ନାଏବ ନାଜିମ ବାହାଦୁରଙ୍କ ଇଚ୍ଛା ଖୋର୍ଦ୍ଧା ଓ କଟକ ଭିତରେ ଯୁଦ୍ଧ ଶେଷ ହେଉ, ଶାନ୍ତି ଫେରିଆସୁ। ସେଥିପାଇଁ ତକୀ ଖାଁଙ୍କ ଇଚ୍ଛା ଆପଣଙ୍କୁ ଭିଣୋଇ କରିବା ପାଇଁ।
ଜବରଦସ୍ତ ଖାଁ ହଠାତ୍ ଆସି ଏତିକି କହି ଚାଲିଯିବା ପରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରସ୍ତାବ ତଳେ ଯେଉଁ ଧମକ ପ୍ରଛନ୍ନ ରହିଥିଲା, ତାହାର ପରିଣତି ଚିନ୍ତାକରି ରାମଚନ୍ଦ୍ରଦେଵ ଅସ୍ତିର ହୋଇ ପଡ଼ିଥିଲେ।
ଖୋର୍ଦ୍ଧା ଏବେ ନାଏବନାଜିମ ତକୀ ଖାଁର ଅନୁଗ୍ରହ ଉପରେ ଯେମିତି ତିଷ୍ଠି ରହିଛି ତାହା ଆଉ କେହି ବୁଝୁ ବା ନ ବୁଝୁ, କିନ୍ତୁ ରାମଚନ୍ଦ୍ରଦେବ ତାହା ଅତ୍ୟନ୍ତ ସ୍ପଷ୍ଟଭାବେ ବୁଝିପାରିଥିଲେ। ତକୀ ଖାଁର ପ୍ରତିରୋଧ ପାଇଁ ଓଡ଼ିଆ ପାଇକ ମାନଙ୍କର ତଥାପି ଯେ ବଳ ନ ଥିଲା, ତାହା ନୁହେଁ, ମାତ୍ର ବାହାରର ଶତ୍ରୁ ସେତେବେଳେ ଯେତେ ବିପଜ୍ଜନକ ନ ଥିଲେ, ଘର ଶତ୍ରୁ ଥିଲେ ତତୋଧିକ। ଖୋର୍ଦ୍ଧାର ସ୍ୱାଧୀନତା ସହ ଜଗନ୍ନାଥ ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ଖୋର୍ଦ୍ଧାର ଟାଣପଣ ତଥାପି ଭାଙ୍ଗି ନ ଥିଲା ବୋଲି ନାଏବ ନାଜିମମାନେ ଜଗନ୍ନାଥ ମନ୍ଦିରକୁ ଅକ୍ଷତ ରଖିଥିଲେ। ମାତ୍ର ଥରେ ଯଦି ଖୋର୍ଦ୍ଧା ତାଙ୍କ କବଳକୁ ଚାଲିଯାଏ; ତା'ହେଲେ ଶ୍ରୀମନ୍ଦିର ଭାଙ୍ଗି ସେହି ପଥରରେ ପୁରୁଷୋତ୍ତମ କ୍ଷେତ୍ରରେ ଗୋଟାଏ ମସଜିଦ କରିବା ପାଇଁ ତକୀ ଖାଁକୁ ବା କେତେ ବିଳମ୍ବ ଲାଗିବ ?
ଶତ ଦୁର୍ଯୋଗ, ପରାଜୟ ଓ ଲାଂଚ୍ଛନା ମଧ୍ୟରେ ଯେଉଁ ଜଗନ୍ନାଥଙ୍କୁ ଯବନ ଆକ୍ରମଣରୁ ଅକ୍ଷତ ରଖିବା ପାଇଁ, ଭୋଇ ବଂଶର ମହାରାଜାମାନେ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇଛନ୍ତି, ଆଜି ସେଇ ଜଗନ୍ନାଥ ଯଦି ତକୀ ଖାଁ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି, ତା'ହେଲେ ?
ବାରବାଟୀ ଦୁର୍ଗ ଭିତରେ ଏହିପରି ଚିନ୍ତା କରୁଥିବା ବେଳେ ବୋରଖାବୃତ ନାରୀ ସହ ସମ୍ପର୍କ ହୁଏ ରାମଚନ୍ଦ୍ରଦେଵଙ୍କର। ସେ ପଚାରନ୍ତି, ତୁମେ କିଏ ?
ବୋର୍ଖାବୃତ ନାରୀଟି କୁହେ - "ମୁଁ ଜବା, ମା' ମୋତେ ସେହି ନାମରେ ଡାକୁ ଥିଲେ; କିନ୍ତୁ ଏମାନେ ନାଁ ରଖିଛନ୍ତି ରିଜିଆ।"
ରାମଚନ୍ଦ୍ରଦେଵ - ତୁମେ ପରା ତକୀ ଖାଁଙ୍କ ଭଉଣୀ ?
ଜବା ବିଷର୍ଣ୍ଣ କଣ୍ଠରେ ଉତ୍ତର ଦିଏ - ମା' ମୋର ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ ଖେମଟାୱାଲି କାଞ୍ଚନ, ମୁର୍ଶିଦାବାଦୀ। ନବାଵ ସୁଜା ଖାଁ ହାରେମକୁ ସେ କେମିତି ଆସିଲେ, ମୋତେ ଜଣା ନାହିଁ, ମାତ୍ର ମା' ମୋର ନାଁ ରଖିଥିଲେ ଜବା। ସେ ମୋତେ ସବୁବେଳେ କହୁଥିଲେ, ତୁ ହିନ୍ଦୁ କନ୍ୟା... ଜବା। ମା' ମୋର କବର ନେଇଥିଲେ ଏଇ କଟକର କଦମରସୁଲରେ। ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖେ ପାଖେ ରହିଥିଲି। ମଲାବେଳକୁ ତାଙ୍କର ଶେଷ ଇଚ୍ଛା ଥିଲା, ସେ ଦେଖିବେ ପୁରୁଷୋତ୍ତମ ଜଗନ୍ନାଥ।
ଜଗନ୍ନାଥ ଜଗନ୍ନାଥ କହି ସେ ଶେଷ ନିଃଶ୍ୱାସ ଛାଡ଼ିଥିଲେ।
କ୍ରମଶଃ...
୧୪.୧୨.୧୮

No comments:
Post a Comment