ତୁମେ ପାଇକ ନା,
ଆମର ତ ଇଏ ପାଇକ ଘର।
କିଛି ମୁହଁରେ ଦେଇ ନ ଥିବ ପରା।
ଆସ ଘର ଭିତରକୁ ଆସ। ଖରା ଝାସଟାରେ ଆଉ ଠିଆହୋଇ ରହିଥିବ କେତେବେଳ ଯାଏ ?
ରାମଚନ୍ଦ୍ରଦେଵ ପଚାରିଲେ, "ଭିତରେ ସେ କିଏ ?"
ନିସ୍ପୃହ କଣ୍ଠରେ ସ୍ତ୍ରୀ ଲୋକଟି ଉତ୍ତର ଦେଲା, "ସେ ମୋ ଶାଶୁ। ଲଢ଼େଇରେ ତାଙ୍କର ତିନି ପୁଅ ମଲା ଦିନୁ ସେ ପାଗଳୀ ହୋଇଯାଇଛନ୍ତି। କାଲୁଣି ଥିଲେ, ଏବେ ଅନ୍ଧୁଣି ହୋଇଗଲେଣି।"
ଏହି କଥା ହେବା ସମୟରେ ଆଠ ଦଶ ଜଣ ଅସୁଆର ଘୋଡ଼ାସବାର ପହଞ୍ଚିଗଲେ। ରାମଚନ୍ଦ୍ରଦେଵଙ୍କ ସହ ଲଢ଼େଇ ସମୟରେ ସ୍ତ୍ରୀ ଲୋକଟି ବର୍ଚ୍ଛାଘାତରେ ରକ୍ତଜୁଡୁବୁଡୁ ହୋଇ ଆର୍ତ୍ତନାଦ କରି ତଳେ ପଡ଼ିଗଲା। ରାମଚନ୍ଦ୍ରଦେଵ ବନ୍ଦୀ ହେଲେ।
ବହୁଦିନ ପରେ ରାମଚନ୍ଦ୍ରଦେଵ ଖୋର୍ଦ୍ଧା ଗାଦୀକୁ ପୁଣି ଫେରିବା ପରେ, ଚିଲିକା କୂଳର ସେହି ଗାଁକୁ ଥରେ ଯାଇଥିଲେ, ମାତ୍ର ସେ ଘରଟି ଅନ୍ୟ ଘର ପରି ପରିତ୍ୟକ୍ତ ହୋଇ ପଡ଼ିଥିଲା। ଘରେ ସେ ବୁଢ଼ୀ କିମ୍ବା ବର୍ଚ୍ଛା ଆଘାତରେ ଢଳିପଡ଼ିଥିବା ଜୀବନଦାତ୍ରୀ ସେହି ପାଇକବୋହୂର ସମ୍ବାଦ ଦେବା ପାଇଁ ସେ ଗାଁରେ ଆଉ କେହି ନ ଥିଲେ।
ମହାକାର୍ତ୍ତିକ ଆସିଗଲା।
ଶ୍ରୀକ୍ଷେତ୍ରରେ ଏହି ଦିନୁ ଦୋଳ ପର୍ଯ୍ୟନ୍ତ ଦୂରଦେଶୀ ଯାତ୍ରୀମାନଙ୍କର ଭିଡ଼ ଲାଗି ରହିଥାଏ; ମାତ୍ର ଜିଜିଆ ଦାଉ ଓ ମୋଗଲଗୋଳ ପାଇଁ ଏବେ ବଡ଼ ଦାଣ୍ଡରେ କାଉ ଉଡୁଛି। ସବୁଆଡ଼େ ମନ୍ଦିର ଭଙ୍ଗା ଏକ ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି। ଯେତେ ଯୁଆଡ଼େ ହାତ ପାଆନ୍ତାରେ ମନ୍ଦିର ଅଛି ସେସବୁ ଭଙ୍ଗାଯାଇ, ସେଇ ପଥରରେ, ପିପିଲି, କଟକ ଓ ଅନ୍ୟ ଅଞ୍ଚଳରେ ମସଜିଦମାନ ତିଆରି ଚାଲିଛି। ଏକରାମ ଖାଁ ନାଏବ ନାଜିମ ଥିବା ବେଳେ, କଟକରେ ଅନଙ୍ଗ ଭୀମଦେବଙ୍କ କାଳରୁ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ପଥର କୁଢ଼ରେ ପରିଣତ କରିଦେଇଥିଲା। ସେହି ପଥରରେ ତିଆରି ହୋଇଥିଲା କଟକର ଜୁମା ମସଜିଦ। ସୁଜା ଖାଁ, ୧୬୩୫ ଶକାବ୍ଦରେ ସେଇ ମନ୍ଦିର ବେଢ଼ାରେ ତିଆରି କରିଥିଲା କଦମରସୁଲ।
ସୁଜା ଖାଁର ଜାରଜ ପୁତ୍ର ତକୀ ଖାଁ ନାଏବ ନାଜିମ ହୋଇ ଆସିବା ଦିନ ଠାରୁ ପୁଣି ମନ୍ଦିର ଭଙ୍ଗା ଆରମ୍ଭ କରିଦେଇଥିଲା। ପୁରୁଷୋତ୍ତମ କ୍ଷେତ୍ର ସେଥିପାଇଁ ଏକ ଅଶରୀରୀ ଆତଙ୍କରେ ଛମ୍ ଛମ୍ କରୁଥିଲା।
କ୍ରମଶଃ...
୪.୧୨.୧୮

No comments:
Post a Comment