ମାତ୍ର ଏକ ଅଦମନୀୟ ଜାତିର ଆତ୍ମରୂପେ ଯେଉଁ ଜଗନ୍ନାଥ ଏତେକାଳ ଅପରାଜେୟ ରହି ଆସିଥିଲେ, ଏବେ ତକୀ ଖାଁ ହାତରେ ତାକୁ ନିଗୃହୀତ କରାଇବାର ଚିନ୍ତା ସୁଦ୍ଧା ରାମଚନ୍ଦ୍ରଦେଵଙ୍କ ପକ୍ଷରେ ଅସହ୍ୟ ଥିଲା।
ଏ କଣ ସେହି ମହାଦାରୁ, ରାଜୁ ଖାଁ, କଳାପାହାଡ଼ ଯାହାଙ୍କୁ ନିଆଁରେ ଜଳାଇ, ଜଳରେ ଫିଙ୍ଗି ସୁଦ୍ଧା ଧ୍ୱଂସ କରିପାରି ନ ଥିଲା।
ଏ ତ କେବଳ ଦେବ ବିଗ୍ରହ ନୁହନ୍ତି... ଅବିନଶ୍ୱର, ଅପରାଜେୟ, ନିଖିଳ ଆତ୍ମାର ଏକ ସୁମହାନ ପରିକଳ୍ପନା ! ଓଡ଼ିଆ ଜାତି ବାରମ୍ବାର ପ୍ରାଣ ଦେଇ, ମାନ ଦେଇ, କାଳେ କାଳେ ସେହି ସୁମହାନ ମହିମାଙ୍କୁ ରକ୍ଷା କରି ଆସିଛି।
ଏବେ ଧର୍ମାନ୍ତର ପରେ ରାମଚନ୍ଦ୍ରଦେଵଙ୍କୁ ସମସ୍ତେ ବର୍ଜନ କରିଥିଲେ ସୁଦ୍ଧା ସେଥିପ୍ରତି ତାଙ୍କର ଭାବନା ନ ଥିଲା। କାରଣ ଜଗନ୍ନାଥ ନିରାପଦ ରହିଥିଲେ, ରାମଚନ୍ଦ୍ରଦେଵ ଓରଫ ହାଫିଜ କାଦର ବେଗଙ୍କ ଉପରେ ତକୀ ଖାଁର ନିର୍ଭର ଅତୁଟ ଥିବା ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଉପରେ ଆକ୍ରମଣର କୌଣସି ଆଶଙ୍କା ନ ଥିଲା। ସେ କେବଳ ଅନ୍ୟ ମନ୍ଦିରମାନ ଭାଙ୍ଗିବାରେ ମନୋନିବେଶ କରିଥିଲା।
ଆ-ଗଙ୍ଗା ଗୋଦାବରୀ ବିସ୍ତୃତ ଉତ୍କଳ ସାମ୍ରାଜ୍ୟ ଛିଣ୍ଡି ଛିଣ୍ଡି ଏବେ କେବଳ ଖୋର୍ଦ୍ଧା ଖଣ୍ଡକୁ ଧରି ପଡ଼ି ରହିଥିଲା। ଉତ୍କଳର ଯେଉଁ ଗଜପତି ମାନଙ୍କର ନାଁ ଶୁଣିଲେ ଦିନେ ଗୌଡ଼ ଠାରୁ ଆରମ୍ଭ କରି ଗୋଲକୁଣ୍ଡା ପର୍ଯ୍ୟନ୍ତ ପରାକ୍ରମୀ ସୁଲତାନ ମାନଙ୍କର ହୃତକମ୍ପ ହେଉଥିଲା, ଏବେ ସେ ଉତ୍କଳ ନ ଥିଲା। ସେ ଗଜପତିମାନେ ନଥିଲେ କିମ୍ବା ସେହି ଅପରାଜେୟ ପାଇକବାହିନୀ ନଥିଲେ। ତଥାପି ଏଇ ଖୋର୍ଦ୍ଧା ଭୂମିକୁ ଅକ୍ତିଆର କରିବା ପାଇଁ ଆଫଗାନ ସୁବେଦାର ଦାଉଦ ଖାଁ ଠାରୁ ଆରମ୍ଭ କରି ମୋଗଲ ଫୌଜଦାର ଖାନ-ଇ-ଦୌରାନ ପର୍ଯ୍ୟନ୍ତ ଦନ୍ତା ଦନ୍ତା ସେନାପତିମାନେ ସୁଦ୍ଧା ନୟାନ୍ତ ହୋଇ ପଡ଼ିଥିଲେ; କିନ୍ତୁ ଏଥିପାଇଁ ଓଡ଼ିଶାକୁ କମ୍ ମୂଲ୍ୟ ଦେବାକୁ ପଡ଼ି ନ ଥିଲା, ଦେଢ଼ ଶହ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଲଢ଼ି ଲଢ଼ି ଓଡ଼ିଶା ଶ୍ମଶାନରେ ପରିଣତ ହୋଇଥିଲା, କ୍ଷେତ ସବୁ ପଡ଼ିଆ, ଗାଁକୁ ଗାଁ ଶୂନ୍ୟ, ଘରେ ଘରେ ବିଧବାଙ୍କ ଆକୁଳ କ୍ରନ୍ଦନ ! ଗୋଟିଏ ଜାତି ଆଉ କେତେ କାଳ ଲଢ଼ନ୍ତା ?
ରାମଚନ୍ଦ୍ରଦେଵ ମ୍ଳେଛ ହୁଅନ୍ତୁ ପଛେ, ପତିତ ହୁଅନ୍ତୁ ପଛେ, ଓଡ଼ିଶାରେ ଶାନ୍ତି ପ୍ରତିଷ୍ଠିତ ହେଉ, ଜଗନ୍ନାଥ ଅନ୍ତତଃ ନିଶ୍ଚିନ୍ତ ନିରୂପଦ୍ରଵ ରୁହନ୍ତୁ, ଇତିହାସର କେଉଁ ଏକ ସୁପ୍ରଭାତରେ ଏକ ଦୀର୍ଘ ଅମାକୃଷ୍ଣ ରାତ୍ରିର ବିରତ ପରେ ଖୋର୍ଦ୍ଧା ପୁଣି ନବ ସୂର୍ଯ୍ୟର ଦିପ୍ତୀରେ ଉଦ୍ଭାସିତ ହୋଇ ଉଠିବ, କିଏ ଜାଣେ ? ସେହି ମୁଗ୍ଧ ଭାବନାଟି ଶତ ସଙ୍କଟ ମଧ୍ୟରେ ରାମଚନ୍ଦ୍ରଦେଵଙ୍କୁ ଆଶାବାଦୀ କରି ରଖିଥିଲା।
କ୍ରମଶଃ...
୭.୧୨.୧୮

No comments:
Post a Comment