Saturday, 1 December 2018

*ଚରମ ବିଶ୍ଵାସ ଘାତକତା*

ଟିକାଲୀଠାରେ ରାମଚନ୍ଦ୍ରଦେଵ ଦେଖିଲେ କାଶୀମପେଟାର ବାହୁବଳେନ୍ଦ୍ରଙ୍କ ସୈନ୍ୟବାହିନୀ ବ୍ୟତୀତ ସେଠାରେ ଅନ୍ୟ କାହାର ସମର୍ଥନ ନ ଥିଲା। ରାଜମହେନ୍ଦ୍ରୀର ରାଜୁ ସୁଦ୍ଧା ଶେଷ ମୁହୂର୍ତ୍ତରେ ଧରାଛୁଆଁ ଦେଲା ନାହିଁ। ସାମାନ୍ୟ ପ୍ରତିରୋଧ ପରେ ରାମଚନ୍ଦ୍ରଦେବ ପଛଘୁଞ୍ଚା ଦେଇ ଦେଇ ଫେରିଲେ। ବାହୁଦା ନଦୀ ପାର ହେବା ଚିକାକୋଲ ଫୌଜଙ୍କ ପକ୍ଷରେ ସୁବିଧାଜନକ ନ ଥିଲା; କିନ୍ତୁ ଜୟନ୍ତ ଗଡ଼ର ଦୁର୍ଗପତି ହରିହର ବିଶ୍ୱାସରାୟ ମଧ୍ୟ ସେହି ମୁହୂର୍ତ୍ତରେ, ଦୁର୍ଗ ଭିତରେ କବାଟ କିଳି ରହିଲେ। ନିଜ ନିଜର କ୍ଷୁଦ୍ର ସ୍ୱାର୍ଥ ରକ୍ଷା କରୁକରୁ ସମୂହ ସ୍ୱାର୍ଥ ଓ ସ୍ୱାଧୀନତା ଯେପରି ବିପନ୍ନ ହେଉଥିଲା, ସେଥିପ୍ରତି ସେମାନଙ୍କର ଦୃଷ୍ଟି ନ ଥିଲା।

ଚିକାକୋଲ ଫୌଜଦାରର ପଏଦଲଳଙ୍ଗୀ, ଘୋଡ଼ାସବାର, ବରକନ୍ଦାଜ, ପାଲୀ ବର୍ଚ୍ଛାଦାର ଓ ଗୋଳନ୍ଦାଜଙ୍କ ସଂଖ୍ୟା ମିଶି ଥିଲା କୋଡ଼ିଏ ହଜାର। ବାହୁବଳେନ୍ଦ୍ରଙ୍କ ସୈନ୍ୟମାନେ ତାହାର କି ପ୍ରତିରୋଧ କରିଥାନ୍ତେ ?

ସେଥିରେ ଶକ୍ତି କ୍ଷୟ କରିବା ମଧ୍ୟ ରାମଚନ୍ଦ୍ରଦେବଙ୍କର ଉଦ୍ଦେଶ୍ୟ ନ ଥିଲା।

ରାଜୁଙ୍କ ତେଲଙ୍ଗା ସୈନ୍ୟବାହିନୀ ଆସିଥିଲେ ସେମାନେ ମିଶି ପଛଅାଡ଼ୁ ଚିକାକୋଲ ଆକ୍ରମଣ କରିଥାନ୍ତେ। ମାତ୍ର ତାହା ତ ହୋଇ ପାରିଲା ନାହିଁ। ବାହୁବଳେନ୍ଦ୍ର କୌଣସି ମତେ ପ୍ରାଣ ରକ୍ଷାକରି ନିଜ ସୈନ୍ୟବାହିନୀ ଧରି କାଶିମପେଟା ବାହୁଡ଼ିଗଲେ। ପୂର୍ବ ଯୋଜନା ଅନୁସାରେ ମହେନ୍ଦ୍ରଗିରି ଠାରେ କେବଳ ଜରଡ଼ା, ଖେମଣ୍ଡୀର ପାଇକମାନେ ଓ ରାମଗିରି ଗଡ଼ ଶିଙ୍ଗରାଜୁର କନ୍ଧ ବାହିନୀ ଜୁଲିଫିକର ଖାଁ କୁ ପ୍ରବଳ ପ୍ରତିରୋଧ କରିଥିଲେ।

ସେହି ଅବସରରେ ରାମଚନ୍ଦ୍ରଦେଵ ପ୍ରାଣମୂର୍ଚ୍ଛା ଧାଇଁଲେ ଛତ୍ରଦ୍ୱାର ଆଡ଼େ। କାରଣ ଛତ୍ରଦ୍ୱାର ଠାରୁ ଜୁଲିଫିକର ଖାଁ କୁ ବାହୁଡ଼ାଇ ନ ଦେଲେ ଖୋର୍ଦ୍ଧା ତା ହାତକୁ ଚାଲିଯିବ। ସେଥିପାଇଁ ରାତିଦିନ ନ ମାନି ରାମଚନ୍ଦ୍ରଦେଵ ଧାଇଁ ଥିଲେ ଛତ୍ରଦ୍ୱାର ଅଭିମୁଖେ। ସାଙ୍ଗରେ ଥିଲେ ମାତ୍ର ୨୦୦ ଭଳି ଅସୁଆର। ପଦାତି ପାଇକମାନେ ହାଣମୁହଁରେ, କ୍ଷୁଧାରେ, କ୍ଲାନ୍ତିରେ, ଅଧେ ମରି ହଜି ଯାଇଥିଲେ। ଯେଉଁମାନେ ବଞ୍ଚିଥିଲେ ସେମାନେ ଅଣ ନିଃଶ୍ଵାସୀ ହୋଇ "ଜୟ ଜଗନ୍ନାଥ" କୁହାଟ ଦେଇ ଧାଉଁଥିଲେ ଛତ୍ରଦ୍ୱାର ଆଡ଼େ।

କିନ୍ତୁ କିଏ ଜାଣିଥିଲା ସେମାନଙ୍କ ବିଶ୍ୱାସରେ ବିଷ ମିଶିଥିଲା ବୋଲି !

ଛତ୍ରଦ୍ୱାରରେ ଜଗିଥିବା ବକ୍ସି ବେଣୁ ଭ୍ରମରବରଙ୍କ ଠାରୁ ଚରମ ବିଶ୍ୱାସଘାତକତାର ଶିକାର ହେଲେ ରାମଚନ୍ଦ୍ରଦେଵ ।

ସେଠାରୁ ନିରାଶ ହୋଇ ସେ ଧାଇଁଲେ ଗଞ୍ଜାଗଡ଼। ସେଠାରେ ମଧ୍ୟ ସେହି ଚରମ ବିଶ୍ୱାସଘାତକତା।

ତଥାପି ଧୈର୍ଯ୍ୟର ସହ ସେ ଗଞ୍ଜାଗଡ଼ର ରକ୍ଷକ କୃପାସିନ୍ଧୁ ମାନସିଂହଙ୍କୁ ବୁଝାଇଲେ - "ଭାଇ ମାନ ଉଦ୍ଧାରଣ ମାନସିଂହ ! ଏ ଅବେଳରେ ତୁମେ ସାହା ନ ହେଲେ, ଆଉ ସାହା ହେବ କିଏ ? ଖୋର୍ଦ୍ଧା ସିଂହାସନ ତ ପଛ କଥା; ମୋଗଲ ଆକ୍ରମଣରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଆଜିର ଲଢ଼ାଇ। ଖୋର୍ଦ୍ଧା ରାଜାମାନେ ଚୁଲୀକୁ ଯାଆନ୍ତୁ ପଛେ, ଯେଉଁ ଶରଣପଞ୍ଜର ଜଗନ୍ନାଥଙ୍କ ଅଭୟ ଛାୟା ତଳେ ଓଡ଼ିଶାର ଆବାଳବୃଦ୍ଧବନିତା ବର୍ଦ୍ଧିତ ଓ ସୁରକ୍ଷିତ; ଯିଏ ହିନ୍ଦୁ ଜଗତର ଅମ୍ଳାନ ମଉଡ଼ମଣି ତାଙ୍କ ମାନ କ'ଣ ରଖିବ ନାହିଁ ମାନସିଂହ ?"

ମାନସିଂହ କିନ୍ତୁ ନିତାନ୍ତ ଅନାସକ୍ତ ଅବିଚଳିତ ଭାବରେ ରାମଚନ୍ଦ୍ରଦେଵଙ୍କ ମୁହଁ ଉପରେ ଗଞ୍ଜାଗଡ଼ ସିଂହଦ୍ଵାରର ଅର୍ଗଳି କିଳି ଦେଲେ।

କ୍ଷୁଧାର୍ତ୍ତ ଓ ତୃଷାର୍ତ୍ତ ରାମଚନ୍ଦ୍ରଦେଵଙ୍କ କଣ୍ଠରୁ ବାହାରି ଆସିଲା -
"ନିରାଶ୍ରୟ ମାଂ ଜଗଦୀଶ ରକ୍ଷ"।

କ୍ରମଶଃ...

୧.୧୨.୧୮

No comments: