁ। ସେ ସବୁ ନିଶିର ପ୍ରଭାତ, ସବୁ ପ୍ରତୀକ୍ଷାର ପ୍ରାପ୍ତି, ସବୁ ଦୁଃଖ-କୁମୁଦିନିର ଚନ୍ଦ୍ରମା।"
କାଠଯୋଡ଼ିର ନୀଳ ଜଳବେଣୀ, ଜନ୍ମଦାତ୍ରୀ ଅଭାଗିନୀ କାଞ୍ଚନର ବେଦନାଦଗ୍ଧ ଅତୃପ୍ତିରେ ଯେପରି ଆହୁରି ସୁନୀଳ ହୋଇ ଉଠିଥିଲା। କାଠଯୋଡ଼ିର ଦକ୍ଷିଣ ପାର୍ଶ୍ଵରେ ଦୂର ପର୍ବତ ଶ୍ରେଣୀ ଓ ଶ୍ୟାମ ବନଭୂମିର ନିଳିମାରେ କାଞ୍ଚନର ସେହି ଜଗନ୍ନାଥ, ଯେପରି ଲକ୍ଷ ହାତ ଠାରି ଡାକୁଥିଲେ।
କ୍ରମଶଃ...
୨୩.୧୨.୧୮

No comments:
Post a Comment