Friday, 21 December 2018

*ଲାଲବାଗ ଦୁର୍ଗ*

ଲାଲବାଗ ଦୁର୍ଗର ଦକ୍ଷିଣ ପ୍ରାନ୍ତରେ ରିଜିଆ ବେଗମ ନିଜ ଖାସ ମଞ୍ଜିଲ ଅଳିନ୍ଦରେ ଠିଆ ହୋଇ କାଠଯୋଡ଼ିର ନୀଳ ଜଳବେଣୀର ଘୁର୍ଣ୍ଣିର ତରଙ୍ଗ ଲକ୍ଷ୍ୟ କରୁଥିଲେ। ଅଳିନ୍ଦର ପ୍ରବେଶ ଦ୍ୱାରରେ ଜଣେ ଖୋଜା ନପୁଂସକ ପ୍ରହରୀ ପଥରରେ ଖୋଳା  ଗୋଟିଏ ସ୍ଥାଣୁ ପ୍ରସ୍ତର ମୂର୍ତ୍ତି ପରି ଠିଆ ରହିଥିଲା। ମଞ୍ଜିଲ ବାହାରେ ଦେବଦାରୁ ବିଥିକା ଶୋଭିତ ଗୋଲାପୀ ବାଗ୍ ର ପତ୍ର କୁଞ୍ଜରୁ ଡାହୁକଟାଏ ରହି ରହି ଆହତ ଆତ୍ମାର ଆର୍ତ୍ତନାଦ ପରି ରାବି ଉଠୁଥିଲା। ଭରା ପାଣି ମାଠିଆ ଉବୁଡାଇବା ପରି ଡାହୁକର ରାଵ ଥମି ଯିବା ମାତ୍ରେ, ଗୋଟାଏ କାପ୍ତା କେଉଁଠୁ ରହି ରହି ବାହୁନି ଉଠୁଥିଲା। ମଞ୍ଜିଲର ପାରାବସାମାନଙ୍କରେ ପାରାସବୁ ଘୁମୁରୁ ଥିଲେ। ଲାଲବାଗର ପ୍ରବେଶ ଦ୍ୱାରରେ ନହବତଖାନାରୁ ଶାହାନାଇରେ ବାଗେଶ୍ରୀର ବିଳମ୍ବିତ ଆଳାପ ଭାସି ଆସୁଥିଲା। ବାଗେଶ୍ରୀର ଆଳାପ ମଧ୍ୟରେ, ରିଜିଆର ଆଖି ଆଗରେ ଭାସି ଉଠୁଥିଲା ଜନ୍ମଦାତ୍ରୀ କାଞ୍ଚନ ମୁର୍ଶିଦାବାଦୀର ମୂର୍ତ୍ତି !

ଅଳିନ୍ଦ ତଳେ ଲାଲବାଗ ଦୁର୍ଗର ପ୍ରାଚୀର ଭିତ୍ତି ଦେହରେ ଧକ୍କା ଖାଇ କଳକଳ ଛଳଛଳ ଶବ୍ଦରେ ବହିଯାଉଥିବା କାଠଯୋଡ଼ିର ନୀଳ ଜଳବେଣୀ ରିଜିଆଙ୍କ ମାନସ ଦୃଷ୍ଟିରେ ଜନନୀ କାଞ୍ଚନ ମୁର୍ଶିଦାବାଦୀର ନିତମ୍ବଚୁମ୍ବୀ କୁଟୀଳ କେଶରାଶି ମନେପକାଇ ଦେଉଥିଲା ଆଃ... ଜନ୍ମଦାତ୍ରୀ ଜନନୀଙ୍କର କି ସେ ଭୁବନମୋହିନୀ ରୂପ !

କ୍ରମଶଃ...

୨୧.୧୨.୧୮

No comments: