ସୁଜା ଖାଁ କଟକରେ ନାଏବ-ନାଜିମ ଥିବା କାଳରୁ ପୁଣି ଖୋର୍ଦ୍ଧା କିଲାର ପେସ୍କିସ ହାର ବଢ଼ାଇ ଦିଆଯାଇଥିଲା। ପ୍ରଜାମାନେ ଖଜଣା ଦେଇ ନ ପାରିଲେ ମୋଗଲ ଇଜରାଦାର ମାନେ ସେମାନଙ୍କୁ ତେଣ୍ଟାରେ ଖେଞ୍ଚି ସେମାନଙ୍କ ନାକ କାନ କାଟି, ଘର ଦ୍ୱାର ଲୁଟିକରି, ଖଜଣା ଆଦାୟ କରୁଥିଲେ। ପ୍ରଜାମାନେ ଆତ୍ମରକ୍ଷା ପାଇଁ ଘରଡିହ ଓ ଜନ୍ମ ମାଟିର ମମତା ଭୁଲି ଇତସ୍ତତଃ ପଳାଉଥିଲେ।
ଫିରିଙ୍ଗୀ ମାନଙ୍କର ବାଲେଶ୍ଵର, ପିପିଲି ଓ ଗଞ୍ଜା ବନ୍ଦର ପ୍ରଭୃତି ମୋଗଲ ଦାଉରୁ ନିରାପଦ ଥିବାରୁ ଆତ୍ମରକ୍ଷା ଓ ମାନ ଇଜ୍ଜତ ରକ୍ଷାପାଇଁ ସମସ୍ତଙ୍କ ଦୃଷ୍ଟି ସେତେବେଳେ ସେହି ସବୁ ବନ୍ଦର ଆଡ଼େ ନିବଦ୍ଧ ଥିଲା। ମାତ୍ର ତନ୍ତି ଓ କାରିଗର ମାନଙ୍କ ବ୍ୟତୀତ ଅନ୍ୟ ପାଟକର ଲୋକଙ୍କ ପାଇଁ ସେଠାରେ ବୃତ୍ତି ନ ଥିଲା। ସେଥିପାଇଁ ହାଟୁଆ ଶ୍ରେଣୀର ଲୋକେ କଂସା ବାସନ ବିକି ସେହି ସବୁ ବନ୍ଦର ମୁହାଁ ଧାଉଁ ଥିଲେ ଜୀବିକା ଓ ଜୀବନ ରକ୍ଷା ପାଇଁ। ଅନ୍ୟମାନେ ଦୂରବର୍ତ୍ତୀ କିଲାଜାତ ଅଞ୍ଚଳ ମାନଙ୍କୁ ପଳାଉଥିଲେ କୌଣସିମତେ ନିଜ ନିଜ ଇଜ୍ଜତ ବଞ୍ଚାଇ।
ଏଣେ ରାମଚନ୍ଦ୍ରଦେଵ ବାରବାଟୀ କିଲାରେ ବନ୍ଦୀ ଥିବାବେଳେ କଲମା ପଢ଼ି ଯବନୀ ବିଭା ହୋଇ, ହାଫିଜ-କାଦର-ୟାର-ଜଙ୍ଗ ହେବା ଦିନୁ ଦାରୁଭୂତୋ ମୁରାରୀ ପରି ଖୋର୍ଦ୍ଧା କଟକରେ ବସି ରହିଛନ୍ତି, ଅଘୋରୀ ପରି ଆଜି ଏଠି ତ କାଲି ସେଠି। ପାଇକମାନଙ୍କର ତାଙ୍କ ପ୍ରତି ଆଉ ଶ୍ରଦ୍ଧା ନାହିଁ। ସେମାନଙ୍କ ଦୃଷ୍ଟିରେ ବକ୍ସି ବେଣୁ ଭ୍ରମରବର ଏବେ ଏକମାତ୍ର ଭରସା।
ଟିକାଲି ଯୁଦ୍ଧରେ ରାମଚନ୍ଦ୍ରଦେଵଙ୍କୁ ଶତ୍ରୁ ମୁହଁକୁ ଠେଲି ଦେବାବେଳେ ବକ୍ସି ଭ୍ରମରବର ଭାବିଥିଲେ ତକୀ ଖାଁ ଦାଢ଼ରୁ ଆଉ ରାମଚନ୍ଦ୍ରଦେଵଙ୍କର ନିସ୍ତାର ନାହିଁ ଏବଂ ଖୋର୍ଦ୍ଧା ଗାଦୀ ଏବେ ତାଙ୍କ ହାତ ମୁଠାକୁ ଆସିଗଲା ଜାଣ। ମାତ୍ର ରାମଚନ୍ଦ୍ରଦେଵ ତକୀ ଖାଁର ଭିଣୋଇ ହୋଇ ସେହି ଦମ୍ଭରେ ପୁଣି ଖୋର୍ଦ୍ଧା ଗାଦୀକୁ ଫେରିବେ; ଏ କଥା କିଏ ଭାବି ଥିଲା ?
ତା ପରେ ଗୋପୀନାଥ ଦେବଙ୍କୁ ହତ୍ୟା କରି ମଧ୍ୟ ବକ୍ସି ସିଂହାସନରେ ଅଭିଷିକ୍ତ ହୋଇପାରିଲେ ନାହିଁ। ସେ ପୁଣି ଚାହିଁଲେ ଶଳା ଭିଣୋଇଙ୍କ ମଧ୍ୟରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ।
କ୍ରମଶଃ...
୫.୧୨.୧୮

No comments:
Post a Comment