Saturday, 8 December 2018

ଓଁ

ଦକ୍ଷିଣରେ ହିନ୍ଦୁ ମରହଟ୍ଟା ଶକ୍ତି ଚେଇଁ ଉଠିଲେଣି। ସେମାନଙ୍କର ଆବାଜ ଦିଲ୍ଲୀ ଦରଜାରେ ଧକ୍କା ଦେଲାଣି। କିନ୍ତୁ ଓଡ଼ିଆ ପ୍ରତି ବିପଦ ଦିଲ୍ଲୀ ଯେତେ ନୁହେଁ, ସେତେ ହେଉଛି ମୁର୍ଶିଦାବାଦ। ସୁଜା ଖାଁ କଟକର ନାଏବ ନାଜିମ ଗାଦୀରେ ନିଜର ଜାରଜ ପୁତ୍ର ତକୀ ଖାଁକୁ ବସାଇ ନିଜେ ମୁର୍ଶିଦାବାଦର ମସନଦ ଅଧିକାର କଲା। ତଥାପି ପିତା ପୁତ୍ର ମଧ୍ୟରେ କନ୍ଦଳ ଚାଲିଛି। ମୁର୍ଶିଦାବାଦର ଅଧଃପତନର ଦିନ ଆସନ୍ନ।

ଏହି ପରିସ୍ଥିତିରେ ଖୋର୍ଦ୍ଧାର ହୃତଗୌରବ ପୁନରୁଦ୍ଧାର କରି ଉତ୍କଳରୁ ମୋଗଲ ଶକ୍ତି ବିତାଡ଼ିତ କରିବା ରାମଚନ୍ଦ୍ରଦେଵଙ୍କର ଏକ ବହୁ ପୋଷିତ ସଙ୍କଳ୍ପ ଥିଲା। ସେଥିପାଇଁ ସେ କଲମା ପଢ଼ି ଇସଲାମ ମତ ଗ୍ରହଣ କରିଥିଲେ। କିନ୍ତୁ ଲୋକ ଅପବାଦ ରହିଛି ଯେ ତାଙ୍କର ସୁଜା ଖାଁର କୌଣସି ଏକ ଅଜ୍ଞାତ କୁଲଶୀଳା କନ୍ୟା ତକୀ ଖାଁର ଭଗିନୀ ରିଜିଆ ବିବି ସହିତ ଅବୈଧ ପ୍ରଣୟରେ ଲିପ୍ତ ରହି ରାମଚନ୍ଦ୍ରଦେଵ ଜାତି ହାରି ହାଫିଜ କାଦର ହୋଇଛନ୍ତି। ମାତ୍ର ସର୍ଵଦ୍ରଷ୍ଟା ଅନ୍ତର୍ଯ୍ୟାମୀ ଜଗନ୍ନାଥ ଜାଣନ୍ତି। ଆରତିର ପ୍ରଦୀପ ଶିଖା ପରି ରିଜିଆ ପବିତ୍ର।

No comments: