ରାମଚନ୍ଦ୍ରଦେଵଙ୍କର ମନଶ୍ଚକ୍ଷୁରେ ଭାସି ଉଠିଲା, ଝାଉଁଳିଆ କଇଁଫୁଲ ପାଖୁଡ଼ା ପରି ରିଜିଆର ଦୁଇ ବେଦନାହତ ମଳିନ ଆଖି। ବାରବାଟୀ କାରାଗାର ମଧ୍ୟରେ ମହାମବତୀର କୋମଳ ଆଲୋକରେ ଦୁଇ ବିନ୍ଦୁ ଅଶ୍ରୁ ସେ ଆଖି ଦୁଇଟିକୁ ଅପାର୍ଥିବ, ଅବର୍ଣ୍ଣନୀୟ ସମ୍ବେଦନଶୀଳତାରେ ସେଦିନ ଆହୁରି ସୁତୀବ୍ର କରିଦେଇଥିଲା।
ଚିଲିକା କୂଳରେ ଗୋଟିଏ ଅପନ୍ତରା ଗାଁରେ ସେଦିନ ସେ ଦେଖିଥିଲେ ବେଦନାବଦ୍ଧ ସରଦେଇର ଆଖି ଦୁଇଟିର ସ୍ମୃତି।
ସରଦେଇ ସଂସାରର କଠୋର ସଙ୍ଘାତ ମଧ୍ୟରେ କେବେଠାରୁ ହଜିସାରିଲାଣି ! ରିଜିଆ, ତକୀ ଖାଁର ଲାଲବାଗ କିଲାରେ ବନ୍ଦିନୀ।
ଏଭଳି ପରିସ୍ଥିତିରେ ଓଡ଼ିଶାର ଇଷ୍ଟଦେବ ଜଗନ୍ନାଥଙ୍କ ମାନ ଯବନ ଲାଂଚ୍ଛନାରୁ କିପରି ସୁରକ୍ଷିତ ରହିପାରିବ, ସେହି ଚିନ୍ତାରେ ଥିଲେ ରାମଚନ୍ଦ୍ରଦେଵ।
ରାମଚନ୍ଦ୍ରଦେଵ ଲଢ଼ିବା ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ କାଳେ କାଳେ ଓଡ଼ିଶାର ଶତ୍ରୁ ମୋଗଲ ନାଏବ ନାଜିମମାନେ ଯେତେ ନୁହଁନ୍ତି; ସେତେ ହେଉଛନ୍ତି ଘର ଶତ୍ରୁ ବିଶ୍ୱାସଘାତକର କୁଳ। ଆଜି ତେଣୁ, ବକ୍ସି ବେଣୁ ଭ୍ରମରବର, ଦେୱାନ କୃଷ୍ଣ ନାରୀନ୍ଦ୍ର, ଅଧିକାଂଶ ମୁଖିଆ ଦୁର୍ଗପତି, ଗଡ଼ନାୟକ, କାହାକୁ ବିଶ୍ୱାସ କରିବାର ଉପାୟ ନାହିଁ। ନିଜର ଛାଇକୁ ସୁଦ୍ଧା ବିଶ୍ୱାସ କରିବା ଏବେ ରାମଚନ୍ଦ୍ରଦେଵଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଥିଲା। କେଉଁ ଅସତର୍କ ମୁହୂର୍ତ୍ତରେ ସେମାନେ ପଛଆଡୁ ଛୁରୀ ଭୂଷିଦେବେ, ସେଥିରେ ସ୍ଥିରତା ନ ଥିଲା।
ଓଡ଼ିଶା ଇତିହାସରେ ବିଶ୍ୱାସଘାତକର ହେଲେ ଜୟ ହୁଅନ୍ତା ! ମାତ୍ର ବିଶ୍ୱାସଘାତକତା ଗୋଟିକ ପରେ ଗୋଟିଏ ବିଷଚକ୍ର ପ୍ରସ୍ତୁତକରି ତାହାରି ଆବର୍ତ୍ତରେ ବିଶ୍ୱାସଘାତ ମାନଙ୍କୁ ସୁଦ୍ଧା ଗ୍ରାସ କରି ଚାଲିଛି।
କ୍ରମଶଃ...
୯.୧୨.୧୮

No comments:
Post a Comment