ଖୋର୍ଦ୍ଧାକୁ କଟକ ସହିତ ମିଶାଇ ମୋଗଲ ଶାସିତ ଓଡ଼ିଶା ସୁବାକୁ ସୁବର୍ଣ୍ଣରେଖା ଠାରୁ ଚିକାକୋଲ ପର୍ଯ୍ୟନ୍ତ ବିସ୍ତୃତ କରିବା ପାଇଁ ତକୀ ଖାଁ ରାମଚନ୍ଦ୍ରଦେଵଙ୍କୁ କଲମା ପଢ଼ାଇ, ନିଜ ଭଗିନୀ ରିଜିଆ ସହିତ ବିବାହ ସମ୍ପନ୍ନ କରାଇଛି। କିନ୍ତୁ ରାମଚନ୍ଦ୍ରଦେଵ ତୁଚ୍ଛ ଲୋଭରେ ଲାଲବାଗ କିଲ୍ଲାର ସୁନା ପଞ୍ଜରୀ ମଧ୍ୟରେ ହାତ ଗୋଡ଼ ବାନ୍ଧି ବସିବା ଲୋକ ନ ଥିଲେ। ସେ ଖୋର୍ଦ୍ଧା ଫେରି ଆସିଲେ। ଏହାର ଉଦ୍ଦେଶ୍ୟ ତକୀ ଖାଁକୁ ଅଛପା ରହିଲା ନାହିଁ।
ଏହିପରି ରାମଚନ୍ଦ୍ରଦେଵଙ୍କ ଆଗରେ ଆଉ କେହି ବିଶ୍ୱାସୀ ଲୋକ ନ ଥିଲେ। ଶେଷରେ ମହାରାଣୀ ଲଳିତା ମହାଦେଇ ମଧ୍ୟ ସେହି ଅବିଶ୍ୱାସୀ ଗୋଷ୍ଠୀରେ ସାମିଲ ହୋଇଗଲେ।
ଯବନୀ ରିଜିଆ ମହାରାଣୀ ହେବ, ତା ପୁତ୍ର ପୁଣି ଖୋର୍ଦ୍ଧା ସିଂହାସନର ଅଧିକାର ଦାବୀ କରିବ, ଏପରି କଳ୍ପନା ସୁଦ୍ଧା ଲଳିତା ମହାଦେଇଙ୍କୁ ଦଳିତା ସର୍ପିଣୀ ପରି ଭୟଙ୍କରୀ କରିଦେଉଥିଲା। ରାମଚନ୍ଦ୍ରଦେଵ ଖୋର୍ଦ୍ଧା ବାହୁଡ଼ିବା ପୂର୍ବରୁ ସେ ହାତରୁ କାଚ ଶଙ୍ଖା ଭାଙ୍ଗି, ନିଜ ବୈଧବ୍ୟର ଘୋଷଣା କରି ପିତ୍ରାଳୟକୁ ଚାଲିଯାଇଥିଲେ। ସେ ଚାହୁଁଥିଲେ ତାଙ୍କ ସୁପୁତ୍ର ଭାଗୀରଥି କୁମାରଙ୍କୁ ସିଂହାସନରେ ଅଭିଷିକ୍ତ ନ କରିବା ଯାଏ ଆଉ ଖୋର୍ଦ୍ଧା ମାଟି ମାଡ଼ିବେ ନାହିଁ।
ଏକ ନିଃସଙ୍ଗ ନକ୍ଷତ୍ର ପରି ରାମଚନ୍ଦ୍ରଦେଵ ଆଜି ସମ୍ପୂର୍ଣ୍ଣ ଏକାକୀ।
କ୍ରମଶଃ...
୧୦.୧୨.୧୮

No comments:
Post a Comment