ସମାଜରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯେଉଁ ଚିନ୍ତନ ପ୍ରକ୍ରିୟା ବୌଦ୍ଧିକ ସ୍ତରରେ ହୋଇଥାଏ, ତାକୁ ସାଧାରଣତଃ ଆମେ ବିଚାର କହୁ। ଯେଉଁ ବିଚାରର ନିଷ୍କର୍ଷ ଉପୁଜିଥିବା ସମସ୍ୟା ତ ସମାଧାନ କରେ ତା ସହିତ ଭବିଷ୍ୟତର ମାର୍ଗଦର୍ଶନ ମଧ୍ୟ କରିଥାଏ। ଏହି ବିଚାରର ଉତ୍କର୍ଷତାକୁ ନିମ୍ନୋକ୍ତ କାରଣଗୁଡ଼ିକ ପ୍ରଭାବିତ କରିଥାଏ।
ପ୍ରତ୍ୟେକ ବିଚାର ଅନୁଗୃହିତ ହେବାରେ ଏକ ନିଜସ୍ୱ ଶକ୍ତି ରହିଥାଏ। ସମାଜ ଆଗରେ ଯେଉଁ ପ୍ରଶ୍ନ ଛିଡ଼ା ହୁଏ ତାର ଉତ୍ତର ଯେଉଁ ବିଚାର ଦିଏ ସମାଜର ବୁଦ୍ଧିଜୀବୀ ବର୍ଗଙ୍କୁ ଲାଗେ ଯେ ସେହି ବିଚାରର ପ୍ରଭାବ ଅଛି। ତେଣୁ ସେହି ଚିନ୍ତନକୁ ସାଧାରଣରେ ଗ୍ରହଣ କରିନିଆଯାଏ।
ଔଦ୍ୟୋଗିକରଣ କାରଣରୁ ଯେତେବେଳେ ଶୋଷଣ ଓ ଆର୍ଥିକ କ୍ଷମତା ବିକେନ୍ଦ୍ରୀକରଣର ପ୍ରଶ୍ନ ଆସିଲା ସେତେବେଳେ କିଛି ସମୟ ପାଇଁ ଲୋକଙ୍କୁ ଲାଗିଲା ଏହାର ଉତ୍ତର ମାର୍କ୍ସବାଦରେ ଅଛି। ତେଣୁ ସେହି ବିଚାରର ପ୍ରଭାବ ବିଶ୍ୱରେ ଦେଖାଗଲା।
ଅନ୍ୟ ଉଦାହରଣ ଯଦି ଦେଖିବା ତେବେ ଯାହାକୁ ଆଇନଷ୍ଟାଇନଙ୍କ ପଦାର୍ଥ ବିଜ୍ଞାନର ପରବର୍ତ୍ତୀ ସମୟ କହିପାରିବା, ସେଥିରେ ବୈଜ୍ଞାନିକମାନଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ଆସିଲା ଯାହାର ଉତ୍ତର ଖୋଜିବାକୁ ଯାଇ Schrodingerଙ୍କଠୁ ଆରମ୍ଭ କରି David Bohme ଙ୍କ ପର୍ଯ୍ୟନ୍ତ ଅନେକ ବୈଜ୍ଞାନିକ ଉପନିଷଦ ବା ବେଦାନ୍ତର ସାହାରା ନେଲେ। ୧୯୪୬ରେ Eranos Tagungରେ 'Spirit of Science' ବିଷୟରେ ଭାଷଣ ଦେବାକୁ ଯାଇ Schrodinger ଶଙ୍କରାଚାର୍ଯ୍ୟଙ୍କ ବ୍ରହ୍ମସୂତ୍ରର ଭାଷ୍ୟକୁ ଉଦ୍ଧୃତ କରିଥିଲେ। ସେହିପରି David Bohmeଙ୍କ ଜେ. କୃଷ୍ଣମୂର୍ତ୍ତିଙ୍କ ସହ ହୋଇଥିବା ସାକ୍ଷାତକାର 'The ending of Time' ଭଳି ପ୍ରସିଦ୍ଧ ପୁସ୍ତକରେ ପ୍ରକାଶିତ।
ସାଧାରଣତଃ ବିଶ୍ୱରେ ଯେଉଁ ସମାଜ ପ୍ରଭାବୀ ଓ ବଳବାନ ହୁଏ ସେହି ସମାଜ ପ୍ରତି ଅନ୍ୟ ସମାଜ ଆକର୍ଷିତ ହୁଅନ୍ତି। ବିଗତ ୩-୪ଶହ ବର୍ଷରେ ଇଉରୋପ ଓ ଆମେରିକାରେ ଅଭୂତପୂର୍ବ ଭୌତିକ ଉତ୍ଥାନ ହୋଇଛି। ସେମାନେ ବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନ କରି ମାନବ ସମାଜର ସେବା କରିଛନ୍ତି। ତେଣୁ ତାଙ୍କର ଏହି କର୍ମ ସ୍ୱାଭାବିକ ଭାବେ ସାରା ବିଶ୍ୱକୁ ପ୍ରଭାବିତ କରିଛି।
ଏହି ସବୁ ବିଚାର ପ୍ରକ୍ରିୟାକୁ ଅଧିକ ଅନୁଧ୍ୟାନ କରିବାକୁ ଗଲେ ଆମ ଆଗରେ ଚାରୋଟି ଭିନ୍ନ ଭିନ୍ନ ବିଚାର ପ୍ରଣାଳୀ ଦୃଶ୍ୟମାନ ହୁଏ।
କ୍ରମଶଃ....
୨. ୫. ୧୮

No comments:
Post a Comment