ସେଦିନ ଦରବାରକୁ ଆସିଥିଲେ ଜଣେ ଅପ୍ରତ୍ୟାଶିତ ଆଗନ୍ତୁକ ଲକ୍ଷ୍ମୀ ପରମଗୁରୁ।
ତାଙ୍କର ଆଗମନ ଦେଖି ...
ତକୀ ଖାଁ - ଆସନ ଗ୍ରହଣ କରନ୍ତୁ।
ପରମଗୁରୁ - ମ୍ଳେଛର ସିଂହାସନ ତଳେ ସାଧକର ଆସନ ଗ୍ରହଣ ଶାସ୍ତ୍ରରେ ନିଷିଦ୍ଧ।
ତକୀ ଖାଁ - ଆସିବାର ଉଦ୍ଦେଶ୍ୟ ?
ପରମଗୁରୁ - ଖୋର୍ଦ୍ଧା ସିଂହାସନ ଶୂନ୍ୟ। ମୁଁ ଆସିଛି ଖୋର୍ଦ୍ଧା ରାଜାଙ୍କୁ ଫେରେଇ ନେବାପାଇଁ।
ତକୀ ଖାଁ - ମଞ୍ଜୁର।
ତା'ପରେ ଗୃହହରା ଅବୋଧ ବାଳକର ବାହୁ ଧରି ଅଚିହ୍ନା ବାଟରୁ ଫେରାଇ ଆଣିବା ପରି ଲକ୍ଷ୍ମୀ ପରମଗୁରୁ ସେଦିନ ରାମଚନ୍ଦ୍ରଦେଵଙ୍କ ଗୋଟିଏ ବାହୁକୁ ଝିଙ୍କି ଧରି, ତକୀ ଖାଁର ବ୍ୟୁହ ମଧ୍ୟରୁ ତାଙ୍କୁ ମୁକୁଳାଇ ଆଣିଥିଲେ। ଏହି ପରମଗୁରୁ ହିଁ ଥିଲେ ରାମଚନ୍ଦ୍ରଦେଵଙ୍କ ଏକମାତ୍ର ଶୁଭଚିନ୍ତକ ଓ ମନ୍ତ୍ରଣାଦାତା।
ଖୋର୍ଦ୍ଧା ରାଜବଂଶର କୁଳ ପୁରୋହିତ ଗୋଦାବରୀବର୍ଦ୍ଧନ ଲକ୍ଷ୍ମୀ ପରମଗୁରୁ ମହାପାତ୍ରଙ୍କ ବ୍ୟତୀତ ଆଉ କେହି ଏ ଘୋର ଦୁର୍ଦ୍ଦିନରେ ସୁଦ୍ଧା ଏପରି ସ୍ପର୍ଦ୍ଧିତ ପାଦ ଶବ୍ଦରେ ଭିତର ଗଡ଼ ଉଆସର ନୀରବ ଗାମ୍ଭୀର୍ଯ୍ୟକୁ ଆହତ କରିବା ପାଇଁ ସାହସ କରି ନ ଥିଲେ। ସେ ହିଁ ଏକାମାତ୍ର ନିଶ୍ଚତ ଅବଲମ୍ବନ ଓ ସାନ୍ତ୍ୱନା। ସେ ହିଁ ଏକା ରାମଚନ୍ଦ୍ରଦେଵଙ୍କର ଧର୍ମାନ୍ତରକୁ ଗଭୀର ସହାନୁଭୂତିର ସହ ସହ୍ୟ କରିପାରିଛନ୍ତି। ସେ ଏକା ବୁଝିଛନ୍ତି ଖୋର୍ଦ୍ଧାର ଶାନ୍ତି ଓ ଜଗନ୍ନାଥଙ୍କ ମାନରକ୍ଷା ପାଇଁ ରାମଚନ୍ଦ୍ରଦେଵ ନିଜକୁ ପତିତ ଓ ଅପାଂକ୍ତେୟ କଲେ।
କ୍ରମଶଃ...
୧୭.୧୨.୧୮

No comments:
Post a Comment