Sunday, 2 December 2018

*ଆତ୍ମରକ୍ଷାର ମାର୍ଗ*

ଆଉ ଅପେକ୍ଷା କରିବାର ବେଳ ନ ଥିଲା। ଚିଲିକା ବାଟେ ଯଦି କୌଣସି ଉପାୟରେ ବାଣପୁର ଧରି ହୁଅନ୍ତା !

ରାମଚନ୍ଦ୍ରଦେଵ ଋଷିକୂଲ୍ୟା ନଦୀକୁ ଡାହାଣ ପଟେ କଟାଇ ଗୋଟାଏ ନାଗଅଇରୀ ବଣ ଭିତରେ, ଚିଲିକା ଅଭିମୁଖେ ଘୋଡ଼ା ଛୁଟାଇ ଦେଲେ।

ଗଞ୍ଜା ବନ୍ଦର ପାଖରୁ ଚିଲିକା ଭିତରକୁ ପଳାଇ ଯିବାପାଇଁ ଅକ୍ଳେଶରେ ମଲାଙ୍ଗୀ ଡଙ୍ଗା ଖଣ୍ଡେ ଏଠାରୁ ମିଳି ପାରନ୍ତା; ମାତ୍ର ଗଞ୍ଜା ବନ୍ଦରଘାଟ ଓ ବନ୍ଦରର ମାଲୁଦ ଫୌଜଦାରର ଗୁପ୍ତଚରମାନେ ଖୁନ୍ଦିହୋଇ ରହିଛନ୍ତି। ପୁଣି ମୋଗଲଗୋଳ ଲାଗିବା ଦିନୁ ଫିରିଙ୍ଗୀ ଲସ୍କରମାନେ  କାନ୍ଧରେ ନଳୀ ବନ୍ଧୁକ ପକାଇ ଟହଲ ମାରୁଛନ୍ତି। ଅସଲ କଥା ହେଉଛି, ଏଠାରେ ମାଟି ତଳେ ସେମାନେ ଫରାସୀ ମାନଙ୍କର ଯେଉଁ ପୋତାଗଡ଼ ଦଖଲ କରିଛନ୍ତି ତାହା ଯେପରି କାହାରି ଆଖିରେ ନ ପଡ଼େ; ସେଥିପାଇଁ ସେମାନେ ଅତ୍ୟନ୍ତ ସଚେତନ ଓ ସତର୍କ। ତେଣୁ ଗଞ୍ଜା ବନ୍ଦରକୁ ମଧ୍ୟ ଯିବାର ଉପାୟ ନ ଥିଲା।
ରାମଚନ୍ଦ୍ରଦେଵ ନିଦାଘ ମଧ୍ୟାହ୍ନରେ ସେହି ବୁଢ଼ୀପୋଡ଼ା ଖରାରେ କେଉଁ ଆଡ଼େ ଯେ ମାଡ଼ି ଚାଲି ଥିଲେ, ତାହା ସେ ନିଜେ ମଧ୍ୟ ବୁଝି ନ ଥିଲେ। ତାଙ୍କର କେବଳ ଧାରଣା ଥିଲା, ଚିଲିକା କୂଳରେ କୌଣସି  ପାଇକାଳୀ ଗାଆଁରେ ପହଞ୍ଚି ପାରିଲେ ଆଉ କିଛି ହେଉ ବା ନ ହେଉ,  ପଛରେ ଅନୁଧାବନ କରୁଥିବା ମୋଗଲ ଲସ୍କର ମାନଙ୍କ କବଳରୁ ସେ ଅନ୍ତତଃ ଆତ୍ମରକ୍ଷା କରିପାରନ୍ତେ !

ସେହି ଦିଗହୀନ ଲୁଣା କ୍ଷେତ ଆଉ ଭୁଆଁବୁଲା ବାଲୁକା ପ୍ରାନ୍ତର ଭିତରେ ଯାଉ ଯାଉ ସେ ଦେଖିଲେ ଗୋଟିଏ କ୍ଷୁଦ୍ର ଜନବସତି। ସେଠାରେ ଗୋଟିଏ ଅନୁଚ୍ଚ ମନ୍ଦିର ଚୂଡ଼ାରେ ନୀଳଚକ୍ରଟି ମଧ୍ୟାହ୍ନର ପ୍ରଖର ଆଲୋକରେ ଝଲସି ଉଠିଲା, ମାତ୍ର ନୀଳଚକ୍ର ଉପରେ ପତାକା ନ ଥିଲା।
ସେହି ଗାଆଁକୁ ଆଗେଇ ଗଲେ ରାମଚନ୍ଦ୍ରଦେଵ ପାଣି ସନ୍ଧାନରେ। ଢାଉ ଲିପା କାନ୍ଥରେ ଚିତା ସବୁ ଲେଖାଯାଇଥିଲା ତାହା ବର୍ଷା ଓ ବେମରାମତିରେ ଲିଭି ଯାଇ କ୍ଷତ ଚିହ୍ନ ପରି ଦେଖା ଯାଉଥିଲା। ଘୋଡ଼ା ଉପରୁ ତଳକୁ କୁଦିପଡ଼ି ରାମଚନ୍ଦ୍ରଦେଵ ବଡ଼ ପାଟିରେ ଡାକିଲେ, କିଏ ଘରେ ଅଛ ? ପାଣି ଦିଅ ପାଣି..

କ୍ରମଶଃ...

୨.୧୨.୧୮

No comments: