ରିଜିଆ ବା ଜବା ସହିତ ରାମଚନ୍ଦ୍ରଦେଵଙ୍କର ରସମ-ଇ-ନାମଜାଦ ବା ମଙ୍ଗଳକୃତ୍ୟ ବଢ଼ିଗଲା। ରାମଚନ୍ଦ୍ରଦେଵ ଓ ରିଜିଆକୁ କଲମା ପଢ଼ାଇବା ପରେ କାଜୀ ବିବାହ ଖାତାରେ ଉଭୟଙ୍କ ନାମ ଚଢ଼ାଇଦେଲା। ରାମଚନ୍ଦ୍ରଦେଵ ହେଲେ ହାଫିଜ କାଦର ବେଗ ଓ ସୁଜା ଖାଁର ଜାରଜାତକା କନ୍ୟା ରିଜିଆ ବିବି ହେଲେ ଖୋର୍ଦ୍ଧାର ବେଗମ୍।
ଏହା ଶୁଣି ଓଡ଼ିଶାର ଲୋକେ ମୁଣ୍ଡରେ ହାତ ଦେଇ ବସିଲେ। ଜଗନ୍ନାଥଙ୍କ ସେବକ ଶିରୋମଣି ଖୋର୍ଦ୍ଧାର ମହାରାଜା ଶେଷକୁ ଜାତିଭ୍ରଷ୍ଟ ହେଲେ !
ରାମଚନ୍ଦ୍ରଦେଵ ଏବେ ବାରବାଟୀର ନବମ ପ୍ରସ୍ତର ଅନ୍ଦର ମହଲକୁ ସ୍ଥାନାନ୍ତରିତ ହେଲେ।
ରିଜିଆ କହିଲା, "ମା' ମୋତେ ସବୁବେଳେ କହୁଥିଲା ଜଗନ୍ନାଥଙ୍କୁ ଥରେ ପାଇଲେ ଜୀବନରେ କୁଆଡ଼େ ସବୁ ନ ପାଇବାର ଅବଶୋଷ ମେଣ୍ଟିଯାଏ। ଜଗନ୍ନାଥ ରାତିର ଅନ୍ଧକାର ପରି; ତାଙ୍କ ଭିତରେ ସବୁ ପାଇବା, ସବୁ ନ ପାଇବା, ସବୁ ଦୁଃଖ, ସବୁ ଆନନ୍ଦ, ସବୁ ହସ, ସବୁ ଲୁହ ଏକାକାର ହୋଇ କାଳେ ମିଳାଇଯାଏ ? ଆଃ.... ବିଚାରୀ ଜଗନ୍ନାଥ ଜଗନ୍ନାଥ ହୋଇ କବର ନେଲା ସିନା, ଥରେ କିନ୍ତୁ ଜଗନ୍ନାଥ ଦେଖି ପାରିଲା ନାହିଁ।
ମୋତେ ଜଗନ୍ନାଥ ଦେଖାଇ ପାରିବେ ମହାରାଜ ?,"
ରାମଚନ୍ଦ୍ରଦେଵ - "ହଁ, ନିଶ୍ଚିତ।"
ଏଣେ ଖୋର୍ଦ୍ଧା ତକୀ ଖାଁର କବଳିତ ହେବାକୁ ଯାଉଥିବା ବେଳେ ରାମଚନ୍ଦ୍ରଦେଵଙ୍କୁ ମୁକୁଳାଇ ନେବା ତ ଦୂରର କଥା ସେ ମଲେ କି ଗଲେ ବୁଝିବା ପାଇଁ ସୁଦ୍ଧା ଖୋର୍ଦ୍ଧାରୁ କାହା ପାଦ ଥରକ ପାଇଁ କଟକରେ ପଡ଼ି ନ ଥିଲା। ବାରବାଟୀ ଦୁର୍ଗରେ ପିଞ୍ଜରାବଦ୍ଧ ପକ୍ଷୀପରି ବସି ରହିଥିଲେ ରାମଚନ୍ଦ୍ରଦେଵ।
କ୍ରମଶଃ...
୧୫.୧୨.୧୮

No comments:
Post a Comment