ଦେଉଳ ଭଙ୍ଗାଳୀମାନେ ଶାବେଳୀ ପ୍ରହାର କରି କରି କ୍ଳାନ୍ତ ହୋଇ ପଡ଼ିଲେ, ଘାଜି ମିଆଁ ପାଗଳ ପରି ଚିତ୍କାର କରି ଉଠୁଥିଲା..."ଆଲ୍ଲା ହୋ ଆକବର।" ଏଇ କୁହାଟ ଶୁଣି ପୁଣି ସେମାନେ ତେଜି ଉଠୁଥିଲେ।
ମନ୍ଦିରଠାରୁ ନିରାପଦ ଦୂରତ୍ୱରେ ରହି ଶହ ଶହ ଦେଖଣାହାରୀ ହିନ୍ଦୁ ଅସହାୟ ଭାବରେ ଠିଆ ହୋଇ ଶୂନ୍ୟ ଭୀତିଗ୍ରସ୍ତ ଦୃଷ୍ଟିରେ ମନ୍ଦିର ଭଙ୍ଗା ଚାହିଁ ଦେଖୁଥିଲେ ଓ ପରସ୍ପର ଡକା ଡକି ହୋଇ ଦେଖାଇ ଦେଉଥିଲେ। କିନ୍ତୁ ଏଇ ଦେଖଣାହାରୀମାନେ ଯଦି ଘାଜି ମିଆଁ ଓ ତାର ଦେଉଳଭଙ୍ଗାଳୀ ମାନଙ୍କୁ ପ୍ରତିରୋଧ କରିବାପାଇଁ ସେତେବେଳେ ଟିପଟିଏ ଉଠାଇ ଥାଆନ୍ତେ, ତେବେ ସେମାନେ ଛତ୍ରଭଙ୍ଗ ଦେଇ କେଉଁଆଡ଼େ ପଳାଇଥାନ୍ତେ, ତାର ପତା ମିଳି ନ ଥାନ୍ତା।
ତକୀ ଖାଁ ଦେଉଳଭଙ୍ଗା ଓ ମସଜିଦ ତିଆରି କାମରେ ଲଗାଇଥିଲା ଘାଜି ମିଆଁକୁ। ଖୋର୍ଦ୍ଧା ରାଜା ମୁସଲମାନ ହୋଇଯିବା ପରେ ତାର ଶକ୍ତି ବହୁତ ବଢ଼ି ଯାଇଥିଲା।
ଏହା ଆଗରୁ କଳା ପାହାଡ଼ର ଆକ୍ରମଣ କଥା ଆମ ଲୋକଗୀତରେ ଅଛି "ଅଇଲା କଳାପାହାଡ଼" ରୂପେ। ମା' ମାଉସୀମାନେ ସେ ପଦକ ନିଦୁଳିଆ କଣ୍ଠରେ ଗାଇବା ବେଳେ ତାହା ଅସଂଖ୍ୟ ଉପକଥାର ଜାଲ ବୁଣିଯାଏ; ମାତ୍ର ତାହାର ନେପଥ୍ୟରେ ଥିବା ଘର୍ମ, ଅଶ୍ରୁ ଓ ରକ୍ତର ଶତ ବିୟୋଗାନ୍ତ ଇତିହାସ କିଏ ବା ମନେ ରଖିଥାଏ ?
କଳାପାହାଡ଼ ସେତେବେଳେ ଆତଙ୍କ ସୃଷ୍ଟି କରିଥିଲା। ତା ସହ ଯୁଦ୍ଧରେ ଓ ରାମଚନ୍ଦ୍ରଭଞ୍ଜଙ୍କ ପଛ ଆଡୁ ଛୁରା ଭୁଷାରେ ଗଜପତି ମୁକୁନ୍ଦଦେବ ଶେଷ ନିଶ୍ୱାସ ତ୍ୟାଗ କଲେ।
ତା ପରେ କଟକ ଅଧିକାର କରିସାରି ପୁଣି କଳାପାହାଡ଼ ପୁରୀ ଶ୍ରୀକ୍ଷେତ୍ରରେ ଡେରା ଜମାଇ ବସି ରହିଲା। ସେ ଜଗନ୍ନାଥଙ୍କୁ କରାୟତ କରି ଚମ ଦଉଡ଼ିରେ ହାତୀ ପିଠିରେ ବାନ୍ଧି ନେଇଗଲା। ଉଦ୍ଦେଶ୍ୟ ଥିଲା ହାତୀ ପିଠିରେ ବନ୍ଧା ହୋଇ ଓହଳି ଥିବା ଦେବତାଙ୍କୁ ସମସ୍ତେ ଦେଖନ୍ତୁ। ଯେଉଁ ଜାତି ନିଜ ଦେବତାଙ୍କୁ ରକ୍ଷା କରିପାରୁ ନାହିଁ ସେ ଆଉ କାହାକୁ ରକ୍ଷା କରିବ ? ଏଭଳି ମାନସିକତା ସାଧାରଣ ହିନ୍ଦୁ ମାନଙ୍କ ଭିତରେ ତିଆରି କରିବା। ଶେଷରେ ସେ ଗୌଡ଼ ଦେଶରେ ପହଞ୍ଚି ଦାରୁ ବିଗ୍ରହ ମାନଙ୍କୁ ପୋଡ଼ିଦେଲା ଏବଂ ଅର୍ଦ୍ଧ ଦଗ୍ଧ ବିଗ୍ରହ ମାନଙ୍କୁ ଗଙ୍ଗା ଜଳରେ ଫୋପାଡ଼ି ଦେଲା।
କ୍ରମଶଃ...
୧୮.୧୨.୧୮

No comments:
Post a Comment